ନୂଆଦିଲ୍ଲୀ: ଇରାନର ପରମାଣୁ କ୍ଷମତା ବିକାଶ କରିବାର ଅଧିକାରକୁ ସମର୍ଥନ କରୁଛି ପାକିସ୍ତାନ । ରବିବାର ପାକିସ୍ତାନ ଏହା କହିଛି । ପାକିସ୍ତାନ ଏହାକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ସମର୍ଥନ କରୁଥିବା କହିଛି । ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଅନେକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଶନିବାର ଇସଲାମାବାଦରେ ପହଞ୍ଚିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି।
ଉଭୟ ନେତାଙ୍କ ସାକ୍ଷାତ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ଶକ୍ତି ବ୍ୟବହାର କରିବାର ଅଧିକାର ଇରାନର ଅଛି। ଏହି ପ୍ରସଙ୍ଗ ଏବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଉସକାଇଛି । ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ପାକିସ୍ତାନ ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ହାସଲ କରିବାର ଇରାନର ଅଧିକାର ସହିତ ଠିଆ ହୋଇଛି।
ଶରୀଫଙ୍କ ବିବୃତ୍ତି ଏପରି ସମୟରେ ଆସିଛି, ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଅଧିକ । ଆମେରିକା ପାକିସ୍ତାନକୁ ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀର ମାନ୍ୟତା ଦେଇଛି ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରୁଛି । ଜୁନ୍ ମାସରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନର କିଛି ଗୁରୁତ୍ୱପୂର୍ଣ୍ଣ ପରମାଣୁ ସ୍ଥାନ ଉପରେ ବିମାନ ଆକ୍ରମଣ କରିଥିଲେ। ଏହା ପରେ, ଇରାନ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ସହିତ ସହଯୋଗ ବନ୍ଦ କରିଦେଇଥିଲା।
ସାମ୍ବାଦିକ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ସରିଫ ଇରାନ ବିରୁଦ୍ଧରେ ଇସ୍ରାଏଲୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ ଇରାନର ଆତ୍ମରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ସେ ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ମଧ୍ୟ ସମାଲୋଚନା କରିଥିଲେ ଏବଂ ସେଠାରେ ହେଉଥିବା ମାନବାଧିକାର ଉଲ୍ଲଂଘନ ପ୍ରତି ଧ୍ୟାନ ଦେବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ, ବିଶେଷକରି ମୁସଲିମ ଦେଶ ମାନଙ୍କୁ ନିବେଦନ କରିଥିଲେ।
ଶରିଫ କହିଛନ୍ତି ଯେ ଦୁଇ ଦେଶ ଅନେକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏବଂ ଇରାନର ଲକ୍ଷ୍ୟ ବାର୍ଷିକ୧୦ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ କରିବା। ଦୁଇ ନେତା ଆତଙ୍କବାଦ ସହିତ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୀମାରେ ଆତଙ୍କବାଦୀ ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।