ନୂଆଦିଲ୍ଲୀ, ୨୫/୦୩ : ପାକିସ୍ତାନ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର । ଭାରତ ଷଷ୍ଠ ସର୍ବାଧିକ ପ୍ରଦୂଷିତ ଦେଶ । ପାକିସ୍ତାନ ତଳକୁ ଯଥାକ୍ରମେ ବାଂଲାଦେଶ, ତାଜିକିସ୍ତାନ, ଚାଦ ଓ କଙ୍ଗୋ ରହିଛି । ସ୍ୱିସ୍ କମ୍ପାନି ଏକ୍ୟୁଏଆଇର ପକ୍ଷରୁ ଆଜି ଜାରି କରାଯାଇଥିବା ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ୨୦୨୫ରୁ ଏକଥା ଜଣାପଡିଛି । ୨୦୨୪ ତାଲିକାରେ ଭାରତ ୫ମ ସ୍ଥାନରେ ଥିଲା । ରିପୋର୍ଟ ଅନୁସାରେ ଭାରତ ତଳକୁ ସପ୍ତମରେ କୁଏତ, ଅଷ୍ଟମରେ ଉଗାଣ୍ଡା, ନବମରେ ଇଜିପ୍ଟ ଓ ଦଶମରେ ଉଜବେକିସ୍ତାନ ରହିଛି ।
ସେହିଭଳି ସହର ମଧ୍ୟରେ ଦେଖିଲେ ଉତ୍ତରପ୍ରଦେଶର ଲୋନି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଥିଲା ବେଳେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି । ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୫ଟି ସହର ରହିଛି । ସେଥିରେ ଉତ୍ତରପ୍ରଦେଶର ଲୋନି ବ୍ୟତୀତ ଗାଜିଆବାଦ, ଆସାମର ବର୍ନିହାଟ, ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ଉଲ୍ଲା ସହର ସାମିଲ ଅଛି । ଲୋନିର ହାରାହାରି ପିଏମ୍ ୨.୫ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ମାନଦଣ୍ଡ ଠାରୁ ୨୨ ଗୁଣ ଅଧିକ ।
୧୦ ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ରହିଛି ଲୋନି (ଭାରତ), ହୋଟନ (ଚୀନ୍), ବର୍ନିହାଟ (ଭାରତ), ଦିଲ୍ଲୀ (ଭାରତ), ଫୈସଲାବାଦ (ପାକିସ୍ତାନ), ରହିମ ୟାର ଖାନ୍ (ପାକିସ୍ତାନ), ଗାଜିଆବାଦ (ଭାରତ), ଲାହୋର (ପାକିସ୍ତାନ), ସୁକୁର (ପାକିସ୍ତାନ) ଏବଂ ଉଲ୍ଲା (ଭାରତ) । ରିପୋର୍ଟରେ ୧୪୩ଟି ଦେଶର ୯,୪୪୬ଟି ସହରର ତଥ୍ୟକୁ ନେଇ ସର୍ଭେ କରାଯାଇଥିଲା । ସେଥିରେ କୁହାଯାଇଛି କି ୫୪ଟି ଦେଶରେ ପିଏମ୍ ୨.୫ ସ୍ତର ବଢ଼ିଛି । କିନ୍ତୁ ୭୫ଟି ଦେଶରେ ଏହା ହ୍ରାସ ପାଇଛି । ଏହି ସମୟ ଭିତରେ ୨ଟି ଦେଶରେ କୌଣସି ପରିବର୍ତ୍ତନ ଘଟିନାହିଁ । ୨୦୨୫ରେ ୧୨ ନୂଆ ଦେଶ ଏଥିରେ ସାମିଲ ହୋଇଛି । ବିଶ୍ୱର ୧୪ ପ୍ରତିଶତ ସହରର ବାୟୁ ଗୁଣବତ୍ତା ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ପୂରଣ କରିଛନ୍ତି । ୨୦୨୫ରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଙ୍ଗଲରେ ନିଆଁ ଲାଗିବା ଫଳରେ ପ୍ରଦୂଷଣ ବୃଦ୍ଧି ପାଇଛି ।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନକୁ ପଠାଯାଉଛି ଭାରତର ସମ୍ବେଦନଶୀଳ ସ୍ଥାନର ସିସିଟିଭି ଫୁଟେଜ୍, ଦେଶବ୍ୟାପୀ ସବୁ ନେଟୱର୍କର ଯାଞ୍ଚ ନିର୍ଦ୍ଦେଶ