ବେରୁଟ୍, ୧୧/୦୪ : ଚାରିଆଡ଼େ ବିଛାଇ ହୋଇ ପଡ଼ିଛି ବିରାଟ ଅଟ୍ଟାଳିକା, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦିର ଧ୍ୱଂସାବଶେଷ । ଦିନେ ଲେବାନନବାସୀଙ୍କ ସୁରକ୍ଷାର ଠିକଣା ଥିବା ଘର ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଆବାସସ୍ଥଳୀଗୁଡ଼ିକ କବରସ୍ତାନ ପାଲଟିଛି । ଆଶ୍ରୟର ଆଉ ସ୍ଥାୟୀ ଠିକଣା ନାହିଁ । ହିଜ୍ବୁଲ୍ଲା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ସେମାନଙ୍କୁ ଆତଙ୍କ ଭିତରେ ବଞ୍ଚିବାକୁ ବାଧ୍ୟ କରିଛି । ନିଜ ଘରଦ୍ୱାର ଛାଡ଼ି ଖୋଲା ଆକାଶ କିମ୍ବା ଅସ୍ଥାୟୀ ଟେଣ୍ଟ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଲେବାନନ ବାସିନ୍ଦା । ଗଣମାଧ୍ୟମ ପ୍ରତିନିଧି ସଂଗ୍ରହ କରିଥିବା ସେଠାକାର ଫଟୋରୁ ଇସ୍ରାଏଲ ଆକ୍ରମଣର ଭୟାବହତା ସ୍ପଷ୍ଟ ଭାବେ ଦେଖାଯାଉଛି । ଲେବାନନର ଟାୟର ଏବଂ ବେରୁଟ ଭଳି ସହର ଧ୍ୱଂସସ୍ତୂପ ପାଲଟିଛି ।
ରିପୋର୍ଟ ଅନୁସାରେ, ଗତ ମାର୍ଚ୍ଚ ୨ରୁ ଲେବାନନରେ ଅଦ୍ୟାବଧି ୧,୮୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି । ମୃତକଙ୍କ ମଧ୍ୟରେ ପ୍ରାୟ ୧୫୦ ହେଉଛନ୍ତି ଶିଶୁ । ଗତ ବୁଧବାର ଗୋଟିଏ ଦିନରେ ଇସ୍ରାଏଲ ଆକ୍ରମଣରେ ୨୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଅଦ୍ୟାବଧି ୫ ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନେ ହସ୍ପିଟାଲରେ ଭିଡ଼ ଜମାଇଥିଲେ ହେଁ ଡାକ୍ତରଖାନାରେ ଜୀବନ ରକ୍ଷାର ସଂଘର୍ଷ ଆହୁରି ବଳିଯାଇଛି । ଅଦ୍ୟାବଧି ୧୨ ଲକ୍ଷରୁ ଊର୍ଦ୍ଧ୍ୱ ବିସ୍ଥାପିତ ହେଲେଣି । ଘନ ଘନ ଆକ୍ରମଣ ଯୋଗୁ ଲେବାନନବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଖାଦ୍ୟପାନୀୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଯୋଗୁ ସେଠାରେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଲୋକେ ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି । ଲେବାନନ ସଙ୍କଟ ଉପରେ ଜାତିସଂଘ ଗମ୍ଭୀର ଚିନ୍ତାପ୍ରକଟ କରିଛି ।
