ନୂଆଦିଲ୍ଲୀ,୨୪।୧୨: ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ବିକ୍ରି ହୋଇଗଲା। ଏହାକୁ ଆରିଫ୍ ହବିବ ଗ୍ରୁପ୍ ୧୩୫ ବିଲିୟନ ବା ୪୩୦୦ କୋଟି ଟଙ୍କାରେ କିଣିଛି। ଏହା ସହ ପଡୋଶୀ ଦେଶ ମଙ୍ଗଳବାର ପିଏଆଇର ଘରୋଇକରଣ ପକ୍ରିୟା ସଫଳତାର ସହ ଶେଷ କରିଛି। ସବୁଠାରୁ ବଡ଼ କଥା ଏହା ଯେ, ଏହି ଏୟାରଲାଇନ୍ସର ସାରା ଦୁନିଆରେ ଦବଦବା ରହିଥିଲା, କିନ୍ତୁ ଲଗାତାର ଖରାପ ମ୍ୟାନେଜମେଣ୍ଟ କାରଣରୁ ଏଭଳି ଖରାପ ଅବସ୍ଥାକୁ ଆସିଛି। ଏହାର କ୍ଷତି ମଧ୍ୟ ଖୁବ୍ ବଢିବାରେ ଲାଗିଥିଲା। ଏବେ ପାକିସ୍ତାନ ସରକାର ଏୟାରଲାଇନ୍ସକୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇ କାର୍ଯ୍ୟକ୍ରମରେ ଏହାର ନିଲାମୀ ଡକାଯାଇଥିଲା। ଏଥିରେ ଆରିଫ୍ ହବିବ୍ ଗ୍ରୁପ୍, ଲକି ସିମେଣ୍ଟ ଓ ଘରୋଇ ଏୟାରଲାଇନ୍ସ ଏୟାରବ୍ଲୁ ସାମିଲ ହୋଇଥିଲେ।
ନିର୍ଦ୍ଧାରିତ ନିୟମ ଅନୁସାରେ, ଆରିଫ୍ ହବିବ ଗ୍ରୁପ୍ ଏହାକୁ କିଣିବାରେ ସଫଳ ହୋଇଥିଲା। ଶେହବାଜ ସରିଫ୍ ସରକାର ଆରମ୍ଭରୁ ପିଆଇଏରେ ୭୫ ପ୍ରତିଶତ ସେୟାର ବିକ୍ରି କରିଥିଲା। ସଫଳ ବିଡିଂ ପରେ ଶେଷରେ ୨୫% ସେୟାର ୯୦ ଦିନ ଭିତରେ କିଣିବାର ବିକଳ୍ପ ମିଳିବ। ନିୟମ ଅନୁସାରେ, ପ୍ରାରମ୍ଭିକ ବିକ୍ରିରୁ ମିଳୁଥିବା ଅର୍ଥ ୯୨.୫% ଏୟାରଲାଇନ୍ସରେ ପୁନଃ ନିବେଶ ପାଇଁ କରାଯିବ। ସେଭଳି ୭.୫ ପ୍ରତିଶତ ଅର୍ଥ ସରକାରଙ୍କୁ ମିଳିବ। ଉଲ୍ଲେଖନୀୟ ଯେ, ଭାରତର ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟ ପୂର୍ବରୁ ବ୍ରିକି ହୋଇସାରିଛି। ଏହାକୁ ଟାଟା ଗ୍ରୁପ୍ ୨୦୨୧ରେ ୧୮୦୦୦ କୋଟି ଟଙ୍କାରେ କିଣିଥିଲା। ଜାନୁଆରୀ ୨୦୨୨ ରେ ଏହାକୁ ଔପଚାରିକ ଭାବରେ ଅଧିଗ୍ରହଣ କରିଥିଲା।
ପାକିସ୍ତାନର ସରକାରୀ ବିମାନ କମ୍ପାନୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସକୁ ଆରିଫ୍ ହବିବ୍ ଗ୍ରୁପ୍ ଅଧିଗ୍ରହଣ କରିଛି। ଏହି ଗ୍ରୁପ୍ ଭାରତର ଗୁଜରାଟରୁ ଆସିଥିବା ଜଣେ ପ୍ରସିଦ୍ଧ ପାକିସ୍ତାନୀ ବ୍ୟବସାୟୀ ଆରିଫ୍ ହବିବଙ୍କ ମାଲିକାନାରେ ଅଛି। ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନ ଚାଲିଯାଇଥିଲେ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଆରିଫ୍ ହବିବ୍ଙ୍କ ପିତାମାତା ୧୯୪୮ରେ ଗୁଜରାଟରୁ ପାକିସ୍ତାନର କରାଚୀକୁ ଚାଲି ଆସିଥିଲେ।
ଆରିଫ୍ ହବିବ୍ ୧୯୭୦ରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଯେପରି ଆମେ ଭାରତରେ ହର୍ଷଦ ମେହେଟ୍ଟାଙ୍କୁ ଜାଣୁ, ସେ ପାକିସ୍ତାନର ଜଣେ ପ୍ରମୁଖ ବ୍ୟକ୍ତି। ସେ କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ। ତା’ପରେ, ସେ ସେୟାର ବଜାରରେ ଫାଇନାନ୍ସିଆଲ ମାର୍କେଟ ଶିଖିବାକୁ ଲାଗିଥିଲେ। ସେ ୧୯୯୪ ରେ ଆରିଫ୍ ହବିବ୍ ସିକ୍ୟୁରିଟିଜ୍ ଲିମିଟେଡ୍ (ବର୍ତ୍ତମାନ ଆରିଫ୍ ହବିବ୍ କର୍ପୋରେସନ୍ ଲିମିଟେଡ୍) ପ୍ରତିଷ୍ଠା କରିଥିଲେ। ସେଠାରୁ ସେ ସଫଳତାର ସିଡ଼ି ଚଢ଼ି ଚାଲିଥିଲେ। ଆଜି, ସେ ପାକିସ୍ତାନର ଶ୍ରେଷ୍ଠ ବ୍ୟବସାୟୀମାନଙ୍କ ମଧ୍ୟରୁ ଜଣେ।
ଆହୁରି ପଢନ୍ତୁ :ଦିଲ୍ଲୀ ମେଟ୍ରୋର ବୃଦ୍ଧି ପାଇବ ପରିସର, କେନ୍ଦ୍ର କ୍ୟାବିନେଟର ଫେଜ୍ 5A କୁ ମଞ୍ଜୁରୀ: ଖର୍ଚ୍ଚ ହେବ ୧୨ ହଜାର କୋଟି