ନୂଆଦିଲ୍ଲୀ, ୩୧।୧୦: ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ପାକିସ୍ତାନର ବିମାନ ଆକ୍ରମଣ ପରେ କଡ଼ା ଜବାବ ଦେଇଥିଲା ତାଲିବାନ, ଯାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଥିଲା । ବର୍ତ୍ତମାନ, ଦୁଇ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ପାଇଁ ସହମତ ହୋଇଛି । ତୁର୍କୀ ଏବଂ କତାର ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତୁର୍କୀ ନଭେମ୍ବର ତାରିଖରେ ଆଉ ଏକ ବୈଠକ ଘୋଷଣା କରି ଏକ ମିଳିତ ବିବୃତ୍ତି ଜାରି କରିଛି । ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଏକ ମିଳିତ ବିବୃତ୍ତିରେ କହିଛନ୍ତି, "୧୮ରୁ ୧୯ ଅକ୍ଟୋବରରେ ଦୋହାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲା ଏହାପରେ ୨୫ରୁ ୩୦ ଅକ୍ଟୋବରରେ ଇସ୍ତାନବୁଲରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତୁର୍କୀ ଏବଂ କତାରର ମଧ୍ୟସ୍ଥତାରେ ଏକ ବୈଠକ ହୋଇଥିଲା । ଏହି ସମୟରେ ସମସ୍ତ ପକ୍ଷ ଯୁଦ୍ଧବିରତିକୁ ସୁଦୃଢ଼ ​​କରିବା ଉପରେ ଆଲୋଚନା କରିଥିଲେ ।"

ନଭେମ୍ବର ରେ ଆଉ ଏକ ବୈଠକ: 

ନଭେମ୍ବର ତାରିଖରେ ଇସ୍ତାନବୁଲରେ ତାଲିବାନ ଏବଂ ଇସଲାମାବାଦ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଯୁଦ୍ଧବିରତି ନେଇ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ । ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଶାନ୍ତି ବଜାୟ ରଖିବା ଏବଂ ଯୁଦ୍ଧବିରତି ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବା ପାଇଁ ଏକ ତଦାରଖ ବ୍ୟବସ୍ଥା ଗଠନ କରାଯିବା ଉଚିତ୍ । ଏହି ନିଷ୍ପତ୍ତିରେ ସମସ୍ତ ପକ୍ଷ ସହମତ ହୋଇଛନ୍ତି ।

ପାକିସ୍ତାନକୁ ଉଚିତ୍ ଜବାବ ଦେଲା ଆଫଗାନିସ୍ତାନ:

ଚଳିତ ମାସ ପ୍ରାରମ୍ଭରେ କାବୁଲରେ ହୋଇଥିବା ବିସ୍ଫୋରଣ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତାଲିବାନ ସରକାର ପାକିସ୍ତାନୀ ସେନା ଉପରେ ଏକ ଆକ୍ରମଣର ଦୃଢ଼ ଜବାବ ଦେଇଥିଲା । ଆଫଗାନ ଅଧିକାରୀମାନେ ଦାବି କରିଛନ୍ତି ଯେ, ସେମାନଙ୍କ ପ୍ରତିଶୋଧରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ଅନ୍ୟପଟେ ପାକିସ୍ତାନୀ ସେନା ୨୩ ଜଣ ନିହତ ହୋଇଥିବା କହିଛି । ଏହି ଯୁଦ୍ଧ ପରେ କତାର ଏକ ବୈଠକ ଡାକିଥିଲା, ଯାହା ପରେ ଏକ ଅସ୍ଥାୟୀ ଯୁଦ୍ଧବିରତି ହୋଇଥିଲା । ଇସ୍ତାନବୁଲରେ ୪ ଦିନ ଧରି ଚାଲିଥିବା ଆଲୋଚନା କୌଣସି ଚୁକ୍ତି ବିନା ଶେଷ ହୋଇଥିଲା କିନ୍ତୁ, ତୁର୍କୀ ଓ କତାରର ଚେଷ୍ଟାରେ ଉଭୟ ପକ୍ଷ ପୁଣିଥରେ ଆଲୋଚନା ଜାରି ରଖିଥିଲେ । ଏବେ ଏକ ଯୁଦ୍ଧବିରତି ଉପରେ ସହମତ ହୋଇଛି ।