କଟକ,୧୨/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣା। ବୋର୍ଡର ଡାଟା ଏଣ୍ଟ୍ରି  ଅପରେଟର ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌  ଦୁଇ ଦିନିଆ ରିମାଣ୍ଡରେ ଆଣିଛି । ତଦନ୍ତକାରୀ ଟିମ୍‌ ଦୁଇ ଅଭିଯୁକ୍ତଙ୍କୁ ଚୌଦ୍ୱାର ଜେଲ୍‌ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲା । ମଧ୍ୟାହ୍ନ ଭୋଜନ ପରେ ଜିତନ ଓ ବିଜୟଙ୍କୁ ଅପରାହ୍ନ ୨ଟା  ବେଳକୁ ଜେରା ଆରମ୍ଭ ହୋଇଥିଲା । ଦୁଇ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ର ତୃତୀୟ ମହଲାରେ ପୃଥକ ସ୍ଥାନରେ ରଖି ଜେରା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ  ଦୁଇ ଘଣ୍ଟା ଜେରା କରିସାରିବା ପରେ ସେମାନଙ୍କୁ  ବିରତି ଦିଆଯାଇ ପୁଣି ସନ୍ଧ୍ୟା ୭ଟା ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ଆରମ୍ଭ କରାଯାଇଥିଲା ।  

ତେବେ ପ୍ରଥମ ଦୁଇ ଘଣ୍ଟା ଜେରାରେ ଜିତନ ପ୍ରଶ୍ନ ଲିକ୍‌ ଘଟଣାରେ ମିଛ ତଥ୍ୟ ଓ ସୂଚନା ଦେଉଥିବାରୁ ତଦନ୍ତକାରୀ ଟିମ୍‌ ତା' ଉପରେ ପ୍ରବଳ ବିରକ୍ତି ପ୍ରକାଶ କରିଥିଲେ । ପ୍ରଶ୍ନ ଚୋରିରେ ବ୍ୟବହାର ହୋଇଥିବା ପେନ୍‌ ଡ୍ରାଇଭ୍‌ ଓ ବୋର୍ଡ କାର୍ଯ୍ୟାଳୟରେ ଟାଇପ୍‌ କରିଥିବା ପ୍ରଶ୍ନ ଅଦ୍ୟାବଧି କ୍ରାଇମବ୍ରାଞ୍ଚ୍‌ର ହସ୍ତଗତ ହୋଇ ପାରିନାହିଁ । ମାମଲାରେ ଉକ୍ତ ଦୁଇଟିଯାକ ପ୍ରମାଣର ଗୁରୁତ୍ୱ ଥିବାରୁ ତାହାକୁ  ପାଇବା ପାଇଁ ତଦନ୍ତକାରୀ ଟିମ୍‌ ଉଦ୍ୟମ ଚଳାଇଛି । ନିଲମ୍ବିତ ଉପସଭାପତି ନିହାର ରଂଜନ ମହାନ୍ତିଙ୍କ ଲାପଟପ୍‌ରୁ ପେନ୍‌ ଡ୍ରାଇଭ୍‌ରେ ପ୍ରଶ୍ନ ନେଇ ଟାଇପ୍‌ କରି ପ୍ରିଣ୍ଟ୍‌ ଆଉଟ୍‌ ହୋଇଥିବା ପ୍ରଶ୍ନ ସହ ଉତ୍ତରର ମୂଳ ପ୍ରିଣ୍ଟ ଆଉଟ୍‌ କାଗଜକୁ ଲିଙ୍କ୍‌ ରୋଡ଼ରେ ଚିରି  ଫିଙ୍ଗି ଦେଇଥିଲା ବୋଲି ଜିତନ ଜେରା ସମୟରେ  ସ୍ୱୀକାର କରିଥିବା ଜଣେ ଅଧିକାରୀ କହିଛନ୍ତି । 

