ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜାନୁଆରୀରେ ହେବ ଓଏସ୍‌ଏସ୍‌ଟିଇଟି ପରୀକ୍ଷା, ୧୮୨ କେନ୍ଦ୍ରରେ ପରୀକ୍ଷା ଦେବେ ୫୦ ହଜାର ପରୀକ୍ଷାର୍ଥୀ

Published By : Prameya | December 5, 2024 9:49 AM

କଟକ, ୦୫/୧୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ହେବାକୁ ଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା  (ଓଏସ୍‌ଏସ୍‌ଟିଇଟି)-୨୦୨୪ ପାଇଁ ରାଜ୍ୟରେ ୫୦  ହଜାରରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ପେପର୍‌-୧ରେ ପରୀକ୍ଷା ଦେବା ପାଇଁ ୪୭ ହଜାରରୁ  ଅଧିକ ଅବେଦନ କରିଥିବା ବେଳେ ପେପର୍‌-୨ ପାଇଁ  ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ଆବେଦନ  କରିଥିବା ସୂଚନା ମିଳିଛି । ୫୦ ହଜାରରୁ ଅଧିକ  ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବାରୁ ପରୀକ୍ଷା  ଆୟୋଜନ ପାଇଁ ବିଭିନ୍ନ ଜିଲ୍ଲାରେ ୧୮୨ଟି କେନ୍ଦ୍ର ଚୟନ କରାଯାଇଛି । ପରୀକ୍ଷା ସମ୍ପର୍କରେ ଖୁବ୍‌ଶୀଘ୍ର  ବିଜ୍ଞପ୍ତି ପ୍ରକାଶ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।  

ଆସନ୍ତା ଜାନୁଆରୀରେ ଏହି ପରୀକ୍ଷା କରାଇବା ପାଇଁ  ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଶୁଣିବାକୁ ମିଳୁଛି ।  ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପରେ ବୋର୍ଡ ପକ୍ଷରୁ  ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ  କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍‌ଆର୍‌ରେ  ହେବ । ଓଏସ୍‌ଏସ୍‌ଟିଇଟିରେ ସାଧାରଣ ବର୍ଗର  ପରୀକ୍ଷାର୍ଥୀଙ୍କ ଲାଗି ପାସ୍‌ ମାର୍କ ୬୮ ନମ୍ବର ରହିଛି ।  ଏସ୍‌ସି, ଏସ୍‌ଟି, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ପାସ୍‌  ମାର୍କ ୫୩ ରହିଛି । ପେପର୍‌-୧, ପେପର୍‌-୨ ପରୀକ୍ଷା  ଲାଗି ସମାନ ମାର୍କ ରହିଛି ।  

ସୂଚନାଯୋଗ୍ୟ, ଓଏସ୍‌ଏସ୍‌ଟିଇଟି ଆବେଦନ  ପାଇଁ ଗତ ନଭେମ୍ବର ୧୯ରୁ ଡିସେମ୍ବର ୧ ତାରିଖ  ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ରହିଥିଲା । ଏଥିଲାଗି ବୋର୍ଡ  ପକ୍ଷରୁ ଦିଆଯାଇଥିବା ଲିଙ୍କ୍‌ ଆଧାରରେ ପ୍ରାର୍ଥୀମାନେ  ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.