ନୂଆଦିଲ୍ଲୀ, ୦୭/୦୪ : ବିଳି ବିଳୋଉଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ୍। କୋଲକାତା ଉପରେ ଆକ୍ରମଣ ଧମକ ପରେ ରାଗି ପାଚି ଲାଲ୍ ହୋଇଗଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ। କହିଲେ ସାବଧାନ୍ ପାକିସ୍ତାନ, ଘରେ ପଶି ମାରିବୁ। ସିଲିଗୁଡ଼ିରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧନ କରି ଟିଏମସି ସାଂସଦ ଏଭଳି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମମତା ବାନାର୍ଜୀ ଏବଂ ଇଣ୍ଡିଆ ମେଣ୍ଟ ସରକାର ଶାସନକୁ ଆସିଲେ ଆମେ ପାକିସ୍ତାନର ଘରେ ପଶି ମାରିବୁ।
ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ଖ୍ଵାଜା ଆସିଫ୍ କୋଲକାତାକୁ ଉଡାଇବାକୁ ଧମକ ଦେଇଥିଲେ। ଆମ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଚୁପ୍ ରହିଲେ। ମୁଁ ଖ୍ଵାଜା ଆସିଫ୍ ଙ୍କ ଲିଷ୍ଟରେ ମୋ ନାମ ଲେଖାଇ ଦେଇଛି। ଯେଉଁ ଦିନ ମମତା ବାନାର୍ଜୀ ଏବଂ ଇଣ୍ଡି ମେଣ୍ଟ ମିଶି ସରକାର ଗଢିବେ, ଆମେ ପାକିସ୍ତାନର ଘରେ ପଶି ମାରିବୁ। ଖ୍ଵାଜା ଆସିଫ୍ ପାକିସ୍ତାନରେ ବଶି କୋଲକାତାକୁ ଧମକ ଦେଉଛନ୍ତି, ହେଲେ ପ୍ରଧାନମନ୍ତ୍ରୀ କୃଚ ବିହାରରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଏବଂ ଟିଏମସିକୁ ହଟାଇବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଅମିତ ଶାହ ଏବଂ ରାଜନାଥ ସିଂ ମଧ୍ୟ ଚୁପ୍ ଅଛନ୍ତି। ଶାହ ଆମକୁ ବାଂଲାଦେଶୀ ଏବଂ ପାକିସ୍ତାନୀ କହୁଛନ୍ତି। ହେଲେ ଯେତେବେଳେ ପାକିସ୍ତାନ କୋଲକାତାକୁ ଧମକ ଦେଉଛନ୍ତି ସେତେବେଳେ ସରକାର ନୀରବଦ୍ରଷ୍ଟା ସାଜୁଛନ୍ତି।
ସୂଚନା ଥାଉକି, ଏକ ସାକ୍ଷାତକାରରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଧମକ ଦେଇଥିଲେ ଯେ, ଯଦି ଭାରତ କୌଣସି ଅଭିଯାନ ଚଳାଏ ତାହେଲେ ପାକିସ୍ତାନ ତାକୁ କୋଲକାତା ଯାଏଁ ନେଇଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭବିଷ୍ୟତରେ ଯୁଦ୍ଧ ହେଲେ କୋଲକାତାକୁ ଟାର୍ଗେଟ୍ କରାଯିବ। ଖ୍ଵାଜା ଆସିଫ୍ ଙ୍କ ଏହି ପ୍ରତିକ୍ରିୟା ପରେ ରାଜନାଥ ସିଂ କହିଥିଲେ ଯେ, ପାକିସ୍ତାନର ଯେକୌଣସି ଦୁଃସାହାସର ମୁହଁତୋଡ଼ ଜବାବ ଦିଆଯିବ।
ଆହୁରି ପଢନ୍ତୁ- ପିଲାଙ୍କୁ ବିପଦ ନୂଆ କୋଭିଡ୍ ଭୂତାଣୁ ‘ସିକାଡା’, ୨୩ ଦେଶରେ ଭୂତାଣୁ ଚିହ୍ନଟ