ୟୁନିସେଫ୍ କହିଛି, ଲେବାନନରେ ଇସ୍ରାଏଲ ଆକ୍ରମଣର ସବୁଠୁ ଭୟାବହ ମୂଲ୍ୟ ଶିଶୁଙ୍କୁ ଦେବାକୁ ପଡ଼ୁଛି । ଗତ ୮ ତାରିଖରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକ୍ରେ ୩୩ ଶିଶୁଙ୍କ ମୃତ୍ୟୁ ଘଟିଛି ଏବଂ ୧୫୩ ଜଣ ଆହତ ହୋଇଛନ୍ତି । ମାର୍ଚ୍ଚ ଆରମ୍ଭରୁ ଅଦ୍ୟାବଧି ୬୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତାହତ ହେଲେଣି । ସେହିପରି ବିସ୍ଥାପିତଙ୍କ ମଧ୍ୟରେ ପ୍ରାୟ ୩ ଲକ୍ଷ ୯୦ ହଜାର ଶିଶୁ ରହିଛନ୍ତି । ଅନେକ ବିସ୍ଥାପିତଙ୍କୁ ବାରମ୍ବାର ଠିକଣା ବଦଳାଇବାକୁ ପଡ଼ୁଛି । ଏହି ହିଂସା ଶିଶୁଙ୍କୁ ଗଭୀର ମାନସିକ ଆଘାତ ଦେଉଛି । ଲେବାନନରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବଂ ମାନବୀୟ ସହାୟତା ପହଞ୍ଚାଯିବାକୁ ଜାତିସଂଘ ପକ୍ଷରୁ ସମସ୍ତ ପକ୍ଷଙ୍କୁ ଅପିଲ କରାଯାଇଛି । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍ପି) ଅନୁସାରେ, ଏପ୍ରିଲ ୯ ଯାଏ କେବଳ ୪ ଲକ୍ଷ୪୦ ହଜାର ବିସ୍ଥାପିତଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ପହଞ୍ଚିଛି । ସେହିପରି ସିରିଆ ସୀମା ପାର୍ କରିଥିବା ୮୫ ହଜାର ବିସ୍ଥାପିତଙ୍କୁ ଆପାତକାଳୀନ ସହାୟତା ଦିଆଯାଇଛି । ଅନ୍ୟମାନଙ୍କ ପାଖରେ ଏହି ସହାୟତା ପହଞ୍ଚିବା କଷ୍ଟକର ହେଉଛି ।
ବିଶେଷକରି ଲେବାନନର ଦକ୍ଷିଣ ଭାଗରେ ମାନବୀୟ ସହାୟତା ପହଞ୍ଚିବାରେ ଅନେକ ବାଧା ରହିଛି । ସେଠାକୁ ସହାୟତା ପହଞ୍ଚାଇବା ଲାଗି ସହଜରେ ଅନୁମତି ମିଳୁନାହିଁ । ଏହା ଲାଗି ରହିଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ଜାତିସଂଘ ଚେତାଇଛି । ଅନ୍ୟପକ୍ଷରେ ଭାରତ ମଧ୍ୟ ଲେବାନନରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏତେ ସଂଖ୍ୟାରେ ନାଗରିକଙ୍କ ମୃତ୍ୟୁ ଖବର ଚିନ୍ତାଜନକ । ଜାତିସଂଘର ଶାନ୍ତି ମିଶନ ୟୁଏନ୍ଆଇଏଫ୍ଆଇଏଲ୍ରେ ସୈନ୍ୟ ପଠାଉଥିବା ଭାରତ ଲେବାନନରେ ବି ଶାନ୍ତି ରକ୍ଷାର ଭାଗିଦାର । ସେଠାରେ ଏବେ ସ୍ଥିତି ଗମ୍ଭୀର ରହିଛି । ଅନ୍ତର୍ଜାତୀୟ ଆଇନ ପାଳନ କରିବା ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବା ବହୁତ ଜରୁରି ।
ଏହି ଖବରଟିକୁ ପଢନ୍ତୁ- ଏପଟେ ଜିଦ୍ ରେ ଇରାନ ସହ ଯୁଦ୍ଧ ଲଢି ଚାଲିଛନ୍ତି ଟ୍ରମ୍ପ, ସେପଟେ ଦେଶର ମୁଦ୍ରାସ୍ଫୀତି ଭାଙ୍ଗିଲାଣି ଦୁଇ ବର୍ଷର ରେକର୍ଡ…