ଭୁବନେଶ୍ୱର, ୦୨/୧୨: ଚାଷୀଙ୍କୁ ଆଶ୍ୱସ୍ତି । ଆଜି ରାଜ୍ୟରେ ସ୍ୱାଭାବିକ ହେବ ଧାନକିଣା ପ୍ରକ୍ରିୟା । ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବିଭିନ୍ନ ମିଲର୍ସ ଆସୋସିଏସନର କର୍ମକର୍ତ୍ତାଙ୍କ ସଫଳ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଜିଲ୍ଲା ଓ ରାଜ୍ୟ ମିଲର୍ସ ଆସୋସିଏସନର କର୍ମକର୍ତ୍ତା ଯୋଗଦେଇଥିଲେ । ଆଲୋଚନା ବେଳେ ମିଲର୍ସମାନେ ସେମାନଙ୍କ ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଥିଲେ । ଏଥିସହ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା । ମନ୍ତ୍ରୀ ସମସ୍ୟା ଶୁଣି ଏହା ଉପରେ ବିଚାର କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଧାନକ୍ରୟ ପାଇଁ ରାଜ୍ୟ ଯୋଗାଣ ନିଗମ ଓ କଷ୍ଟମ ମିଲର୍ସକ ବୁଝାମଣାପତ୍ର ସ୍ୱାକ୍ଷର ପରେ ମଙ୍ଗଳବାରଠୁ ଧାନ ସଂଗ୍ରହ ପାଇଁ କୁହାଯାଇଥିଲା । ବୈଠକରେ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନର ସଭାପତି ମହେଶ କୁମାର ବଂଶଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।