ନୂଆଦିଲ୍ଲୀ, ୧୦/୧୦ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଦେଖି ଜଳୁଛି ପାକିସ୍ତାନ। ପୁଣି ବିଳିବିଲେଇଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ଓ ଆଫଗାନିସ୍ତାନ ସମ୍ପର୍କକୁ ନେଇ କଟାକ୍ଷ କଲେ ଖ୍ଵାଜା ଆସିଫ। କହିଲେ ଭାରତ ପ୍ରତି ସର୍ବଦା ଅଫଗାନ ବିଶ୍ଵସ୍ତ। ଆଫଗାନ ପାକିସ୍ତାନ ବିରୋଧରେ କାଲି ଥିଲା, ଆଜି ଅଛି, ଆଗକୁ ବି ରହିବ। ଏବେ ବାସ୍ ବହୁତ ହୋଇଗଲା... ଆଫଗାନରେ କେବେବି ଆତଙ୍କବାଦ ବରଦାସ୍ତ କରାଯିବନି। ଆମେ ଆମେରିକା ଚାପରେ ଆଫଗାନ ଶରଣାର୍ଥୀଙ୍କୁ ଦେଶରେ ଜାଗା ଦେବାକୁ ବାଧ୍ୟ ହୋଇଥିଲୁ। ଏକ ସାକ୍ଷାତକାର ସମୟରେ ଖ୍ଵାଜା ଆସିଫ୍ ଏହି ଟିପ୍ପଣୀ କରିଛନ୍ତି। 

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ପୁଣି କହିଛନ୍ତି ଯେ, ପ୍ରାୟ ୩ ବର୍ଷ ପୂର୍ବେ ସେ ଓ ପାକିସ୍ତାନର ବରିଷ୍ଠ ଅଧିକାରୀମାନେ କାବୁଲ ଗସ୍ତରେ ଯାଇଥିଲେ। ସେହି ସମୟରେ ଆତଙ୍କବାଦୀ ଠିକଣା ଗୁଡ଼ିକୁ ବନ୍ଦ କରିବା ପାଇଁ ନିବେଦନ କରିଥିଲେ। ପାକିସ୍ତାନ ପ୍ରତି ବିପଦ ସୃଷ୍ଟି କରୁଥିବା ୬ ରୁ ୭ ହଜାର ଆଫଗାନୀଙ୍କ ବିଷୟରେ କହିଥିଲେ କିନ୍ତୁ ଆଫଗାନ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇନଥିଲା। 

ଏହି ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି। ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶମନ୍ତ୍ରୀ ଅମୀର ଖାନ୍‌ ମୁତ୍ତକି ଗୁରୁବାର ତାଙ୍କ ପ୍ରଥମ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ କାବୁଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି। ଗୁରୁବାର ରାତିରେ ଆଫଗାନ ରାଜଧାନୀରେ ଅଜ୍ଞାତ ଆଟାକ୍ ହୋଇଛି। ଏହି ହମ୍‌ଲାରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ସେପଟେ ମୁତ୍ତକିଙ୍କର ଭାରତରେ ୧ ସପ୍ତାହର ରହଣି କାର୍ଯ୍ୟକ୍ରମ ରହିଛି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ କାବୁଲରୁ ଦିଲ୍ଲୀକୁ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ଯାତ୍ରା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ଜାତିସଂଘ କଡ଼ା କଟକଣା ଲଗାଇଛି । ତେବେ ଭାରତର ଅନୁରୋଧ କ୍ରମେ ତାଲିବାନ ବିଦେଶ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ଗସ୍ତ ଲାଗି ଜାତିସଂଘରୁ ସ୍ୱତନ୍ତ୍ର ଅନୁମତି ମିଳିଛି । ରିପୋର୍ଟ ଅନୁସାରେ, ୧୬ ତାରିଖ ପର୍ଯ୍ୟନ୍ତ ଭାରତରେ ରହଣି ଅବସରରେ ମୁତ୍ତକି ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭଲଙ୍କୁ ଭେଟିବେ । ମୁତ୍ତକିଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବାଣିଜ୍ୟ, ବିକାଶ ଏବଂ ସୁରକ୍ଷା ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।