ନୂଆଦିଲ୍ଲୀ,୨୬।୧୨:  ଆତଙ୍କବାଦର ଚରାଭୂମି ପାଲଟିଥିବା ପାକିସ୍ତାନ ଏବେ ନିଜ ଜାଲରେ ଫଶିଛି। ପାକିସ୍ତାନରେ ଏବେ ଲଗାତାର ଆତଙ୍କୀ ଆକ୍ରମଣ ଚାଲିଛି। ଗତ କିଛି ସମୟ ହେବ ସେଠାରେ ସାଧାରଣ ଲୋକ, ସେନା, ପୋଲିସ ଓ ଚୀନ୍‌ ନାଗରିକଙ୍କୁ ମଧ୍ୟ ହତ୍ୟା କରାଯାଉଛି। ଏହି କାରଣରୁ କିଛି ଦିନ ତଳେ ଆଫଗାନିସ୍ତାନ ଉପରେ ପାକିସ୍ତାନ କରିଥିଲା ଏୟାରଷ୍ଟ୍ରାଇକ୍ । ପାକିସ୍ତାନ କହିଥିଲା ଏହି ଆକ୍ରମଣରେ ଟିଟିପି(ତେହରିକ୍-ଇ-ତାଲିବାନ)କୁ ନଷ୍ଟ କରିବାର ଥିଲା। ତେବେ ତାଲିବାନ ଏହି ଏୟାରଷ୍ଟ୍ରାଇକ୍‌ରେ ଖୁବ୍ ବିଚଳିତ ହୋଇପଡିଛି। 

ତାଲିବାନ କହିଛି ଆକ୍ରମଣରେ ଶିଶୁ ଓ ମହିଳାଙ୍କ ସହ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ପ୍ରତିଶୋଧ ନେବାକୁ ୧୫ ହଜାର ତାଲିବାନ ଯୋଦ୍ଧା ପାକିସ୍ତାନ ଅଭିମୁଖେ ବାହାରି ସାରିଛନ୍ତି। ଏହା ସହ ଆକ୍ରମଣର ମଧ୍ୟ ଘୋଷଣା କରିଦେଇଛି। ଫଳରେ ଏହା ଦକ୍ଷିଣ ଏସିଆରେ ଯୁଦ୍ଧର ପଦଧ୍ବନୀ ବୋଲି କୁହାଯାଉଛି।

ପାକିସ୍ତାନ ଯୁଦ୍ଧ ବିମାନ ଯୋଗେ ମଙ୍ଗଳବାର ରାତିରେ ଆଫଗାନିସ୍ତାନର ପୂର୍ବ ପକ୍ତିକା ପ୍ରଦେଶରେ ତହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି)ର ଶିବିରରେ ଏୟାରଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ମହିଳା ଓ ଶିଶୁଙ୍କ ସହ ଅତି କମ୍‌ରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଅନେକ ଆହତ ହୋଇଛନ୍ତି। ଏହି ମାମଲାରେ ତାଲିବାନ ସରକାର କାବୁଲରେ ପାକିସ୍ତାନର ପ୍ରଭାରୀ ଡି’ଏଫେୟାରକୁ ଜବାବ ତଲବ କରିଛି। ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଆମେ ଏହାକୁ କଡା ବିରୋଧ କରୁଛୁ। ଏଥିପାଇଁ  ପାକିସ୍ତାନୀ କୁଟନୈତିଜ୍ଞଙ୍କୁ ନିକଟରେ ବିମାନ ଆକ୍ରମଣକୁ ନିନ୍ଦା କରି ଏକ ନୋଟ୍‌ ଦେଇଛୁ।’

କାବୁଲରେ ଥିବା ତାଲିବାନର ମୁଖପାତ୍ର କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣର ପ୍ରତିଶୋଧ ନେବାର ପ୍ରତିଜ୍ଞା ନେଇଛି। ଏହା ଏକ ‘ବର୍ବର’ ଓ ‘ସ୍ପଷ୍ଟ ଆକ୍ରମଣ’ । ଏଥିପାଇଁ ପ୍ରାୟ ୧୫୦୦୦ ତାଲିବାନ ଯୋଦ୍ଧା କଥିତ ଭାବରେ କାବୁଲ, କାନ୍ଦାହାର ଓ ହେରାତରୁ ପାକିସ୍ତାନର ଖୈବର ପଖତୁନଖ୍ବା ଅଭିମୁଖେ ବାହାରିଛନ୍ତି।