ଗିରଫ ନିହାରଙ୍କ ସହ ଜିତନର ଲିଙ୍କ୍‌ ସମ୍ପର୍କରେ ତଦନ୍ତକାରୀ ଟିମ୍‌ ପାଖରେ ଗଦାଗଦା ପ୍ରମାଣ ଥିବାରୁ ସେ ଜେରା ସମୟରେ ମିଛ କହିବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଛ ଧରା ପଡ଼ିଯାଇଥିଲା । ଅନ୍ୟପକ୍ଷରେ ପ୍ରଶ୍ନ ଚୋରି  କରିବା ପୂର୍ବରୁ ଜିତନ୍‌ ସହ ଅନେକ କିଛି ଶିକ୍ଷକ  ନେତା ଯୋଗାଯୋଗରେ ଥିବା ତା'ର କଲ୍ ଡିଟେଲ୍‌ସ୍‌  ରିପୋର୍ଟ (ସିଡିଆର୍‌)ରୁ ପ୍ରମାଣ ମିଳିଛି । ସିଡିଆର୍‌ରୁ ମିଳିଥିବା ତଥ୍ୟ ଆଧାରରେ ଜେରା ଚାଲିଥିବାରୁ  ଅକଳରେ ପଡ଼ି ଜିତନ ଅନେକ କଥା ତଦନ୍ତକାରୀ  ଅଫିସରଙ୍କ ନିକଟରେ ସ୍ୱୀକାର କରିଥିବା ସୂଚନା  ମିଳିଛି । ବିଶେଷ କରି ନିହାରଙ୍କ ସିଣ୍ଡିକେଟ୍‌ରେ ଆଉ  କେଉଁମାନେ ଅଛନ୍ତି ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ  ଗୁରୁତ୍ୱ ଦେଇଥିଲା । ନିହାରଙ୍କ ସହ କିଛି ଶିକ୍ଷକଙ୍କର  ଯୋଗାଯୋଗ ଥିବା ଜିତନ କହିବା ପରେ କେଉଁ  ଶିକ୍ଷକଙ୍କ ସହ ତାଙ୍କର ଲିଙ୍କ୍‌ ଥିଲା ତାହା ଜାଣିବା ପାଇଁ  କ୍ରାଇମବ୍ରାଞ୍ଚ୍‌ର ଅନ୍ୟ ଏକ ଟିମ୍‌ ଖୋଳତାଡ଼ ଚଳାଇଛି ।  

ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ର ଅନ୍ୟ ଏକ ଟିମ୍‌ ପୃଥକ ଭାବେ ଜେରା କରିଥିଲା । ଅଭିଯୁକ୍ତ ଜିତନ ସହ ବିଜୟଙ୍କର ଦୀର୍ଘ ଦିନର ପରିଚୟ ରହିଛି । ଜିତନ୍‌ ଉପସଭାପତିଙ୍କ  ପ୍ରକୋଷ୍ଠରୁ ପ୍ରଶ୍ନ ଆଣିପାରିବାର ସୁଯୋଗ ଥିବାରୁ ମୁଁ  ତାକୁ ଟଙ୍କା ଦେଇ କିଣିଥିଲି ବିଜୟ କହିଛନ୍ତି । ଉଭୟ  ଅଭିଯୁକ୍ତଙ୍କୁ ପ୍ରଥମ ଦିନ ପ୍ରାୟ ୬ ଘଣ୍ଟା ଧରି  ଜେରା କରାଯାଇଛି । ଏ ସମ୍ପର୍କରେ ଡିଆଇଜି ବାତୁଲା  ଗଙ୍ଗାଧର ପ୍ରତିକ୍ରିୟାରେ କହିଛନ୍ତି, ଜିତନ ଓ ବିଜୟଙ୍କୁ  ତଦନ୍ତକାରୀ ଅଫିସର ଜେରା କରି ସେମାନଙ୍କର  ଟିକିନିଖି ବୟାନ ରେକର୍ଡ କରୁଛନ୍ତି । ରେକର୍ଡ ହେଉଥିବା  ବୟାନକୁ ମୁଁ ଅନୁଧ୍ୟାନ କରିବା ପରେ ଜେରା କରିବି ।  ମଙ୍ଗଳବାର ଜେରା ସରିବା ପରେ ଅଭିଯୁକ୍ତ ଦ୍ୱୟଙ୍କୁ  ବୁଧବାର କୋର୍ଟରେ ହାଜର କରାଇ ଜେଲ୍‌ରେ ଛଡ଼ାଯିବ ।