ନୂଆଦିଲ୍ଲୀ ୦୪/୦୧:  ତିମି କାନ୍ଦୁଛି । ସନ୍ତାନ ବିୟୋଗ ଦୁଃଖରେ ସେ ଭାଙ୍ଗିପଡ଼ିଛି । ତା’ ଦୁଃଖରେ ସାରା ବିଶ୍ୱ ଶୋକ କରୁଛି । ୨୦୧୮ ମସିହାରେ ଏହି କିଲର୍‌ ହ୍ୱେଲ୍‌ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ନିଜର ଏକ ନବଜାତ ଛୁଆର ମୃତ ଶରୀରକୁ ଦୀର୍ଘ ୧୭ ଦିନ ଧରି ସେ ବୋହି ନେଉଥିବାର ଦୃଶ୍ୟ ବୈଜ୍ଞାନିକଙ୍କୁ ଚକିତ କରିଥିଲା । ସେଇ ତିମି ଉପରେ ପୁଣି ଥରେ ଦୁଃଖର ପାହାଡ଼ ଖସିପଡ଼ିଛି । ସେ ପୁଣି ଶୋକରେ ବୁଡ଼ିଛି ।

ତାଲେକ୍ୱା ନାମକ ଏହି ତିମି ଆଉ ଏକ ଛୁଆକୁ ହରାଇଛି । ଗତ ଥର ଭଳି ପୁଣି ଥରେ ନିଜର ମୃତ ଛୁଆକୁ ସେ ବୋହି ନେଉଛି । ସେଣ୍ଟର୍‌ ଫର ହ୍ୱେଲ ରିସର୍ଚ୍ଚ ଏହା ସ୍ପଷ୍ଟ କରିଛି । ଏ ଥର ତାଲେକ୍ୱାକୁ ଆମେରିକାର ୱାଶିଂଟନ୍‌ ଷ୍ଟେଟ୍‌ ତଟରେ ଚିହ୍ନଟ କରାଯାଇଛି । କିଲର୍‌ ହ୍ୱେଲ୍‌ ସାଧାରଣତଃ ନିଜର ମୃତ ଛୁଆଙ୍କୁ ସପ୍ତାହେ ପର୍ଯ୍ୟନ୍ତ ପାଣିରେ ବୋହି ପହଁରନ୍ତି । କିନ୍ତୁ ୨୦୧୮ ମସିହା ପରଠୁ ତାଲେକ୍ୱା ନୂଆ ରେକର୍ଡ କରିଛି । ସେଣ୍ଟର୍‌ ଫର୍‌ ହ୍ୱେଲ୍‌ ରିସର୍ଚ୍ଚ ଅନୁସାରେ, ତିମିଙ୍କ ପାଇଁ ନିଜ ଛୁଆର ମୃତ୍ୟୁ ବଡ଼ କ୍ଷତି । କିନ୍ତୁ ତାଲେକ୍ୱାର ଅତୀତକୁ ଯଦି ଦେଖାଯାଏ, ନବଜାତକର ମୃତ୍ୟୁ ତା’ ପାଇଁ ସବୁଠୁ ଯନ୍ତ୍ରଣାଦାୟକ ଥିଲା । ସଦର୍ନ ରେସିଡେଣ୍ଟ୍‌ କିଲର୍‌ ହ୍ୱେଲ୍‌ଙ୍କ ଅଧ୍ୟୟନ ଓ ସଂରକ୍ଷଣ ପାଇଁ କାମ କରୁଥିବା ଦ ସେଣ୍ଟର୍‌ ଫର ହ୍ୱେଲ୍‌ ରିସର୍ଚ୍ଚ ଅନୁସାରେ, ରେକର୍ଡରେ ଥିବା ୪ ଛୁଆଙ୍କ ମଧ୍ୟରୁ ତାଲେକ୍ୱା ଅଦ୍ୟାବଧି ଦୁଇଟି ଛୁଆ ହରାଇ ସାରିଛି । ଉଭୟ ମାଈ । 

ଉଭୟ କାନାଡ଼ା ଓ ଆମେରିକା ସଦର୍ନ ରେସିଡେଣ୍ଟ୍‌ କିଲର୍‌ ହ୍ୱେଲ୍‌ଙ୍କୁ ଲୁପ୍ତପ୍ରାୟ ଶ୍ରେଣୀରେ ରଖିଛନ୍ତି । ହ୍ୱେଲ୍‌ ଖାଦ୍ୟ ପାଇଁ ଚିନୁକ୍‌ ସାଲମନ ମାଛ ଉପରେ ନିର୍ଭର କରନ୍ତି, ଯେଉଁମାନେ କିଛି ବର୍ଷ ମଧ୍ୟରେ ନାଟକୀୟ ଭାବେ ଲୋପ ପାଇଛନ୍ତି । ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁସାରେ, ପୋଷଣ ଅଭାବରୁ ତିମି ପ୍ରଜନନରେ ବିଫଳ ହେଉଛନ୍ତି । ତିମି ଦିନକୁ ହାରାହାରି ୧୨୦ କିମି ଯାତ୍ରା କରିପାରନ୍ତି । ତାଲେକ୍ୱା ତିମି ୨୦୧୮ ମସିହାରେ ବ୍ରିଟିଶ କୋଲମ୍ବିଆର ଭିକ୍ଟୋରିଆ ତଟରେ ନିଜର ମୃତ ଶାବକକୁ ବୋହୁଥିବାର ଦେଖିବାକୁ ମିଳିଥିଲା ।