ନୂଆଦିଲ୍ଲୀ, ୨୧।୭: ସିନ୍ଧୁ ଜଳ ଚୁକ୍ତି ଏବଂ କାଶ୍ମୀର ମାମଲାକୁ ନେଇ କୂଟନୈତିକ ସ୍ତରରେ ପୁଣି ଥରେ ନିରାଶ ହୋଇଛି ପାକିସ୍ତାନ । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ୍ ଡାର୍ କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କ ସହ ଆଲୋଚନା ସମୟରେ ଏହି ମାମଲା ପ୍ରସଙ୍ଗ ଉଠଇ ସାହାଯ୍ୟ ମାଗିଥିଲେ ସୁଦ୍ଧା କାନାଡ଼ା ପକ୍ଷରୁ କୌଣସି ସମର୍ଥନ ମିଳିନାହିଁ । କାନାଡ଼ା ବୈଦେଶିକ ମନ୍ତ୍ରୀଙ୍କ ସହ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଇଶାକ୍ ଡାର୍ କହିଛନ୍ତି ଯେ, "ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ଏହା ଦ୍ୱାରା ଅଞ୍ଚଳର ସୁରକ୍ଷା ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି ।" ଭାରତ ଯେପରି ତୁରନ୍ତ ଏହି ଚୁକ୍ତିକୁ ପୁନଃକାର୍ଯ୍ୟକାରୀ କରେ, ସେଥିପାଇଁ କାନାଡ଼ା ଭଳି ବନ୍ଧୁରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।
ଡାର୍ ସାମ୍ବାଦିକ ସମ୍ମିଳନୀରେ କାଶ୍ମୀର ଓ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ ଉଠାଇଥିଲେ ହେଁ କାନାଡ଼ା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ସବୁଠାରୁ ବଡ଼ କଥା ହେଉଛି, ଆଲୋଚନା ଶେଷରେ ପ୍ରକାଶିତ ମିଳିତ ବିବୃତିରେ ମଧ୍ୟ ଏହି ଦୁଇଟି ଯାକ ପ୍ରସଙ୍ଗର କୌଣସି ଉଲ୍ଲେଖ କରାଯାଇ ନାହିଁ, ଯାହା ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ପରାଜୟ ସଦୃଶ ।
ଏହା ବି ପଢ଼ନ୍ତୁ... ଗାଡ଼ି ପରେ ଏବେ ହାଣ୍ଡିଶାଳରେ ହେବ ଏଥାନଲ ଏଣ୍ଟ୍ରି, ତୈଳ କମ୍ପାନି ଲଗାଇବେ ଏଥାନଲ ATM....
ସିନ୍ଧୁ ଜଳ ଚୁକ୍ତି କ’ଣ ?
୧୯୬୦ ମସିହାରେ ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଅଧୀନରେ ସିନ୍ଧୁ ବେସିନ୍ର ୬ଟି ନଦୀ ମଧ୍ୟରୁ ପୂର୍ବ ନଦୀଗୁଡ଼ିକ ଭାରତକୁ ଏବଂ ପଶ୍ଚିମ ନଦୀଗୁଡ଼ିକ ମୁଖ୍ୟତଃ ପାକିସ୍ତାନକୁ ଆବଣ୍ଟନ କରାଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଏହି ଚୁକ୍ତିକୁ ସ୍ଥଗିତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, "ରକ୍ତ ଏବଂ ପାଣି କେବେ ହେଲେ ଏକାଠି ବହିପାରିବ ନାହିଁ ।" ଯେ ପର୍ଯ୍ୟନ୍ତ ଇସଲାମାବାଦ ନିଜ ମାଟିରୁ ଚାଲୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଛି, ସେପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ । ଅନ୍ୟପଟେ, ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏହାକୁ ପାକିସ୍ତାନର 'ଜୀବନରେଖା' କହି ଭାରତକୁ ଚେତାବନୀ ଦେଇଛନ୍ତି । ତେବେ ନୂଆଦିଲ୍ଲୀ ପକ୍ଷରୁ ପୁଣି ଥରେ ସ୍ପଷ୍ଟ କରାଯାଇଛି ଯେ, ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି କୌଣସି ପରିସ୍ଥିତିରେ ବି ପୁନରୁଦ୍ଧାର ହେବନାହିଁ ।