ନଭେମ୍ବର ପ୍ରଥମ ସପ୍ତାହ ଶେଷ ହୋଇ ଦ୍ୱିତୀୟ ସପ୍ତାହ ଆରମ୍ଭ ହେଲାଣି । ଏ ମାସରେ ବେଶ୍ କେତୋଟି ସିରିଜ୍ର ସିକ୍ୱେଲ୍ ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ, ଯାହା ଆପଣଙ୍କୁ ମାସସାରା ବାନ୍ଧି ରଖିବ । ପ୍ରତିଶୋଧର ଭାବନା ଓ କ୍ଷମତା ପାଇଁ ଛକାପଞ୍ଝାରେ ଭରପୂର ରାଜନୈତିକ ଥ୍ରୀଲରରୁ ଆରମ୍ଭ କରି ଭିନ୍ନ ଦୁନିଆର ରାକ୍ଷସଙ୍କ ସହ ସାମ୍ନାସାମ୍ନି ଉପରେ ଆଧାରିତ ସାଇନ୍ସ-ଫିକ୍ସନ ବିଷୟ ଆପଣଙ୍କ ମନକୁ ପାଇବ । ଆଉ ଡେରି ନ କରି ପପ୍କର୍ନ ପ୍ୟାକେଟ ନେଇ ବସିଯାଆନ୍ତୁ ଓ ଉପଭୋଗ କରନ୍ତୁ ଏସବୁ ମନଛୁଆଁ କାର୍ଯ୍ୟକ୍ରମ ।
ଦ ଫ୍ୟାମିଲି ମ୍ୟାନ ସିଜନ୍ ୩
ଆପଣଙ୍କ ମନପସନ୍ଦ ଫ୍ୟାମିଲିର ମୁଖିଆ, ମନୋଜ ବାଜପେୟୀ ଓରଫ ଶ୍ରୀକାନ୍ତ ତିୱାରୀ ପୁଣି ଥରେ ଆପଣଙ୍କର ମନୋରଞ୍ଜନ ନିମନ୍ତେ ଓଟିଟିରେ ଆସୁଛନ୍ତି । କଥା ହେଉଛି, ମନୋଜଙ୍କ ଖୁବ୍ ଲୋକପ୍ରିୟ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ’ର ତୃତୀୟ ସଂସ୍କରଣ ଏ ମାସରେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଏହି ଥ୍ରୀଲର୍ ଏଭଳି ଜଣେ ଜାସୁସ୍ର କାହାଣୀ, ଯିଏ ନିଜ ଦେଶ ଓ ପରିବାର ଉଭୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ସର୍ବଦା ପ୍ରୟାସ କରୁଥାଏ । ଏହାର ପୂର୍ବବର୍ତ୍ତୀ ଦୁଇ ସିଜନ୍ ଖୁବ୍ ସଫଳତା ସାଉଁଟିଥିଲା । ଆଶା କରାଯାଉଛି, ତୃତୀୟ ସଂସ୍କରଣ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବ । ‘ଦ ଫ୍ୟାମିଲି ମ୍ୟାନ୍ ସିଜନ୍ ୩’ରେ ଜୟଦୀପ ଅଲାୱତ ଓ ନିମ୍ରତ କୌର ମଧ୍ୟ ମନୋଜ ବାଜପେୟୀଙ୍କ ସୋ’ରେ ସାମିଲ ହୋଇଛନ୍ତି । ନଭେମ୍ବର ୨୧ରୁ ପ୍ରାଇମ୍ ଭିଡିଓରେ ଆପଣ ଏ ସିରିଜ୍କୁ ଦେଖିପାରିବେ ।
ଦିଲ୍ଲୀ କ୍ରାଇମ୍ ସିଜନ୍ ୩
