ନୂଆଦିଲ୍ଲୀ,୨୪।୪: ପହଲଗାମ୍‌ରେ ଆତଙ୍କୀ ହମ୍‌ଲା ପରେ ସାରା ଦେଶରେ ଉତ୍ତେଜନା । ଆତଙ୍କୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ହୋଇଛି କଡ଼ା ଦାବି। ଏପରିକି ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ମଧ୍ୟ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା। ହେଲେ ଏଭଳି ବର୍ବର କାଣ୍ଡ ପରେ ଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ ଖୁସିର ମାହୋଲ। ଏକଥା ଏଥିରୁ ଜଣାପଡିଛି ଯେ, ଜଣେ ବ୍ୟକ୍ତିଙ୍କୁ ଗୁରୁବାର କେକ୍‌ ନେଇ ଦୂତାବାସ ଭିତରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଯେତେବେଳେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ପଚାରିଥିଲେ କେଉଁ ଖୁସିରେ କେକ୍ ନେଉଛନ୍ତି ? କିନ୍ତୁ ସେ ବ୍ୟକ୍ତି ଜଣକ କିଛି ଉତ୍ତର ନଦେଇ ଦୂତାବାସ ଭିତରକୁ ଚାଲିଯାଇଥିଲେ।

ପହଲଗାମ୍‌ରେ ୨୮ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟାକୁ ନେଇ ସାରା ଦେଶରେ ଦୁଃଖର ଛାୟା ଖେଳିଯାଇଛି। ହେଲେ ପାକ୍ ଦୂତାବାସରେ ଏଭଳି ସମୟରେ ଏକ ବଡ଼ କେକ୍ କେଉଁ ଖୁସି ନିଆଗଲା ତାହା ସ୍ପଷ୍ଟ ହୋଇପାରିଲାନି। ଏହି ଘଟଣା ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହୋଇଛି। ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ଉଦେଶ୍ୟ କ’ଣ ତାହାକୁ ନେଇ ସନ୍ଦେହ। ସେମାନେ କ’ଣ ଆତଙ୍କୀ ହମଲାକୁ ନେଇ ଖୁସି କି ? କେକ୍ କାଟି କରୁଛନ୍ତି କି ସେଲିବ୍ରେସନ୍ ? ପାକ୍ ଦୂତାବାସ ଆଗରେ ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି। ସେଭଳି ସୋସିଆଲ ମିଡିଆରେ କେକ୍ ନେଉଥିବା ବ୍ୟକ୍ତିର ଉଦ୍ଦେଶ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। 

ସେପେଟ ଏହି ଆତଙ୍କୀ ହମଲାର ପ୍ରଭାବ ଦୁଇ ଦେଶର ସମ୍ପର୍କ ଉପରେ ପଡିଛି। ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସର ସୁରକ୍ଷା ମଧ୍ୟ କମ୍ କରି ଦିଆଯାଇଛି। ଏବେ ପାକିସ୍ତାନୀ ଦୂତାବାସ ବାହାରେ କେବଳ ନୀରବତା ହିଁ ନୀରବତା। କୌଣସି ସୁରକ୍ଷାକର୍ମୀଙ୍କୁ ମୁତୟନ ନାହାଁନ୍ତି କିମ୍ବା ବ୍ୟାରିକେଡ୍ ମଧ୍ୟ ନାହିଁ।  ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ନିୟୋଜିତ ତିନି ସେନାର ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ଭାରତ ୭ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଇସଲାମାବାଦରେ ନିୟୋଜିତ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ଫେରାଇ ଆଣିଛି ଭାରତ । ଏହି ନିଷ୍ପତ୍ତି ପୂର୍ବରୁ ଉଭୟ ଦେଶର ଦୂତାବାସରେ ୫୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏବେ ୩୦ ଜଣ ଅଛନ୍ତି ।