ଭୁବନେଶ୍ବର,୨୭/୧୨: ଦୀର୍ଘ ୧୮ ମାସ ମଧ୍ୟରେ ନୂତନ ସରକାର ଭିତରେ ରାଜ୍ୟ ସାରା ଦେଶରେ ଚରମ ଭାବେ ନିନ୍ଦିତ ହୋଇଛି । ମହିଳା ଅସଦାଚରଣ, ମହିଳାଙ୍କ ବିରୁଦ୍ଧରେ ଅପରାଧରେ ଓଡ଼ିଶା ଦେଶରେ ପ୍ରଥମ ଓ ମହାରାଷ୍ଟ୍ର ଦ୍ଵିତୀୟ ସ୍ଥାନରେ ରହିଛି । ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା । ବିଧାନସଭାରେ ଯାହା ସରକାର ବିବୃତି ଦେଇଛନ୍ତି, ତାହା ଅନୁଯାୟୀ ୧୮ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାର ୯୪୭ ଘଟଣା ରୁଜୁ ହୋଇଛି ବୋଲି ତଥ୍ୟ ରଖିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା।

ସେ କହିଛନ୍ତି, 'ଗତ ୧୮ ମାସ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ୩,୨୦୫ ମାମଲା, ଦୁଷ୍କର୍ମ ଉଦ୍ୟମ ୨୦୨ ମାମଲା, ବିବାହର ମିଥ୍ୟା ପ୍ରଲୋଭନ ୪୪୦ ମାମଲା, ଶୋଷଣ ୯,୮୫୧ ମାମଲା, ଯୌନ ନିର୍ଯାତନା ୧,୪୭୬ ମାମଲା, ସାର୍ବଜନୀନ ସ୍ଥାନରେ ଅସଦାଚରଣ ୨,୩୧୦ ମାମଲା, ଅପହରଣ ୮,୮୬୩ ମାମଲା, ଯୌତୁକ ନିର୍ଯାତନା ୫,୮୬୧ ମାମଲା, ଶୋଷଣ ଏବଂ ନିର୍ଯାତନା ୬,୭୭୩ ମାମଲା ଏବଂ ଯୌତୁକଜନିତ ମୃତ୍ୟୁ କ୍ଷେତ୍ରରେ ୪୯ଟି ମାମଲା ରୁଜୁ ହୋଇଛି ।'

ଗତ ୧୫ ଦିନ ମଧ୍ୟରେ ୫ ଟି ଜାଗାରେ ଦୁଷ୍କର୍ମ ହୋଇଛି । ଚାନ୍ଦବାଲିରେ ଗୋଟିଏ, ଭୁବନେଶ୍ୱରରେ ୨ ଟି, କଟକରେ ଗୋଟିଏ, ବାରିପଦାରେ ଗୋଟେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଗତକାଲି ମଧ୍ୟ ରାତ୍ରୀରେ ବ୍ରହ୍ମଗିରିରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଗତ ୨ ମାସ ତଳେ ବାଲି ହରଚଣ୍ଡିରେ ମହିଳା ନିର୍ଯାତନା ଘଟଣା ଘଟିଥିଲା ଆଉ ଏବେ ଅନ୍ୟ ଏକ ମହିଳା ଦୁଷ୍କର୍ମ ପୁଣି ଆଜି ରାଜ୍ୟକୁ ନିନ୍ଦିତ କରିଛି ବୋଲି କହିଛନ୍ତି ସଞ୍ଜୟ।

ବ୍ରହ୍ମଗିରି ଏକ ବିଶ୍ବ ପର୍ଯ୍ୟଟନ ସ୍ଥଳୀ । ଗତକାଲି ଜଣେ ଦିବ୍ୟଙ୍ଗ ଝିଅକୁ ଦୁଷ୍କର୍ମ କରାଯାଇଛି, ତାହା ବ୍ରହ୍ମଗିରିକୁ ପୁଣି ନିନ୍ଦିତ କରିଛି । ଗତ ୧୦ ଦିନ ତଳେ ନିଜ ଭିଟାମାଟି ପାଇଁ ମହିଳା ମାନେ ଯେତେବେଳେ ଲଢ଼ୁଥିଲେ ସେତେବେଳେ ପୁରୀ ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମଗିରି ପୋଲିସ ତାଙ୍କୁ ବାନ୍ଧି ଥାନାକୁ ପଠାଇଥିଲେ । ଏହା ସ୍ପଷ୍ଟ କରୁଛି ଯେ ବ୍ରହ୍ମଗିରି ରେ ଚାଲିଛି କଣ ? ଯାହା ବ୍ରହ୍ମଗିରିରେ ଘଟୁଛି ତାହାକୁ ମୁଁ ନିନ୍ଦା କରିଛି ଓ ପର୍ଯ୍ୟଟନ ଋତୁରେ ପୋଲିସ ପ୍ରଶାସନର ଏହିଭଳି ଆଭିମୁଖ୍ୟ କେବେ ବି ଗ୍ରହଣୀୟ ନୁହେଁ । ଏହା ଆମକୁ ନିନ୍ଦିତ କରିଛି । ନୂତନ ଡବଲ ଇଞ୍ଜିନ ସରକାରରେ ବାଟବଣା ହୋଇଛି ଆଇନ ଶୃଙ୍ଖଳା ସ୍ଥିତି । ବ୍ୟାପକ ପୋଲିସ ବ୍ୟବସ୍ଥା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ମହିଳା ଅତ୍ୟାଚାରରେ ପ୍ରଥମ ସ୍ଥାନ ଭଳି କଳଙ୍କକୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା।