ନୂଆଦିଲ୍ଲୀ, ୨୯।୫: ବିଶ୍ୱ ରାଜନୀତି ଏବଂ ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି । ଆମେରିକା ଏବଂ ଇରାନ ମଧ୍ୟରେ ବହୁ ପ୍ରତୀକ୍ଷିତ ପରମାଣୁ ଚୁକ୍ତିକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଏହି ଚୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ଏବେ ସାମ୍ନାକୁ ଆସିଛି, ଯାହା ବିଶ୍ୱ ଅର୍ଥନୀତି ଓ ଭୂ-ରାଜନୀତିର ସମୀକରଣ ବଦଳାଇ ଦେଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ସର୍ବୋଚ୍ଚ ନେତା ମୁଜ୍ତବା ଖାମେନେଇଙ୍କ ସ୍ଵାକ୍ଷର ପରେ ଏହି ଐତିହାସିକ ଚୁକ୍ତି କାର୍ଯ୍ୟକାରୀ ହେବ । ଆମେରିକାର ଉପରାଷ୍ଟ୍ରପତି ତଥା ଆଲୋଚନା ଦଳର ମୁଖ୍ୟ ଜେଡି ଭେନ୍ସଙ୍କ କହିବା ଅନୁଯାୟୀ, ଚୁକ୍ତି ପ୍ରକ୍ରିୟାରେ ବେଶ୍ ସକାରାତ୍ମକ ପ୍ରଗତି ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଟ୍ରମ୍ପ ଏହା ଉପରେ ଚୂଡ଼ାନ୍ତ ସ୍ଵାକ୍ଷର କରିନାହାନ୍ତି । ଏହି ପ୍ରାରମ୍ଭିକ ଚୁକ୍ତିଟି ୬୦ ଦିନ ପାଇଁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।
ଦୁଇଟି ପର୍ଯ୍ୟାୟରେ ହେବ ଚୁକ୍ତି: ପାକିସ୍ତାନ ସାଜିବ ‘ଗ୍ୟାରେଣ୍ଟର’
ସାଉଦି ଆରବର ପ୍ରସିଦ୍ଧ ସମ୍ବାଦପତ୍ର 'ଅଲ୍ ହଦଥ୍' ର ରିପୋର୍ଟ ଅନୁଯାୟୀ, ଏହି ସମଗ୍ର ଚୁକ୍ତି ପ୍ରକ୍ରିୟାକୁ ଦୁଇଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯିବ ।
ପ୍ରଥମ ପର୍ଯ୍ୟାୟ: ପ୍ରଥମେ କେବଳ ଏକ ମଧ୍ୟବର୍ତ୍ତୀକାଳୀନ ବା ଅନ୍ତରୀଣ ଚୁକ୍ତିର କିଛି ନିର୍ଦ୍ଦିଷ୍ଟ ସର୍ତ୍ତକୁ କାର୍ଯ୍ୟକାରୀ କରାଯିବ ।
ଦ୍ଵିତୀୟ ପର୍ଯ୍ୟାୟ: ଏହା ସଫଳ ହେବା ପରେ ପୂର୍ଣ୍ଣାଙ୍ଗ ଚୁକ୍ତି ପାଇଁ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।
ଏହି ସମ୍ପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପାକିସ୍ତାନକୁ ଏଥିରେ 'ଗ୍ୟାରେଣ୍ଟର' ବା ଜାମିନଦାର ଭାବେ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ, ଇରାନ ଏପର୍ଯ୍ୟନ୍ତ ଏହି ପରମାଣୁ ଚୁକ୍ତିରେ ସ୍ଵାକ୍ଷର କରିବା ନେଇ କୌଣସି ଆଧିକାରିକ ବୟାନ ଜାରି କରିନାହିଁ । କିନ୍ତୁ ଇରାନର 'ମେହର' ନ୍ୟୁଜ୍ ଏଜେନ୍ସି ପାକିସ୍ତାନୀ ସୂତ୍ରରୁ ଦାବି କରିଛି ଯେ ଦୁଇ ଦେଶ ଚୁକ୍ତିର ଅତି ନିକଟତର ଅଛନ୍ତି ।
ପରମାଣୁ ଚୁକ୍ତିରେ ଆଉ କ’ଣ ରହିଛି ସର୍ତ୍ତ ?