ଯଦି ଆପଣ କ୍ରାଇମ୍ ଥ୍ରୀଲର ଦେଖିବାକୁ ପସନ୍ଦ କରୁଥାନ୍ତି, ତା’ହେଲେ ‘ଦିଲ୍ଲୀ କ୍ରାଇମ୍ ସିଜନ ୩’ ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଶେଫାଳୀ ଶାହ ପୁଣି ଥରେ ‘ଦିଲ୍ଲୀ କ୍ରାଇମ୍’ର ତୃତୀୟ ସଂସ୍କରଣ ଜରିଆରେ ଡିଆଇଜି ବର୍ତ୍ତିକା ଚତୁର୍ବେଦୀ ରୂପରେ ଫେରୁଛନ୍ତି । ଏଥର ସେ ଇଣ୍ଟରନ୍ୟାସନାଲ ହ୍ୟୁମାନ ଟ୍ରାଫିକିଙ୍ଗ୍ ବା ଅନ୍ତର୍ଜାତୀୟ ମାନବ ତସ୍କରୀର ପର୍ଦ୍ଦାଫାସ୍ କରୁଥିବା ଦେଖିବାକୁ ମିଳିବେ । ଏହି କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ, ଯାହା ଜଣେ ଅନାଥ ବାଳକର ଅନୁସନ୍ଧାନରୁ ଆରମ୍ଭ ହୁଏ । ଏଥର ସିରିଜ୍ରେ ହୁମା କୁରେସି ନୂଆ ଖଳନାୟିକା ରୂପରେ କଳାକାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଥ୍ରୀଲ୍ ଓ ଏକ୍ସାଇଟ୍ମେଣ୍ଟରେ ଭରପୂର ଏହି ସିରିଜକୁ ଆପଣ ୧୩ ତାରିଖରୁ ନେଟଫ୍ଲିକ୍ସରେ ଦେଖିପାରିବେ ।
ମହାରାନୀ ସିଜନ୍ ୪
ହୁମା କୁରେସିଙ୍କ ଧମାକାଦାର ପଲିଟିକାଲ୍ ଡ୍ରାମା ସିରିଜ୍ ‘ମହାରାନୀ’ର ଚତୁର୍ଥ ସିଜନ୍ ମଧ୍ୟ ଏହି ମାସରେ ରିଲିଜ ହେଉଛି । ଏହି ନୂଆ ସିଜନ୍ରେ କାହାଣୀ ପୁଣି ଥରେ ନୂଆ ମୋଡ଼ ନେଉଛି । କାରଣ ଏହା ବିହାରରୁ ଦିଲ୍ଲୀ ପହଞ୍ଚିଯାଇଛି । ମହତ୍ତ୍ୱାକାଂକ୍ଷା, ବିଶ୍ୱାସଘାତ ଓ ମୁଣ୍ଡ ବୁଲେଇ ଦେଉଥିବା ରଣନୀତି ସବୁ ଏହି ସିଜନର ତିନି ସ୍ତମ୍ଭ । ହୁମାଙ୍କ ସହିତ ସୋହମ ଶାହ ଓ ଅମିତ ସିୟାଲ, ଶାର୍ଦ୍ଦୁଲ ଭରଦ୍ୱାଜ ଓ ରାଜେଶ୍ୱରୀ ସଚଦେବ ଏଥିରେ ଦେଖିବାକୁ ମିଳିବେ । ୭ ତାରିଖରେ ସୋନି ଲିଭ ଓଟିଟି ପ୍ଲାଟଫର୍ମରେ ଏହି ସିରିଜ୍ ଷ୍ଟ୍ରିମ୍ ହୋଇଛି ।
ଷ୍ଟ୍ରେଞ୍ଜର୍ ଥିଙ୍ଗ୍ସ ସିଜନ୍ ୫
ଏହି ସିରିଜ୍ ତିନି ଭିନ୍ନଭିନ୍ନ ଭାଷାରେ ରିଲିଜ ହେବ । ପ୍ରଥମଥର ପାଇଁ ଏହି ଲୋକପ୍ରିୟ ସୋ’କୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ଏପିସୋଡ ୧-୪ ନଭେମ୍ବର ୨୬ରେ ରିଲିଜ ହେବ । ଏହା ପରେ ଏପିସୋଡ ୫-୭ ଡିସେମ୍ବର ୨୫ରେ ଆସିବ । ସିଜନ୍ର ଶେଷ ଅଂଶ (ଏପିସୋଡ-୮) ୧ ଜାନୁଆରୀ ୨୦୨୬ରେ ରିଲିଜ କରାଯିବ । ଏହି ସାଇନ୍ସ ଫିକ୍କନକୁ ଆପଣ ନେଟଫ୍ଲିକ୍ସରେ ଦେଖିପାରିବେ ।