ରାଉରକେଲା: ସହରରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ରାତିରେ ଦୁଇ ଚକିଆ ଯାନ ଚାଳକ କୁକୁର ଆତଙ୍କର ଶିକାର ହେଉଛନ୍ତି । ସହରରେ କୁକୁର ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଅଢେଇ ବର୍ଷ ହେଲା କୁକୁର ବନ୍ଧ୍ୟାକରଣ ଗୃହରେ ତାଲା ଝୁଲୁଛି । ଅସ୍ତ୍ରୋପଚାର ଗୃହ, ସେଡ୍, ଅନୁଦାନ ଆଦି ପ୍ରସ୍ତୁତ ରହିଥିଲେ ହେଁ ଦେଢ ବର୍ଷ ହେଲା ରାଉରକେଲାରେ କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ ହୋଇଯାଇଛି । କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ରାଉରକେଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ଏବିସି କେନ୍ଦ୍ର ଖୋଲା ଯାଇଥିଲା । ୨୦୧୨ ଅଗଷ୍ଟ ମାସ ୩୧ ତାରିଖ ଅର୍ଥାତ ସ୍ୱାୟତ୍ତ ଶାସନ ଦିବସରେ ଏହି କେନ୍ଦ୍ରକୁ ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ରୂପାରୋଶନ ସାହୁ ଉଦ୍ଘାଟନ କରିଥିଲେ ।
ଏଥିରେ ୪୦ଟି କେନେଲ ରହିଥିବା ବେଳେ ଜ୍ୱଳାନ୍ତକ କୁକୁରଙ୍କ ପାଇଁ ୧୦ଟି ସଂଘରୁଦ୍ଧ କକ୍ଷ( ଆଇସୋଲେସନ୍) କେନେଲ ରହିଛି । ଆରଏସ୍ପି ମଧ୍ୟରୁ ବୁଲା କୁକୁରଙ୍କୁ କେନ୍ଦ୍ରକୁ ଆଣିବା ପାଇଁ ଏକ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଥିଲା । ଆରଏମ୍ସି ପକ୍ଷରୁ କୁକୁରଙ୍କୁ ଧରିବା ପାଇଁ ଚାରି ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା । ଦିନକୁ ସହରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ଟି କୁକୁରଙ୍କୁ ଧରାଯାଇ ବନ୍ଧ୍ୟାକରଣ ପାଇଁ କେନ୍ଦ୍ରକୁ ଅଣା ଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ପଶୁଙ୍କ ପ୍ରତି ଅତ୍ୟାଚାର ଏବଂ ପ୍ରାଣୀର ସ୍ୱାଭାବିକ ପ୍ରକ୍ରିୟାକୁ ବାଧା ଦେଇ ହେବ ନାହିଁ ବୋଲି ନେଇ ମାମଲା ରୁଜୁ ହୋଇଥିଲା । ଫଳରେ ୨୦୨୩ ଶେଷ ଅର୍ଥାତ ପ୍ରାୟ ଅକ୍ଟୋବର ମାସରୁ କୁକୁର ବନ୍ଧ୍ୟାକରଣ ବନ୍ଦ ହୋଇଯାଇଛି ।
ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନିମଲ୍ ବୋର୍ଡ ଅଫ୍ ଇଣ୍ଡିଆରୁ ପଞ୍ଜିକୃତ ହୋଇଥିବା କୌଣସି ଏନ୍ଜିଓ ଏହି କାମ କରି ପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପଞ୍ଜିକୃତ ଏନ୍ଜିଓରେ ପିଆରସିରୁ ସାର୍ଟିଫିକେଟ୍ ପାଇଥିବା ଜଣେ ସର୍ଜନ ହିଁ ବନ୍ଧ୍ୟାକରଣ କରି ପାରିବେ ବୋଲି ନିୟମ ରହିଛି । ୨୦୨୫ ଫେବୃଆରୀ ମାସରୁ ଏପରି ନିଷ୍ପତ୍ତି ଗ୍ରହଣ ହୋଇଥିଲେ ହେଁ, ବର୍ତ୍ତମାନ ପର୍ଯ୍ୟନ୍ତ କୁକୁରଙ୍କ ବନ୍ଧ୍ୟାକରଣ ଆରମ୍ଭ ହୋଇ ପାରୁ ନାହିଁ । ଏବେ କେନ୍ଦ୍ରର ଦାୟିତ୍ୱରେ ଜଣେ ଅବସରପ୍ରାପ୍ତ ଏଲ୍ଆଇ ଓ ଚୌକିଦାର ରହିଛନ୍ତି । କୌଣସି ଅଞ୍ଚଳରୁ ଜ୍ୱଳାନ୍ତକ କୁକୁରର ସୂଚନା ଆସିଲେ, ଏହି କେନ୍ଦ୍ରକୁ ଅଣା ଯାଉଛି ।
ନିଯୁକ୍ତ ଥିବା ଏଲ୍ଆଇ ଉକ୍ତ କୁକୁରର ନିରୀକ୍ଷଣ କରୁଛନ୍ତି । ଏ ନେଇ ପାନପୋଷ ଏସ୍ଡିଭିଓ ଡା. ପ୍ରଶାନ୍ତ ମହାରଣା କହିଛନ୍ତି ଯେ, ପୂର୍ବରୁ ଆମେ ବନ୍ଧ୍ୟାକରଣ କରୁଥିଲୁ । ନୂଆ ନିର୍ଦ୍ଦେଶାବଳୀ ଆସିବା ପରେ ଆମର ଆଉ ଦାୟିତ୍ୱ ନାହିଁ । ରାଉରକେଲା ମହାନଗର ନିଗମ ଏ ନେଇ ଟେଣ୍ଡର ଆହ୍ୱାନ କରିଥିଲା । ଉକ୍ତ ଟେଣ୍ଡର ଜରିଆରେ ହାଇଦ୍ରାବାଦ୍ର ଏକ ଏନ୍ଜିଓ କୃତକାର୍ଯ୍ୟ ହୋଇଛି । ଏନ୍ଜିଓ ପକ୍ଷରୁ ଏବିସି କେନ୍ଦ୍ରର ନିରୀକ୍ଷଣ ମଧ୍ୟ କରା ସରିଛି । ଆସନ୍ତା ମାସ ଅର୍ଥାତ ଜୁଲାଇରୁ ଏବିସି କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।
ଏହାସହ ପଢ଼ନ୍ତୁ: ଗବେଷଣାର ଗନ୍ତାଘର ଓଡ଼ିଶୀ ଗବେଷଣା କେନ୍ଦ୍ର