ନୂଆଦିଲ୍ଲୀ,୦୪/୦୪:ଆର୍ଟେମିସ୍‌-୨ ମିଶନ ଏବେ ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି । ଉତ୍‌କ୍ଷେପଣର ଦିନକ ପରେ ଶୁକ୍ରବାର ସକାଳ ୫.୧୯ରେ ଓରିଅନ୍‌ କ୍ୟାପ୍‌ସୁଲ ଥ୍ରିଷ୍ଟର୍‌ ଫାୟାର କରି ପୃଥିବୀ କକ୍ଷ ଛାଡ଼ିଲା । ୪ ଦିନ ଏହା ମହାକାଶରେ ଯାତ୍ରା କରି ଚନ୍ଦ୍ର ନିକଟରେ ପହଞ୍ଚିବ । କକ୍ଷକୁ ଛାଡ଼ି ଚନ୍ଦ୍ର ଅଭିମୁଖେ ଯିବା ପାଇଁ ଇଞ୍ଜିନ ଫାୟାର କରିବାର ପ୍ରକ୍ରିୟାକୁ ‘ଟ୍ରାନ୍ସଲୁନାର ଇଞ୍ଜେକ୍ସନ୍‌ ବର୍ନ’ କୁହାଯାଏ । ଏହା ପ୍ରାୟ ୬ ମିନିଟ୍‌ର ମାନ୍ୟୁଭର ଥିଲା । 

ଏଥିରେ ଯାନର ବେଗ ବଢ଼ାଇ ଘଣ୍ଟା ପ୍ରତି ପ୍ରାୟ ୩୪ ହଜାର କିମି କରାଗଲା । ଆର୍ଟେମିସ୍‌-୨ ଏବେ ‘ଫ୍ରି-ରିଟର୍ନ ଟ୍ରାଜେକ୍ଟୋରୀ’ରେ ଯାତ୍ରା କରୁଛି । ଯାତ୍ରା ସମୟରେ କେବଳ ଛୋଟ ଛୋଟ ସୁଧାର ପାଇଁ ଇଞ୍ଜିନକୁ ଫାୟାର କରାଯିବ । ଏହା ଅତ୍ୟନ୍ତ ସମ୍ବେଦନଶୀଳ । ମାର୍ଗରେ ଟିକିଏ ବି ତ୍ରୁଟି ହେଲେ ଯାନ ମହାକାଶରେ ଦିଶାହୀନ ଘୂରି ବୁଲିପାରେ । ଆସନ୍ତା ୫ ତାରିଖ ଅର୍ଥାତ୍‌ ମିଶନର ୫ମ ଦିନ ସୁଦ୍ଧା ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁ କ୍ୟାପ୍‌ସୁଲର ବେଗ ଧୀମା ହେବ । ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ରରେ ପ୍ରବେଶ କରିବା ମାତ୍ରେ ଏହାର ଗତି ପୁନଃ ବଢ଼ିବ ଏବଂ ଏହା ଚନ୍ଦ୍ର ଅଭିମୁଖେ ଦ୍ରୁତ ବେଗରେ ଯାତ୍ରା କରିବ । ୬ଷ୍ଠ ଦିନ ଓରିଅନ୍‌ ଚନ୍ଦ୍ର ପୃଷ୍ଠଠୁ ମାତ୍ର ୬,୪୦୦ କିମି ଉପରୁ ଅତିକ୍ରମ କରିବ । ଏହି ସମୟରେ ମହାକାଶଯାତ୍ରୀ ଚନ୍ଦ୍ରର ସେହି ସ୍ଥାନକୁ ଦେଖିପାରିବେ, ଯାହା ପୃଥିବୀରୁ ଦେଖାଯାଉ ନାହିଁ । ଓରିଅନ୍‌ ଚନ୍ଦ୍ରର ପଛରୁ ଅତିକ୍ରମ କରିବା ସମୟରେ ପୃଥିବୀ ସହ ଏହାର ସମ୍ପର୍କ ଛିନ୍ନ ହୋଇପାରେ । 

ଆହୁରି ପଢନ୍ତୁ-ମେଡିକାଲ ଷ୍ଟୋର ପାଇଁ ନୂଆ ନିୟମ: ଏବେ ବିନା CCTVରେ ବିକ୍ରି ହୋଇପାରିବନି ଔଷଧ, କ୍ୟାମେରା ନଜରରେ ରହିବେ ଗ୍ରାହକ

ପ୍ରାୟ ୫୦ ମିନିଟ୍‌ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ । ଯାନ ପକ୍ଷରୁ ମିଶନ ନିୟନ୍ତ୍ରଣ ଲାଗି କୌଣସି ସଙ୍କେତ ମିଳିବ ନାହିଁ । ୭ମ ଦିନ ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ରରୁ ବାହାରି ଯାନ ପୁନଃ ପୃଥିବୀ ଅଭିମୁଖେ ଯାତ୍ରା କରିବ । ଆର୍ଟେମିସ୍‌-୨ର ମାର୍ଗ ଅନେକାଂଶରେ ୧୯୭୦ର ଆପୋଲୋ-୧୩ ମିଶନ ଭଳି । ୧୦ମ ଦିନ ଭାରତୀୟ ସମୟ ଅନୁସାରେ, ଆସନ୍ତା ୧୧ ତାରିଖ ସକାଳ ୬.୩୦ରେ ଓରିଅନ୍‌ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବ । ୬.୩୬ରେ ସାନ୍‌ ଡିଏଗୋ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଜଳାବତରଣ କରିବ । ଏହା ପରେ ଗଣମାଧ୍ୟମକୁ ମିଶନ ବିଷୟରେ ସୂଚନା ଦିଆଯିବ ।