ଭୁବନେଶ୍ୱର, ୦୮/୦୯: ଅଣଛାତ୍ର ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ । ହଷ୍ଟେଲରୁ ତଡ଼ାଖାଇବେ ଅଣଛାତ୍ର । ୧, ୨, ୩, ୫ ନଂ ହଷ୍ଟେଲର ତାଲା ଭାଙ୍ଗି ଯାଞ୍ଚ କଲେ କର୍ତ୍ତୃପକ୍ଷ ।ରୁମ୍‌ରୁ କଢା ହେଲା ଅଣଛାତ୍ରଙ୍କ ଜିନିଷପତ୍ର । ସ୍ଥିତି ନିୟନ୍ତ୍ରଣ କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଦିନକୁ ଦିନ ବଢି ଛାଲିଛି ଅମାନିଆଙ୍କ ରାଜ୍‌ । ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାଡ଼ୁ ନାହାନ୍ତି ଅଣଛାତ୍ର । ସେମାନଙ୍କୁ ହଟାଇବାକୁ ପୁଲିସର ବଡ଼ ପ୍ରସ୍ତୁତି । ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ର ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ସୋମବାର କ୍ୟାମ୍ପସ ପରିସରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ହଷ୍ଟେଲ ନମ୍ୱର ୧, ୨, ୩ ଓ ୫ରୁ ଅଣଛାତ୍ରଙ୍କୁ କାଢିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ପହଞ୍ଚି ଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ତେଣୁ ଦଙ୍ଗା ଭଳି ଅପ୍ରିତିକର ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ଯାନ ଆସି ପହଞ୍ଚିଛି । ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ବିଭିନ୍ନ ବିଭାଗର ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ପରଖିବା ପାଇଁ ହଷ୍ଟେଲରେ କୁଳପତି ଓ ପିଜି କାଉନସିଲ ଚେୟାରମ୍ୟାନ ଆସି ପହଞ୍ଚିଛନ୍ତି । ସମସ୍ତ ବରିଷ୍ଠ ଅଧିକାରୀ ଏବଂ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ହଷ୍ଟେଲ ଯାଞ୍ଚ କରି ସମସ୍ତ ଅଣଛାତ୍ରଙ୍କୁ କଢାଯାଉଛି ।  

​​​​​​​କହି ରଖୁକି, ସଞ୍ଜ ବୁଡି଼ଲେ ବାଣୀବିହାର ମୁଖ୍ୟ ଫାଟକ ଦେଇ ମାଳମାଳ  ଟ୍ୟାକ୍ସି(ଓଲା, ଉବର, ଓଡି଼ଶା ଯାତ୍ରୀ) କ୍ୟାମ୍ପସକୁ  ପଶୁଛନ୍ତି । ଟ୍ୟାକ୍ସିରେ ଚାଳକଙ୍କୁ ବାଦ୍‌ ଦେଲେ, ଜଣେ ବି ଯାତ୍ରୀ ବସିନଥାନ୍ତି । କାଳେ କେହି ଛାତ୍ର କି କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ ଟ୍ୟାକ୍ସି ବୁକ୍‌ କରିଥିବ,  ସେକଥା ଭାବି ସିକ୍ୟୁରିଟି ଗାର୍ଡ ବି ଚେକିଂ କରନ୍ତି ନାହିଁ ।  ଟ୍ୟାକ୍ସିଗୁଡି଼କ ବି ସିଧା ହଷ୍ଟେଲରେ ଲାଗେ । ହେଲେ,  ଟ୍ୟାକ୍ସିରେ କେହି ଯାତ୍ରୀ ଉଠନ୍ତିନି । ବରଂ, କାରଗୁଡ଼ିକ  ହଷ୍ଟେଲ ସାମ୍ନାରେ ରାତିଯାକ ପାର୍କିଂ ହୋଇ ରହୁଛି। ଆଉ  ସକାଳ ହେଲେ, ପୁଣି କ୍ୟାମ୍ପସରୁ ବାହାରି ଯାଉଛି । କଥା କ’ଣ ବୁଝୁବୁଝୁ ଜଣାପଡି଼ଲା, ଏସବୁ  ଟ୍ୟାକ୍ସି ଚାଳକଙ୍କ ରାତ୍ରି ରହଣୀସ୍ଥଳ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସ । ଯେଉଁ ହଷ୍ଟେଲକୁ ନେଇ ଦୀର୍ଘବର୍ଷ ହେବ ବାଦବିବାଦ ଲାଗି ରହିଛି ।  କିଛି ଦିନ ତଳେ କ୍ୟାମ୍ପସରେ ଅନେକ ଥର ଅଣଛାତ୍ରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ସେସବୁ  ହଷ୍ଟେଲ ଏବେ ଟ୍ୟାକ୍ସି ଚାଳକଙ୍କ କବ୍‌ଜାରେ । ଦିନେ କି ଦୁଇଦିନ ନୁହେଁ, କିଛି ମାସ ଧରି ସେମାନେ ହଷ୍ଟେଲ ରୁମ୍‌ରେ ରାତ୍ରୀଯାପନ କରୁଛନ୍ତି । କେବଳ  ଟ୍ୟାକ୍ସି ନୁହେଁ, ସମାନ ଢ଼ଙ୍ଗରେ ଅନ୍‌ଲାଇନ୍‌ ପାର୍ସଲ  ସଂସ୍ଥାର ଡେଲିଭରି ବୟ ମଧ୍ୟ କ୍ୟାମ୍ପସରେ ରାତି ବିତାଉଛନ୍ତି । ଛାତ୍ର ଓ ଅଣଛାତ୍ରଙ୍କ ସଲାସୁତରାରେ ବାଣୀବିହାରରେ ଏହି ସିଣ୍ଡିକେଟ୍‌ ଚାଲିଛି ।