ଭୁବନେଶ୍ୱର; ୯/୧: ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଦୁଇବର୍ଷ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପୁଣି ଥରେ ସଭାପତି ନିର୍ବାଚିତ ହୋଇଥିବା ବେଳେ କିଷାନ କୁମାର ରାଉତ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଦିନ ଅନୁଷ୍ଠିତ ୟୁନିଅନର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସ ସମାରୋହରେ ନିର୍ବାଚନ ଅଧିକାରୀ ଅଜୟ କୁମାର ଦାସ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭାବେ ପରୀକ୍ଷିତ ବିଶ୍ଵାଳ ଓ ସନ୍ତୋଷ କୁମାର ସିଂହଦେଓ ନିର୍ବାଚିତ ହୋଇଥିବା ବେଳେ ଅମୂଲ୍ୟ ରଞ୍ଜନ ସ୍ଵାଇଁ ପୁଣିଥରେ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଆଚାର୍ଯ୍ୟ ବିଶ୍ବରଂଜନ, ଦେବପ୍ରସାଦ ଦାସ, ଋତୁରାଜ ସିଂ ଓ ରୁପେସ କୁମାର ସାହୁ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ରବୀନ୍ଦ୍ର କୁମାର ମହାକୁଡ଼, ଶୁଭଙ୍କର ଜେନା, ଅଶୋକ କୁମାର ମହାକୁଡ଼ ଓ ସୁକାନ୍ତ ସାହୁ ସଙ୍ଗଠନ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ କାର୍ଯ୍ୟକାରୀ କମିଟିକୁ ୨୫ ଜଣ ନିର୍ବାଚିତ ହୋଇଛନ୍ତି। ସେହିପରି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ ଆଦିତ୍ୟ ମେକାପ, ଉପାଧ୍ୟକ୍ଷ ଭାବେ ଉପନ ସାହୁ ଓ ମେମ୍ବର ଭାବରେ ଅଜୟ ଦାସ, ପ୍ରଦୀପ୍ତ ମିଶ୍ର, ପ୍ରସାନ୍ତ ବେହେରାଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ଅପରାହ୍ନରେ ଓୟୂଜେ କାର୍ଯ୍ୟାଳୟରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥଲା। ପ୍ରତିଷ୍ଠା ଦିବସ ସମାରୋହରେ ନ୍ୟୁଜ ୭ ସାମ୍ବାଦିକ ନବ କୁମାର ସାହୁଙ୍କ ସହ ୩ ଜଣ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।