ନୂଆଦିଲ୍ଲୀ,୧୨/୧୦: ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ । ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି । କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ବର୍ଡରରେ ଯୁଦ୍ଧ ଜାରି ହୋଇଛି । ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ ରହିଛି । ପାକିସ୍ତାନ ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଥିଲା । ଏହା ପ୍ରତିଶୋଧ ନେଇ ପାକିସ୍ତାନ ଉପରେ ଆଫଗାନ ଆକ୍ରମଣ କରିଛି । ଏଥିରେ ୧୫ ପାକ୍‌ ସେନାଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନ ଗୁରୁବାର ବିଳମ୍ବିତ ରାତ୍ରିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଥିଲା । ଶନିବାର ଏହାର ଦୃଢ଼ ଜବାବ ଦେଇଛି ତାଲିବାନ୍ । ପାକିସ୍ତାନର ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିଅର କର୍ପସର ବିଭିନ୍ନ ଘାଟିକୁ ଟାର୍ଗେଟ୍‌ କରି ଜୋରଦାର ଆକ୍ରମଣ କରିଛି । ଏମିତି କି ଡୁରାଣ୍ଡ ରେଖାରେ ଥିବା କେତେକ ସାମରିକ ଭିତ୍ତିଭୂମି ଢାଞ୍ଚା ଉପରେ ମଧ୍ୟ ବୋମା ମାଡ଼ ହୋଇଛି । ଏଥିରେ ୧୫ ପାକ୍‌ ସୈନ୍ୟ ଓ ଜଣେ ନାଗରିକ ପ୍ରାଣ ହରାଇଛନ୍ତି । ଅନେକ ସୈନ୍ୟ ଆହତ ହୋଇଛନ୍ତି । ଇସ୍‌ଲାମାବାଦକୁ ଏହା ତାଲିବାନ୍‌ର ରଣନୀତିକ ଜବାବ ବୋଲି ଦର୍ଶାଯାଉଛି । ଆକ୍ରମଣ ନେଇ ଡଙ୍ଗାମ୍‌ ଓ ବିରକୋଟ ସେକ୍ଟରରୁ ବିଭିନ୍ନ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ ଆଫଗାନିସ୍ତାନର କୁନାର ଓ ନଙ୍ଗରହାର ପ୍ରଦେଶ ପଟୁ ପାକିସ୍ତାନୀ ଘାଟି ଉପରେ ସାଙ୍ଘାତିକ ବୋମା ବର୍ଷା ହେଉଛି । ଏମିତି କି ଡ୍ରୋନ୍‌ ଦ୍ୱାରା ବି ଏୟାରଷ୍ଟ୍ରାଇକ୍‌ କରାଯାଉଛି । ଦୁଇଦେଶ ମଧ୍ୟରେ ଏଭଳି ସ୍ଥିତି ୨୦୨୧ ପରଠାରୁ ଦେଖିବାକୁ ମିଳି ନ ଥିଲା । କିନ୍ତୁ କ୍ରମେ ବିବାଦ ଘନେଇବାରେ ଲାଗିଛି । ଏହାଦ୍ୱାରା ବଡ଼ ଯୁଦ୍ଧର ସୂତ୍ରପାତ ହେବା ଆଶଙ୍କା ରହିଛି । 

​​​​​​​ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ହେମ୍‌ଲାଣ୍ଡ, ପାକ୍‌ଟିଆ, କୁନାର, ନଙ୍ଗରହାର ଓ ଖୋଷ୍ଟ ପ୍ରଦେଶ ପଟୁ ଆଖିବୁଜା ଗୁଳିଗୋଳା ବର୍ଷା ହୋଇଛି । ପାକିସ୍ତାନର କୁରାମ୍‌, ବଜୌର ଏବଂ ଉତ୍ତର ୱାଜିରିସ୍ତାନରେ ଥିବା ଘାଟିଗୁଡ଼ିକୁ ଏଥିରେ ଅଧିକ ଟାର୍ଗେଟ୍‌ କରାଯାଇଛି । ଆର୍ଟିଲରି ଓ ମୋର୍ଟାର ସମେତ ହାଲୁକା ଡ୍ରୋନ୍‌ ମାଧ୍ୟମରେ ପ୍ରିସିଜନ ଷ୍ଟ୍ରାଇକ୍‌ ହୋଇଛି । ଏହି ଆକ୍ରମଣ ଲାଗି ଆଫଗାନିସ୍ତାନର ୨୦୧ ଖାଲିଦ ବିନ୍‌ ୱାଲିଦ ସେନା କର୍ପସ ନିଜକୁ ଦାୟୀ କରିଛି । କାବୁଲ, ଖୋଷ୍ଟ ଏବଂ ନଙ୍ଗରହାର ଉପରେ ପାକିସ୍ତାନ କରିଥିବା ଏୟାରଷ୍ଟ୍ରାଇକ୍‌ର ଜବାବ ସ୍ୱରୂପ ଏହି ଆକ୍ରମଣ ହୋଇଥିବା ଦର୍ଶାଇଛି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ । ୨୦୨୧ ପରେ ପାକିସ୍ତାନ ବିରୋଧରେ ତାଲିବାନ ଔପଚାରିକ ସେନାର ଏହା ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାସୀନ ହୋଇଥିଲା । ଏପରି ଏମିତି ସମୟରେ ହୋଇଛି ଯେବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିଲ ଖାନ୍‌ ମୁତ୍ତକୀ ଭାରତ ଗସ୍ତରେ ଅଛନ୍ତି ।