ଇସଲାମାବାଦ,୧୫/୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱବ୍ୟାପୀ ଶକ୍ତି ସମସ୍ୟା ଦେଖାଦେଇଛି । ପାକିସ୍ତାନ ପାଇଁ ଏହା ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ସରକାର ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରିଥିଲେ । ଏବେ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର କର୍ମଚାରୀଙ୍କ ଦରମା ୩୦% ପର୍ଯ୍ୟନ୍ତ ହ୍ରାସ ନିମନ୍ତେ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଶନିବାର ଅନୁମୋଦନ ଦେଇଛନ୍ତି । ଏହା ଅନୁସାରେ, କର୍ମଚାରୀଙ୍କ ଦରମା ୫%ରୁ ୩୦% ପର୍ଯ୍ୟନ୍ତ ହ୍ରାସ ପାଇବ । ଇନ୍ଧନ ଅଭାବ ଯୋଗୁ ଦେଶ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ :-  ୧୪ ପାକିସ୍ତାନୀ ସୈନ୍ୟ ନିହତ, ପାକ୍ ବାୟୁସେନାର ଏୟାରକଷ୍ଟ୍ରାଇକ୍ ଜବାବରେ ଆଫଗାନିସ୍ତାନର ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୂଚନା ମୁତାବକ, ସରିଫଙ୍କ ଅଧ୍ୟକ୍ଷତାରେ ପାକିସ୍ତାନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଖର୍ଚ୍ଚକାଟ ଜରୁରି ବୋଲି ମତପ୍ରକାଶ ପାଇଥିଲା । ପିଏମ୍ଓ ପକ୍ଷରୁ ଜାରି ବିବୃତି ମୁତାବକ, ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଲାଗିରହିଛି । ଏହାଯୋଗୁ ଘରୋଇ ବଜାର ଅତିମାତ୍ରରେ ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ସରକାର ନିଜ ବ୍ୟୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଷ୍ଟ୍ରାୟତ୍ତ ଏବଂ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର କର୍ମଚାରୀଙ୍କ ବେତନ ହ୍ରାସ କରାଯିବ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ସରିଫ ଆହ୍ୱାନ ଦେଇଛନ୍ତି।