କଟକ,୨୧/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ ଘଟଣା। ଆଜି ସନାତନ ବିଶୋଇ ଓ ରାମ୍‌ଜୀ ପ୍ରସାଦ ଗୁପ୍ତାଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ। ଦିନିକିଆ ରିମାଣ୍ଡରେ ଆଣି ଜେରା କରିବ। ପ୍ରଶ୍ନପତ୍ର ପ୍ରଘଟରେ ଏମାନେ କେଉଁ ଭୂମିକାରେ ଥିଲେ? କିଭଳି  ଏହି କାରବାରରେ ସମ୍ପୃକ୍ତ ହେଲେ? ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ?  ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ? ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ପଚରାଉଚାର କରିବ । ପ୍ରାୟ ୬ ଜଣଙ୍କୁ ଏହି ଜେରା ସମୟରେ ପଚରାଉଚରା କରାଯିବ। ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରି ଛାଡ଼ିବା ପରେ ପୂର୍ବତନ ଉପସଭାପତି ନିହାର  ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା ରହିଛି। ବୋର୍ଡ କାର୍ଯ୍ୟାଳୟର ଆହୁରି କେତେକ କର୍ମଚାରୀ ଓ ଏକ୍ସ କ୍ୟାଡର୍‌ ଶିକ୍ଷକ ସଂଘ  ନେତା ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନରରେ ରହିଛନ୍ତି ।

ନିକଟରେ  ଦୁଇଦିନିଆ ରିମାଣ୍ଡରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର  ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌  ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମିଶ୍ରଙ୍କୁ ଜେରା  ସମୟରେ କିଛି ଠୋସ୍‌ ତଥ୍ୟ ମିଳିଥିଲା । ଅଭିଯୁକ୍ତ ଦ୍ୱୟଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଜେଲ୍‌ରେ  ଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ସାଗରଗୁଡ଼ା ଗ୍ରାମର  ସନାତନ ବିଶୋଇ (୫୧) ଓ କଟକ ବାଦାମବାଡ଼ି  ନାରାୟଣ ଲେନ୍‌ ଅଞ୍ଚଳର ଦଲାଲ୍‌ ରାମ୍‌ଜୀ ପ୍ରସାଦ ଗୁପ୍ତା  (୫୧)ଙ୍କୁ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡ୍‌ରେ ଆଣିବ । ଅଭିଯୁକ୍ତ  ବିଶୋଇ ଓ ଗୁପ୍ତାକୁ ଦୁଇଦିନିଆ ରିମାଣ୍ଡ୍‌ରେ ଆଣିବା  ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ କଟକ ଜେଏମ୍‌ଫ୍‌ସି-୩ କୋର୍ଟରେ  ଆବେଦନ କରିଥିଲା । କୋର୍ଟ ଏହାର ଶୁଣାଣି କରି ଅଭିଯୁକ୍ତ  ଦ୍ୱୟଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିଲେ ।ଆଜି ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡ ଆଣି ଜେରା କରିବ କ୍ରାଇମ୍‌ବ୍ରଞ୍ଚ ।

ଜିତନ ଓ ବିଜୟଙ୍କୁ ରିମାଣ୍ଡରେ ଆଣିବା ମଧ୍ୟରେ  କ୍ରାଇମ୍‌ବ୍ରାଞ୍ଚ୍‌କୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଲିକ୍‌ ଘଟଣାରେ  କମ୍ପ୍ୟୁଟର ଓ ପୁଳାଏ ପେନ୍‌ ଡ୍ରାଇଭ୍‌ ଜବତ ହୋଇଥିଲା ।  ଯାହାକି ଅଭିଯୁକ୍ତମାନଙ୍କ ବିରୋଧରେ ଅଦାଲତରେ  ବଳିଷ୍ଠ ପ୍ରମାଣ ହେବ । ନିହାରଙ୍କ ଲାପ୍‌ଟପ୍‌ରୁ ଜିତନ୍‌ ପ୍ରଶ୍ନ ନେଇ ପ୍ରଥମେ ବିଜୟଙ୍କ ଭାଇ ପାଖରେ ନୟାଗଡ଼ରେ  ପହଞ୍ଚାଇଥିଲା । ବିଜୟ ପ୍ରଶ୍ନ ନେଇ ସନାତନ ଓ  ରାମଜୀ ସମେତ ଅନ୍ୟ କାହା ପାଖରେ ପହଞ୍ଚାଇଥିଲା  ଏବଂ କେତେ ଟଙ୍କା କାରବାର ହୋଇଥିଲା ତାହାର  ପ୍ରମାଣ ଏବେ କ୍ରାଇମ୍‌ବ୍ରାଞ୍ଚ ଖୋଜି ବାହାର କରିବ । ଅନ୍ୟପକ୍ଷରେ ରାମଜୀ ଗୁପ୍ତା ପେସାଦାର ଦଲାଲ୍‌ ଭାବେ  ପ୍ରଶ୍ନ ବିକ୍ରି କରେ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି ଆରମ୍ଭରୁ  କହିଆସୁଛନ୍ତି । ରାମଜୀ କଟକରେ ରହୁଥିବାରୁ ବୋର୍ଡର  ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ତାର ଲିଙ୍କ୍‌ ଥିବା  କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଏଯାଏ କ୍ରାଇମ୍‌ବ୍ରାଞ୍ଚ୍‌ ୮  ଜଣଙ୍କୁ ଗିରଫ କରିଥିଲେ ହେଁ ଆହୁରି କିଛି ଶିକ୍ଷକ  ଗିରଫ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳୁଛି।