ଚେନ୍ନାଇ,୦୧/୦୮: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ୍‌ (ଓପିଏସ୍‌)  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ହାତ  ଛାଡିଛନ୍ତି । ଓପିଏସ୍‌ଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍‌କେ କ୍ୟାଡର୍ସ ରାଇଟ ରିଟ୍ରିଭାଲ କମିଟି ଏହି ଘୋଷଣା କରିଛି । 

ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ  ଏମ୍‌.କେ ଷ୍ଟାଲିନ ପ୍ରାତଃଭ୍ରମଣ କରୁଥିବା ସମୟରେ ଓପିଏସ୍‌ଙ୍କୁ  ଭେଟିଥିଲେ । ଉଭୟଙ୍କ ମଧ୍ୟରେ କିଛି ମିନିଟର କଥାବାର୍ତ୍ତା ହୋଇଥିଲା । ଏହା ପରେ ଓପିଏସ୍‌ଙ୍କ ନେତୃତ୍ୱାଧୀନ କମିଟି ଏନ୍‌ଡିଏ ଛାଡିବାକୁ ଘୋଷଣା କଲା । କମିଟିର ଉପଦେଷ୍ଟା ପନରୁତି ଏସ୍‌ ରାମଚନ୍ଦ୍ରନ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ତାଙ୍କ ଗୋଷ୍ଠୀ ଏନ୍‌ଡିଏ ସହ ସବୁ ସମ୍ପର୍କ ତୁଟାଇଛି । ବର୍ତ୍ତମାନ ଓପିଏସ୍‌ ସମଗ୍ର ରାଜ୍ୟ ଗସ୍ତ କରିବେ । ବିଭିନ୍ନ ଲୋକଙ୍କୁ ଭେଟିବେ । ଏହା ପରେ ସଙ୍ଗଠନର  ଆଭିମୁଖ୍ୟ କଣ ରହିବ ତାହା ସ୍ଥିର କରାଯିବ । ଆସନ୍ତାବର୍ଷ ବିଧାନସଭା  ନିର୍ବାଚନ ହେବ । ସଙ୍ଗଠନ କାହା ସହିତ  ମେଣ୍ଟ କରିବ ପରବର୍ତ୍ତୀ ସମୟରେ ନିଷ୍ପତ୍ତି  ନିଆଯିବ । ପୂର୍ବରୁ ଓପିଏସ୍‌ ଅଭିଯୋଗ  କରିଥିଲେ ଯେ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ତାମିଲନାଡୁ  ପାଇବାକୁ ଥିବା ୨,୧୫୧ କୋଟି ଟଙ୍କା  ଅଟକାଇ ରଖିଛନ୍ତି । ତ୍ରିଭାଷୀକୁ କାର୍ଯ୍ୟକାରୀ  କରିବାକୁ ଡିଏମ୍‌କେ ସରକାର ମନା  କରିବାରୁ କେନ୍ଦ୍ର ସରକାର ଅନୁଦାନ  ଦେଉ ନଥିବା ସେ କହିଥିଲେ । 

ଗତ  ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତରେ  ଆସିଥିଲେ । ଏହି ସମୟରେ ଓପିଏସ୍‌  ତାଙ୍କୁ ଭେଟିବାକୁ ଚାହିଁଥିଲେ । ହେଲେ  ଅନୁମତି ମିଳି ନଥିଲା । ଏନ୍‌ଡିଏରେ  ଥାଇ ମଧ୍ୟ ସହଯୋଗ ମିଳୁ ନଥିଲା ।  ଏଥିରେ କ୍ଷୁବ୍ଧ ହୋଇ ସେ ଏନ୍‌ଡିଏ  ଛାଡିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ  ଯେ ୨୦୨୨ରେ ଏଆଇଏଡିଏମ୍‌କେରୁ  ବହିଷ୍କୃତ ହେବା ପରେ ଓପିଏସ୍‌ ପୃଥକ ସଙ୍ଗଠନ ଗଢ଼ିଛନ୍ତି।