ଆମେରିକୀୟ ମିଡିଆ ଆଉଟଲେଟ୍ 'Axios' ଅନୁଯାୟୀ, ଏହି ୬୦ ଦିନିଆ ବୁଝାମଣାପତ୍ରରେ କେତେକ ଗୁରୁତ୍ଵପୂର୍ଣ୍ଣ ସର୍ତ୍ତ ରଖାଯାଇଛି:
ହୋର୍ମୁଜ ପ୍ରଣାଳୀରୁ ହଟିବ କଟକଣା: ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ ଏହି ସାମୁଦ୍ରିକ ମାର୍ଗ ଦେଇ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ଅବାଧ ହେବ। ଏଥିପାଇଁ କୌଣସି ଟୋଲ୍ ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଚୁକ୍ତି ହେବାର ୩୦ ଦିନ ମଧ୍ୟରେ ଇରାନ ଏହି ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ଏବଂ ସଫା କରିବ ।
ପରମାଣୁ ଅସ୍ତ୍ର ଉପରେ ରୋକ୍: ଇରାନ ଏହି ଚୁକ୍ତି ଅନ୍ତର୍ଗତ କୌଣସି ପରମାଣୁ ଅସ୍ତ୍ର ତିଆରି ନକରିବାକୁ ପ୍ରତିଶ୍ରୁତି ଦେଇଛି । ଇରାନ ପାଖରେ ଥିବା ୪୪୦ କିଲୋଗ୍ରାମର ସମ୍ବର୍ଦ୍ଧିତ ୟୁରେନିୟମର ଭବିଷ୍ୟତ କଣ ହେବ, ସେନେଇ ମୂଳ ଚୁକ୍ତିରେ ଆଲୋଚନା କରାଯିବ । ବର୍ତ୍ତମାନ ପାଇଁ ଏହି ୟୁରେନିୟମ୍ ଇରାନ ପାଖରେ ହିଁ ରହିବ ।
ଜବତ ଟଙ୍କା ଫେରସ୍ତ: କତାର୍ ବ୍ୟାଙ୍କରେ ଜବତ ହୋଇ ରହିଥିବା ଇରାନର କିଛି ଅର୍ଥରାଶି ତାକୁ ଫେରସ୍ତ ମିଳିବ । ତେବେ ଏହି ରାଶିର ପରିମାଣ କେତେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚୁକ୍ତି ସମୟରେ ତୁରନ୍ତ ଅତିକମରେ ୧୨ ବିଲିୟନ ଡଲାର ମିଳୁ ବୋଲି ଇରାନ ଚାହୁଁଛି, ଯାହାକୁ ସେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଖର୍ଚ୍ଚ କରିବ ।
ଟ୍ରମ୍ପ କରିବେ ୩୦୦ ଅରବ ଡଲାରର ମେଗା ନିବେଶ !
ସମସ୍ତଙ୍କୁ ଚକିତ କଲାଭଳି ଖବର ପ୍ରକାଶ କରିଛି ପ୍ରସିଦ୍ଧ ସମ୍ବାଦପତ୍ର 'ନ୍ୟୁୟର୍କ ଟାଇମ୍ସ' । ଯଦି ଏହି ପରମାଣୁ ଚୁକ୍ତି ସଫଳ ହୁଏ, ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇରାନରେ ୩୦୦ ବିଲିୟନ ଡଲାର ନିବେଶ କରିପାରନ୍ତି । ଏହି ବିପୁଳ ପୁଞ୍ଜି ନିବେଶ ମୁଖ୍ୟତଃ ଇରାନର ତୈଳ ଉତ୍ପାଦନ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କରାଯିବ । ଗତବର୍ଷ ଓମାନରେ ଯେତେବେଳେ ଚୁକ୍ତି ପାଇଁ ପ୍ରାଥମିକ ଆଲୋଚନା ଚାଲିଥିଲା, ସେତେବେଳେ ଇରାନ ନିଜ ଆଡ଼ୁ ଆମେରିକାକୁ ଏହି ବଡ଼ ଅଫର ଦେଇଥିଲା । ଇରାନ କହିଥିଲା ଯେ, ଟ୍ରମ୍ପ ଚାହିଁଲେ ଆମେରିକୀୟ କମ୍ପାନୀଗୁଡ଼ିକ ମାଧ୍ୟମରେ ଇରାନର ଅଶୋଧିତ ତୈଳ କ୍ଷେତ୍ରରେ ନିବେଶ କରାଇପାରିବେ । ଯଦିଓ ସେତେବେଳେ କଥା ଆଗକୁ ବଢ଼ିପାରିନଥିଲା, କିନ୍ତୁ ଏବେ ଏହି ପ୍ରସ୍ତାବ ଚୁକ୍ତିର ଏକ ପ୍ରମୁଖ ଅଂଶ ସାଜିବାକୁ ଯାଉଛି । ଯଦି ଏହି ଡିଲ୍ ସଫଳ ହୁଏ, ତେବେ ଏହା ଆମେରିକା ଏବଂ ଇରାନ ମଧ୍ୟରେ ଥିବା ଦଶନ୍ଧି ଦଶନ୍ଧିର ଶତ୍ରୁତାକୁ ଶେଷ କରି ବିଶ୍ଵ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ଆହୁରି ପଢ଼ନ୍ତୁ... ବିଶ୍ୱ ଦେଖିଲା ଭାରତୀୟ ସେନାର ବୀରତ୍ୱ: ଜାତିସଂଘର ସର୍ବୋଚ୍ଚ ସମ୍ମାନ ପାଇବେ ମେଜର ଅଭିଳାଷା