ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବେଳାଭୂମିର ଝାଉଁ ବଣ: ଦିନରେ ମଦ୍ୟପାନ, ରାତିରେ ଅନୈତିକ କାର୍ଯ୍ୟ ପାଇଁ ବଦ୍‌ନାମ

Published By : Prameya | April 28, 2025 10:16 AM

ପୁରୀ,୨୮/୦୪: ବେଳାଭୂମିର  ସୌନ୍ଦର୍ଯ୍ୟୀକରଣ ଓ ସୁରକ୍ଷା ପାଇଁ ଲାଗିଥିବା ଝାଉଁ ଗଛ ଏବେ ଅସାମାଜିକଙ୍କ କବ୍‌ଜାରେ । ଝାଉଁ ଗଛ ମୂଳେ ଦିନରେ ମଦ୍ୟପାନ ଓ ରାତିରେ ଅନୈତିକ କାର୍ଯ୍ୟ ଚାଲୁଛି । ଏମାନେ ପୁରୀ ବେଳାଭୂମିକୁ ବଦ୍‌ନାମ କରିବାରେ ବ୍ୟସ୍ତ ।  ଫଳରେ ବେଳାଭୂମିରେ ପଡ଼ୁଛି ନିରୋଧ, ଗଡ଼ୁଛି ମଦ ବୋତଲ । ଏଭଳି ସ୍ଥିତିରେ ସବୁ ଜାଣି ନିରବ ବସିଛି ପ୍ରଶାସନ । ଏଥିପାଇଁ ପର୍ଯ୍ୟଟକମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । 

ଅବଢ଼ା ଯୋଜନାରେ ଓବିସିସି ପକ୍ଷରୁ ବିଚ୍‌ ଫ୍ରଣ୍ଟ୍‌ ଡେଭଲପ୍‌ମେଣ୍ଟ୍‌ ପ୍ରୋଜେକ୍ଟରେ ବେଳାଭୂମିରେ ବୃକ୍ଷ ରୋପଣ କରାଯାଇଥିଲା । ଦିଗବାରେଣୀ ଛକଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ବେଳାମାର୍ଗ ପାଶ୍ୱର୍ ବିସ୍ତୀର୍ଣ୍ଣ ବେଳାଭୂମିରେ କୋଟି କୋଟି ଟଙ୍କା ବ୍ୟୟ କରି ପ୍ରଶାସନ ପକ୍ଷରୁ ଏହି ଗଛ ଲଗାଯାଇଛି । ଏହାର ଲକ୍ଷ୍ୟ ଥିଲା ବେଳାଭୂମିର ସମ୍ମୁଖ ପାର୍ଶ୍ୱର ସୌନ୍ଦର୍ଯ୍ୟ ବୃଦ୍ଧି କରିବା । ପର୍ଯ୍ୟଟକମାନେ ବେଳାଭୂମିରେ ବସି  ଗୋଟିଏ ପଟେ ସମୁଦ୍ରର ମନୋରମ ଦୃଶ୍ୟ  ଓ ଅନ୍ୟପଟେ ଝାଉଁ ଗଛର ଲମ୍ବା ଜଙ୍ଗଲକୁ ଦେଖି ମନଭରି ଉପଭୋଗ କରିବେ । କିନ୍ତୁ  ଏବେ ନିଶାଖୋର ଓ ପ୍ରେମୀ ଯୁଗଳ ଏହି ସୌନ୍ଦର୍ଯ୍ୟୀକରଣ ବେଶ୍‌ ଫାଇଦା ଉଠାଉଛନ୍ତି ।  ଏହି ଝାଉଁ ବଣକୁ ସୁରକ୍ଷା ପାଇଁ ବାଉଁଶ ବତାରେ  ବାଡ଼ କରାଯାଇଛି । ୨ ପାର୍ଶ୍ୱରେ ବାଉଁଶ ବାଡ଼  ସାଙ୍ଗକୁ ଝଙ୍କାଳିଆ ଗଛ ଏକ ପ୍ରକାର ସୁଡ଼ଙ୍ଗ  ଭଳି ଦେଖାଯାଉଛି । କେହି ଏହା ଭିତରେ  ପଶିଗଲେ ବାହାରକୁ ଦେଖାଯିବା କଷ୍ଟକର ।  ଅସାମାଜିକମାନେ ସ୍ଥାନେ ସ୍ଥାନେ ଏହି ବାଡ଼କୁ  ଭାଙ୍ଗି ଭିତରକୁ ରାସ୍ତା ତିଆରି କରିଛନ୍ତି । ଦିନରେ  ଛାଇ ଦେଉଥିବା ଏହି ଝଙ୍କାଳିଆ ଝାଉଁ ଗଛ  ମୂଳରେ ବସି ନିଶାଖୋରମାନେ ବିଭିନ୍ନ ପ୍ରକାର  ନିଶା ସେବନ କରୁଛନ୍ତି । ରାତିର ଅନ୍ଧାରରେ ବି  ଏଠାରେ ନିଶାଖୋର ଭିଡ଼ ଲଗାଉଛନ୍ତି । ଯଦି  କେହି ଏମାନଙ୍କୁ ବିରୋଧ କରେ ତେବେ ଅନ୍ୟ  ବାଟ ଦେଇ ଖସିଯିବାର ସୁବିଧା ମଧ୍ୟ ରହିଛି । ତେଣୁ ନିର୍ଭୟରେ ଦିନ ଓ ରାତି ନିଶାଖୋରମାନେ ଏହି ସ୍ଥାନକୁ ସୁରକ୍ଷିତ ଭାବି ନେଇଛନ୍ତି ।

