ପାକିସ୍ତାନ ପାଖରେ ପ୍ରାଚୁର୍ଯ୍ୟର ଭଣ୍ଡାର…

ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଠାବ !

ଆମଦାନୀ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟ…

ନୂଆଦିଲ୍ଲୀ: କାଙ୍ଗାଳ ପାକିସ୍ତାନ ପାଇଁ ଖୁସି ଖବର। ପାକିସ୍ତାନ ଖାଇବର ପଖତୁନଖଓ୍ବା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଠାବ କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଆବିଷ୍କାରକୁ ଦେଶ ପାଇଁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛଝନ୍ତି । ଏହାକୁ ନେଇ ଶାହବାଜ କହିଛନ୍ତି ଯେ, ଏହା ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବ ଏବଂ ତେଲ ଏବଂ ଗ୍ୟାସ ଆମଦାନୀ ଖର୍ଚ୍ଚ ହ୍ରାସ କରିବ।

ପାକିସ୍ତାନୀ ଏଜେନ୍ସି ଅନୁଯାୟୀ, ଖାଇବର ପଖତୁନଖଓ୍ବାର କୋହାଟ ଜିଲ୍ଲାର ନଶପା ବ୍ଲକରେ ତୈଳ ଏବଂ ଗ୍ୟାସ ଭଣ୍ଡାର ଆବିଷ୍କୃତ ହୋଇଛି। ଏଥିରୁ ପ୍ରତିଦିନ ପ୍ରାୟ ୪୧୦୦ ବ୍ୟାରେଲ ଅଶୋଧିତ ତୈଳ ଏବଂ ୧୦.୫ ମିଲିୟନ ଘନଫୁଟ ଗ୍ୟାସ ଉତ୍ତୋଳନ ହେବାର ଆଶା କରାଯାଉଛି।

ସଶକ୍ତ ହେବ ପାକିସ୍ତାନ ଅର୍ଥନୀତି…

ପାକିସ୍ତାନ ସରକାର କହିଛନ୍ତି ଯେ, ଏହି ଆବିଷ୍କାର ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରର ଏକ ଉଚ୍ଚସ୍ତରୀୟ ବୈଠକରେ ଭାଷଣ ଦେଇ କହିଛନ୍ତି ଯେ, ସ୍ଥାନୀୟ ତୈଳ ଏବଂ ଗ୍ୟାସ ଆବିଷ୍କାର ବିଦେଶୀ ମୁଦ୍ରା ଭଣ୍ଡାରକୁ ମଜବୁତ କରିବ ଏବଂ କ୍ରୟ ଖର୍ଚ୍ଚ ହ୍ରାସ କରିବ।

OGDCL ନିଶ୍ଚିତ କରିଛି...

ପାକିସ୍ତାନର ତୈଳ ଏବଂ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ୍ (OGDCL) ନାଶପା ବ୍ଲକରେ ତୈଳ ଏବଂ ଗ୍ୟାସ ଆବିଷ୍କାରକୁ ନିଶ୍ଚିତ କରିଛି। କମ୍ପାନୀ ଅଧିକାରୀ ମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଆବିଷ୍କାର ପାଇଁ OGDCL ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୬ ସୁଦ୍ଧା ନୂତନ ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ…

ତେବେ ବୈଠକ ସମୟରେ ଅଧିକାରୀ ମାନେ କହିଛନ୍ତି ଯେ, ଏହି ବର୍ଷ ଗ୍ରାହକ ମାନଙ୍କୁ ପର୍ଯ୍ୟାପ୍ତ ଗ୍ୟାସ ଯୋଗାଣ କରାଯାଇଛି। ସରକାର ଏବେ ଜୁନ୍ ୨୦୨୬ ସୁଦ୍ଧା ସାଢେ ୩ ଲକ୍ଷ ନୂତନ ଗ୍ୟାସ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ଏହି ଆବିଷ୍କାରକୁ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ଭାବରେ ଉପସ୍ଥାପନ କରୁଛି।

ଏହା ସହ ପଢନ୍ତୁ : ବିସିସିଆଇ ଠାରୁ ମାସିକ କେତେ ପେନସନ୍ ନିଅନ୍ତି ଧୋନୀ ?