ରାଜଗାଙ୍ଗପୁର,୦୧/୦୯: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ କବଜାରେ ଧଳା ଜହର ବେପାରୀ । ବ୍ରାଉନ ସୁଗର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୭ଜଣ ବେପାରୀଙ୍କୁ ଗିରଫ କରିଛି ପୁଲିସ୍ । ସେମାନଙ୍କ ନିକଟରୁ ୨୭ଗ୍ରାମ ୨୫୦ମିଲିଗ୍ରାମ ବ୍ରାଉନ ସୁଗର, ୨ଟି ବାଇକ୍ ଓ ଗୋଟିଏ ସ୍କୁଟି ସହ ୨ହଜାର ୯ଶହ ଟଙ୍କା ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନ ସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନେ ରାଜଗାଙ୍ଗପୁର ଅଞ୍ଚଳର ଏମଡି ସମସାଦ, ଏମଡି ନୌସାଦ ଓରଫ ଟେମ୍ପେ, ମୁସ୍ତାକ ଅନସାରୀ, ଗଜନୀ ଓରଫ ଏମଡି ସହିଦ ଖାନ, ଏମଡି ସଲିମ, ଏମଡି ମୁଝାଇଦ ଓରଫ ଛୋଟୁ ଏବଂ ରୋହିତ ସା ବୋଲି ଜଣାପଡ଼ିଛି ।

ଏସଡିପିଓ ବିଭୂତି ଭୂଷଣ ଭୋଈଙ୍କ ସୂଚନା ଅନୁସାରେ, ଅପରେସନ ଗଜରାଜରେ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗତ ରାତ୍ରିରେ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ସହରର ଘୋଘର ରୋଡ଼ରେ ଅତର୍କିତ ଚଢାଉ କରିଥିଲା । ଏହି ଚଢାଉରେ ପୁଲିସ ବ୍ରାଉନ ସୁଗର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି । ପୁଲିସର ଏହି ପଦକ୍ଷେପକୁ ରାଜଗାଙ୍ଗପୁର ସହରବାସୀ ପ୍ରଶଂସା କରିଛନ୍ତି।