ଭୁବନେଶ୍ବର,୪।୧୧ :  ଧାନ କିଣାକୁ ନେଇ  ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବରଗଡ଼ ଜିଲ୍ଲାରୁ  ଆରମ୍ଭ ହେବ ଧାନ କିଣା । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

 ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ  ମଣ୍ଡି ରେ ରହିବେ ଅଧିକୃତ ଅଧିକାରୀ । ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ। 

ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପ୍ରତି ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ। ଚାଷୀ ଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ୱରିତ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ସୁରକ୍ଷା ,କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।