ସେହିପରି ଏହି ଗଛମୂଳରେ ବେଳାଭୂମିରେ ଯୁବକଯୁବତୀମାନେ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏପରିକି  ରାତିରେ ବେଳାଭୂମିରେ ଯୁବକ ଓ  ଯୁବତୀମାନେ ଏହାର ଆଢ଼ୁଆଳରେ ମଦ୍ୟପାନ କରୁଛନ୍ତି । ନିଶାସକ୍ତ  ଅବସ୍ଥାରେ ବେଳାଭୂମିରେ ବୋତଲ ଫିଙ୍ଗୁଛନ୍ତି । 

ଗତ ୨୦ ତାରିଖ ରାତିରେ  ଲାଇଟ୍‌ ହାଉସ୍‌-ଷ୍ଟର୍ଲିଂ ବେଳାମାର୍ଗ  ପାଶ୍ୱର୍ରେ ଏହି ଝଙ୍କାଳିଆ ଗଛ ମୂଳରେ  ବସିଥିବା ୨ ଜଣ ଯୁବକ, ଯୁବତୀଙ୍କୁ କିଛି  ଅସାମାଜିକ ଘେରିଥିଲେ । ସେମାନଙ୍କ ପଛରେ କୁକୁର ଲଗାଇ ଦେଇଥିବା ବେଳେ  ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଯୁବତୀଙ୍କୁ କୁକୁର କାମୁଡ଼ି ଦେଇଥିଲା ।  ଏହାପରେ ଏହି ଯୁବକ ଓ ଯୁବତୀଙ୍କ ସହ ଅସାମାଜିକଙ୍କ ଝଗଡ଼ା ହୋଇଥିଲା ।  କିଛି ପର୍ଯ୍ୟଟକଙ୍କ ହସ୍ତକ୍ଷେପ ପରେ ୨ ପକ୍ଷ  ପୁଲିସ ଆସିବା ଭୟରେ ପଳାଇଥିଲେ । ଘଟଣାଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । 

କେବଳ ଏହି ଝଙ୍କାଳିଆ ଝାଉଁ ଗଛ ନୁହେଁ ।  ବେଳାଭୂମି ଅସାମାଜିକଙ୍କ ପାଇଁ ଓପନ୍‌ ବାର୍‌ ପାଲଟିଛି । ନିଶାଖୋର ମଦ ବୋତଲ ଧରି  ବୁଲୁଛନ୍ତି । ଶହ ଶହ ପର୍ଯ୍ୟଟକଙ୍କ ଉପସ୍ଥିତିରେ ନିଶା ସେବନ କରୁଛନ୍ତି । ସମସ୍ତଙ୍କ ସମ୍ମୁଖରେ ମଦ ବୋତଲ ଭାଙ୍ଗି ଫିଙ୍ଗୁଛନ୍ତି । ବେଳାଭୂମିରେ ମଦ ବୋତଲ କାଚରେ ଅନେକ ପର୍ଯ୍ୟଟକ  ରକ୍ତାକ୍ତ ହେଉଛନ୍ତି । ପୁଲିସ ଏଦିଗରେ କୌଣସି  ପଦକ୍ଷେପ ନେଉ ନ ଥିବାରୁ ଅନୈତିକ ଏବଂ  ଅସାମାଜିକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ।  ବେଳାଭୂମି ପରିବେଶ ନଷ୍ଟ ହେଉଥିବା ନେଇ  କେତେକ ପର୍ଯ୍ୟଟକ ଅଭିଯୋଗ କରୁଛନ୍ତି । 

ଏ ସମ୍ପର୍କରେ ପଶ୍ଚିମବଙ୍ଗର ପୃଥ୍ୱୀରାଜ୍‌ ଚାଟାର୍ଜୀ  କହିଛନ୍ତି ବେଳାଭୂମିରେ ବୁଲୁଥିବା ବେଳେ ଭଙ୍ଗା ମଦ କାଚରେ ମୋ ଝିଅର ଗୋଡ଼  କଟିଗଲା । ସମ୍ବଲପୁରର ପ୍ରତୀକ ପ୍ରୀତମ୍‌ ପାଣି  କହିଛନ୍ତି, ଏହି ଗଛଗୁଡ଼ିକ ଅତି ସୁନ୍ଦର ଦିଶୁଛି ।  କିନ୍ତୁ ଏହା ମୂଳରେ ପର୍ଯ୍ୟଟକମାନେ ପରିସ୍ରା  କରୁଛନ୍ତି । ଏପରିକି ଏଠାରେ ଆପତ୍ତିଜନକ  ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ  ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର କହିଛନ୍ତି ଏତେ ବଡ଼ ବେଳାଭୂମିରେ ନଜର ରଖିବା ଯଦିଓ କଷ୍ଟକର ତଥାପି ଏହାକୁ ନିୟନ୍ତ୍ରଣ  କରିବାକୁ ନିୟମିତ ପାଟ୍ରୋଲିଂ କରାଯିବ ।

ଖରା, ଗୁଳୁଗୁଳି ଯୋଗୁଁ ବଢ଼ୁଛି ବିୟର୍‌ ବେପାର: ଗତବର୍ଷ ପିଇଥିଲେ କୋଟିଏ ୩୧ ଲକ୍ଷ ଲିଟର, ଏବର୍ଷ ବି ୪୦ ଲକ୍ଷ ଲିଟର ପିଇସାରିଲେଣି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.