ନୂଆଦିଲ୍ଲୀ: ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ଭାରତ ବିରୁଦ୍ଧରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଦେଇଥିବା ଭାଷଣରେ ସେ କହିଛନ୍ତି, "ଯଦି ତୁମେ ଆମର ପାଣି ବନ୍ଦ କରିବ, ଆମେ ତୁମର ନିଶ୍ୱାସ ବନ୍ଦ କରିଦେବୁ।" ଏହି ବୟାନ ଲସ୍କର-ଏ-ତୈବାର ମୁଖ୍ୟ ତଥା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଈଦଙ୍କ ପୂର୍ବ ବୟାନ ସହ ସମ୍ପୂର୍ଣ୍ଣ ମେଳ ଖାଉଛି। କାରଣ ହାଫିଜ୍ ଏକ ସଭାରେ ଭାଷଣ ଦେଇ କହିଥିଲା, "ଯଦି ଭାରତ ପାଣି ବନ୍ଦ କରିବ, ଆମେ ତାର ନିଶ୍ୱାସ ବନ୍ଦ କରିବୁ ଏବଂ ଏହି ନଦୀଗୁଡ଼ିକରେ କେବଳ ରକ୍ତ ବହିବ।"




ଏହି ବୟାନ ଭାରତର ସିନ୍ଧୁ ଜଳ ଚୁକ୍ତି (ଇଣ୍ଡସ ଓ୍ଵାଟର ଟ୍ରିଟି)କୁ ନିଲମ୍ବନ କରିବା ନିଷ୍ପତ୍ତି ପରେ ଆସିଛି। ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ପରଦିନ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଭାରତ ଏହି ଚୁକ୍ତିକୁ ନିଲମ୍ବନ କରିଥିଲା। ୧୯୬୦ ମସିହାରେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ସ୍ୱାକ୍ଷରିତ ଏହି ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଏବଂ ଏହାର ସହାୟକ ନଦୀଗୁଡ଼ିକର ଜଳ ବଣ୍ଟନକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ପାକିସ୍ତାନର ସୀମାପାର ଆତଙ୍କବାଦରେ ଅତିଷ୍ଟ ଭାରତ ଏହି ଚୁକ୍ତିକୁ ଖାରଜ କରିଦେଇଛି। ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ବନ୍ଦ ନକରିବା ଯାଏ ଏହି ଚୁକ୍ତି ନିଲମ୍ବିତ ରହିବ।




ତେବେ ଚୌଧୁରୀଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ଆରମ୍ଭ ହୋଇଯାଇଛି। ଅନେକ ୟୁଜର୍ସ ଏହାକୁ ପାକିସ୍ତାନ ସେନା ଓ ଆତଙ୍କବାଦୀ ସଂଗଠନ ମଧ୍ୟରେ ସମ୍ପର୍କର ପ୍ରମାଣ ବୋଲି ଦାବି କରିଛନ୍ତି। ଅଫଗାନ ରାଜନୀତିଜ୍ଞ ମରିଆମ ସୋଲାଇମାଙ୍କଖିଲ ଟୁଇଟ କରି କହିଛନ୍ତି, "ଚୌଧୁରୀ ହାଫିଜ ସଈଦଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ନକଲ କରିଛନ୍ତି। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ କେବଳ ଦେଶ ନହେଁ ସ୍କ୍ରିପ୍ଟ ମଧ୍ୟ ବାଣ୍ଟୁଛି।"

ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ଉତ୍ତେଜନାକୁ ଆହୁରି ବଢ଼ାଇଛି। ଭାରତ ମଇ ୭ରେ "ଅପରେସନ ସିନ୍ଦୁର" ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଭାରତର ଏହି କଠୋର ପଦକ୍ଷେପ ଏବଂ ପାକିସ୍ତାନର ପ୍ରତିକ୍ରିୟା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।