ନୂଆଦିଲ୍ଲୀ ୧୯/୦୫: ଇରାନରୁ ପ୍ରତ୍ୟେକ ଦିନ ଅତିକମରେ ୬୦ ଲକ୍ଷ ଲିଟର ଇନ୍ଧନ ପଡୋଶୀ ଦେଶ ପାକିସ୍ତାନକୁ ଚୋରାରେ ଆସୁଛି। ହୋର୍ମୁଜରେ ଆମେରିକାର ଅବରୋଧ ଯୋଗୁ ବିଶ୍ୱରେ ତୈଳ ସଙ୍କଟ ଜାରି ରହିଛି। ପାକିସ୍ତାନ ଉପରେ ବି ଏହାର ପ୍ରଭାବ ପଡୁଛି। ଆବଶ୍ୟକତା ମେଣ୍ଟାଇବା ଲାଗି କିଛି ଲୋକ ଇରାନରୁ ବାଇକ୍ ଯୋଗେ ଡ୍ରମ୍ରେ ତୈଳ ଭର୍ତ୍ତି କରି ବୋହିବାରେ ଲାଗିଛନ୍ତି। ଟ୍ରକ୍ ଦ୍ୱାରା ବି ଚାଲାଣ ହେଉଛି।
ପାକିସ୍ତାନ ଓ ଇରାନ ସୀମା ୯୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ପ୍ରାୟ ଏକ ଡଜନେରୁ ଅଧିକ ସ୍ଥାନରେ ଇରାନୀ ଇନ୍ଧନ ପହଞ୍ଚୁଛି। ଏହି ଅଞ୍ଚଳରେ ନିରୀକ୍ଷଣ ବ୍ୟବସ୍ଥା ସେତେଟା ସକ୍ରିୟ ନଥିବାରୁ ଚୋରା ବେପାରୀମାନେ ଏହାର ଫାଇଦା ନେଇ ତେଲ ବୋହୁଛନ୍ତି। ପିକ୍-ଅପ୍ ଟ୍ରକ୍, ବାଇକ୍ ଓ ଡଙ୍ଗା ଯୋଗେ ସେମାନେ ପେଟ୍ରୋଲ ଓ ଡିଜେଲ ଆଣୁଛନ୍ତି। ଏହାକୁ ପାକିସ୍ତାନର ବିଶାଳ ତଥା ଗରିବ ବେଲୁଚିସ୍ତାନ ପ୍ରଦେଶ ସମେତ ଅନ୍ୟ ଅଞ୍ଚଳକୁ ପଠାଯାଉଛି।
ବିଶେଷଜ୍ଞଙ୍କ ଅନୁସାରେ, ସମୁଦ୍ର ମାର୍ଗ ଦେଇ ମଧ୍ୟ ଚୋରାରେ ତେଲ ଚାଲାଣ ହେଉଛି। ଡଙ୍ଗା ଜରିଆରେ ଏହାକୁ ପାକିସ୍ତାନର ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ପହଞ୍ଚା ଯାଉଛି। ସୂଚନାଯୋଗ୍ୟ, ୨୦୨୪ ମେ’ ରେ ପାକିସ୍ତାନର ଦୁଇଟି ଗୁଇନ୍ଦା ଏଜେନ୍ସି ଏକ ଲିକ୍ ରିପୋର୍ଟରେ ଦାବି କରିଥିଲେ କି ଇରାନରୁ ପ୍ରତିବର୍ଷ ୧ ବିଲିୟନ ଡଲାରରୁ ଅଧିକ ପେଟ୍ରୋଲ ଓ ଡିଜେଲ ପାକିସ୍ତାନକୁ ଚୋରା ଚାଲାଣ ହେଉଛି। ଦିନକୁ ୬୦ ଲକ୍ଷ ଲିଟର ତେଲ ଚୋରାରେ ଆସୁଛି, ଯାହା ଦେଶର ମୋଟ୍ ତୈଳ ବ୍ୟବହାରର ପ୍ରାୟ ୧୪ ପ୍ରତିଶତ।
ଆହୁରି ପଢ଼ନ୍ତୁ...ଇରାନରେ ସହିଦ ହେବା ପୂର୍ବରୁ ‘ଜନଫଦା ବିବାହ’, ଯୁଦ୍ଧକୁ ଯିବା ପୂର୍ବରୁ ତରବରିଆ ଭାବେ ବାହା ହେଉଛନ୍ତି ଯୁବକ