ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଦାବି କରିଛି ଯେ,ଏହା ୩୦ ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ସେନାର ଏହି କାର୍ଯ୍ୟାନୁଷ୍ଠାନ ଏଭଳି ଏକ ସମୟରେ ନେଇଛି, ଯେତେବେଳେ କି ଅକ୍ଟୋବର ୭ ତାରିଖରେ ଏକ ସେନା କାଫିଲା ଉପରେ ତାଲିବାନୀ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ୯ ଜଣ ସୈନିକ ଏବଂ ୨ ଜଣ ଅଧିକାରୀ ପ୍ରାଣ ହରାଇଥିଲେ। ପାକିସ୍ତାନୀ ସେନା ଶୁକ୍ରବାର କହିଛି ଯେ ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖଓ୍ବା ପ୍ରଦେଶର ଓରାକଜାଇ ଜିଲ୍ଲାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ଜଣେ ମେଜରଙ୍କ ସମେତ ୧୧ ଜଣ ସୈନିକଙ୍କ ହତ୍ୟାରେ ସମ୍ପୃକ୍ତ ୩୦ ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି।
ବାସ୍ତବରେ, ଏହି ସପ୍ତାହର ପ୍ରାରମ୍ଭରେ, ଖାଇବର ପଖତୁନଖଓ୍ବାର ଓରାକଜାଇ ଜିଲ୍ଲାରେ ଏକ ଗୁପ୍ତଚର ଆଧାରିତ ଅଭିଯାନ ସମୟରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଆତଙ୍କବାଦୀଙ୍କ ସହ ସଂଘର୍ଷରେ ୧୧ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ। ଶୁକ୍ରବାର ଜାରି ଏକ ବିବୃତ୍ତିରେ ସେନା କହିଛି ଯେ, ଅକ୍ଟୋବର ୭ ତାରିଖରେ ଓରାକଜାଇ ଆକ୍ରମଣ ପରଠାରୁ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅନେକ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
ଗତ ସପ୍ତାହରେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ପାକିସ୍ତାନ ଆତଙ୍କବାଦ ସହିତ ସଂଘର୍ଷ କରୁଛି । ୨୦୨୫ ର ତୃତୀୟ ତ୍ରୟମାସରେ ସାମଗ୍ରିକ ହିଂସା ୪୬ ପ୍ରତିଶତ ବୃଦ୍ଧି ପାଇଛି। ଖାଇବର ପଖତୁନଖଓ୍ବା ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ଥିଲା । ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି, ବିଶେଷକରି ଖାଇବର ପଖତୁନଖଓ୍ବା ଏବଂ ବେଲୁଚିସ୍ତାନରେ ପୋଲିସ, ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀ ଏବଂ ସୁରକ୍ଷା ବାହିନୀକୁ ମୁଖ୍ୟତଃ ଟାର୍ଗେଟ କରାଯାଇଛି।