ନୂଆଦିଲ୍ଲୀ,୧/୩ : ଆମେରିକା- ଇସ୍ରାଏଲ ଏବଂ ଇରାନ ସହ ଲାଗି ରହିଥିବା ଯୁଦ୍ଧ ଫଳରେ ସମ୍ପୂର୍ଣ୍ଣ ବିଶ୍ବ ପ୍ରଭାବିତ ନଜର ଆସୁଛି । କିଛି କିଛି ସ୍ଥାନରେ ଲୋକେ ଫଶି ରହିଥିବା ଖବର ସାମ୍ନାକୁ ଆସୁଛି । ଏବେ ସାମ୍ନାକୁ ଆସିଥିବା ଖବରରୁ ଜଣାପଡ଼ୁଛି କି ଏହି ଯୁଦ୍ଧ କାରଣରୁ ପାକିସ୍ତାନ ଏବଂ ଇଂଲଣ୍ଡର ଏକ କ୍ରିକେଟ ମ୍ୟାଚ୍ ରଦ୍ଦ କରିବାକୁ ପଡ଼ିଛି। ଏହା ବ୍ୟତୀତ ଆଇପିଏଲ୍ ଖେଳି ସାରିଥିବା ଜଣେ ଖେଳାଳୀ ପ୍ରଧାନମନ୍ତ୍ରୀଙ୍କୁ ନିଜକୁ ଫେରାଇ ଆଣିବା ଲାଗି ସାହାଯ୍ୟ ମାଗିଛନ୍ତି ।

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ, ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଦ୍ୱିତୀୟ ୫୦ ଓଭର ମ୍ୟାଚ୍ ବାତିଲ କରାଯାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବିଜ୍ଞପ୍ତିରେ ଏହି ଅପଡେଟ୍ ସେୟାର କରିଛି । ଏହି ମ୍ୟାଚ୍ ଆବୁଧାବିର ଓଭାଲ ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର କରାଯାଇଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଆବୁଧାବିର ପରିସ୍ଥିତି ଖରାପ ହେଉଥିବାରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB)ର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । କୌଣସି ଅଭ୍ୟାସ ସେସନ୍ ହେବ ନାହିଁ ଏବଂ ଦଳ ଗୁଡ଼ିକୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଇଂଲଣ୍ଡର ଜନି ବେୟରଷ୍ଟୋ ଯିଏ ଆଇପିଏଲରେ ଖେଳିଛନ୍ତି, ସେ ଆବୁଧାବିରେ ଇଂଲଣ୍ଡ ଲାୟନ୍ସ ଦଳକୁ ପ୍ରଶିକ୍ଷଣ ଏବଂ ପରାମର୍ଶ ଦେଉଛନ୍ତି । ବେୟରଷ୍ଟୋ ୟୁକେ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ପ୍ରକୃତରେ, ଇଂଲଣ୍ଡ ଖେଳାଳି କୈର ଷ୍ଟାର୍ମରଙ୍କ ଏକ ସୋସିଆଲ ମିଡିଆ ଭିଡ଼ିଓରେ ମନ୍ତବ୍ୟ ଦେଇ ଲେଖିଛନ୍ତି, "ଆପଣ ଆମକୁ ଘରକୁ ଫେରାଇ ଆଣିପାରିବେ କି ?" ବେୟରଷ୍ଟୋଙ୍କ ପ୍ରତିକ୍ରିୟା ଖୁବ୍ ଭାଇରାଲ ହେବାରେ ଲାଗିଛି ।