ନୂଆଦିଲ୍ଲୀ ୧୯/୦୫: ଇରାନରେ ଗତ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ‘ଜନଫଦା’ ଅଭିଯାନ ପୂରା ଦେଶରେ ଚାଲିଛି । ଇରାନର ସିୟା ଇସ୍ଲାମ ବ୍ୟବସ୍ଥାରେ ବଳିଦାନର ଅବଧାରଣା ଗଭୀର ଭାବେ ଜଡ଼ିତ । ୧୯୮୦ର ଇରାନ-ଇରାକ ଯୁଦ୍ଧଠୁ ଆଜି ପର୍ଯ୍ୟନ୍ତ ସହିଦଙ୍କୁ ସର୍ବୋଚ୍ଚ ସମ୍ମାନ ଦିଆଯାଏ । ଜନଫଦା ଅଭିଯାନ ଏହି ପରମ୍ପରାକୁ ପୁଣି ଥରେ ଜୀବିତ କରିଛି । ଏହା ବିବାହ ଭଳି ବ୍ୟକ୍ତିଗତ ଖୁସିକୁ ରାଷ୍ଟ୍ରସେବା ସହ ଯୋଡ଼ି ଯୁବପିଢ଼ିଙ୍କୁ ପ୍ରେରିତ କରେ । ‘ଜନଫଦା’ର ଅର୍ଥ ଜୀବନକୁ ଉତ୍ସର୍ଗ କରିବା । ଏହାକୁ ‘ଜନଫଦା ବିବାହ’ ମଧ୍ୟ କୁହାଯାଏ ।
ଇରାନରେ ‘ଜନଫଦା ବିବାହ’ ବା ‘ବଳିଦାନ ପୂର୍ବରୁ ବିବାହ’ ଏଭଳି ଏକ ପରମ୍ପରା ଯେଉଁଥିରେ ଯୁଦ୍ଧକୁ ଯାଉଥିବା ଯୁବକ ବା ସହିଦ ହେବାକୁ ଯାଉଥିବା ଯୁବକଙ୍କୁ ତରବରିଆ ଭାବେ ବିବାହ କରାଇ ଦିଆଯାଏ । ପାର୍ସୀ ସମାଜରେ ଏହାକୁ ‘ଅକ୍ଦ-ଏ-ଶହାଦତ’ ଭଳି ପ୍ରତୀକାତ୍ମକ ନାଁ ସହ ଯୋଡ଼ାଯାଏ । ଏହାର ମୂଳ ଖାସ୍କରି ୧୯୮୦ ଦଶକର । ସେତେବେଳେ ହଜାର ହଜାର ଇରାନୀ ଯୁବାଙ୍କୁ ଯୁଦ୍ଧକୁ ପଠାଯାଉଥିଲା । ଏହି ସମୟରେ ପରିବାର ଓ ଧାର୍ମିକ ସଂଗଠନଗୁଡ଼ିକ ମଧ୍ୟରେ ଏକ ଭାବନା ମଜଭୁତ ହେଲା ଯେ ଯୁଦ୍ଧକୁ ଯିବା ପୂର୍ବରୁ ଯୁବକଙ୍କ ବିବାହ ହେବା ସାମାଜିକ ଓ ଆଧ୍ୟାତ୍ମିକ ରୂପେ ଶୁଭ ମନେକରାଯାଏ । ଏହା ଏକ ସ୍ୱେଚ୍ଛାକୃତ ନିଯୁକ୍ତି ଅଭିଯାନ, ଯେଉଁଥିରେ ଲୋକେ ଦେଶ ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିବା ନାମ ପଞ୍ଜିକରଣ କରନ୍ତି । ବର୍ତ୍ତମାନ ଆମେରିକା ଓ ଇସ୍ରାଏଲର ଆକ୍ରମଣ ସମୟରେ ଇରାନରେ ଏହି ଅଭିଯାନର ମହତ୍ୱ ଆହୁରି ବଢ଼ିଯାଇଛି ।
ଲକ୍ଷାଧିକ ଇରାନବାସୀ ଏହି ଅଭିଯାନରେ ନିଜ ନାଁ ପଞ୍ଜିକୃତ କରିଛନ୍ତି । ଏଥିରେ ସାଂସଦ, ଯୁବା, ମହିଳା ଓ ପିଲା ବି ସାମିଲ । ‘ଜନଫଦା ବିବାହ’ ଏହି ଅଭିଯାନର ଏକ ନିଆରା ରୂପ । ନବବିବାହିତ ଯୋଡ଼ି ବିବାହ ପରେ ପରେ ପାରମ୍ପରିକ ଭୋଜି ବଦଳରେ ତେହରାନର ଏଙ୍ଗେଲାଭ ଛକ ବା ପାଲେଷ୍ଟାଇନ୍ ଛକରେ ପ୍ରୋଗଭର୍ନମେଣ୍ଟ ରାଲିରେ ସାମିଲ ହେଉଛନ୍ତି । ବର-କନ୍ୟାଙ୍କୁ ସାମରିକ ବାହନଗୁଡ଼ିକୁ ସହିଦଙ୍କ ଫଟୋରେ ସଜାଇ, ଦେଶଭକ୍ତିର ସ୍ଲୋଗାନ୍ ଦେଇ ଜନଦଫା ପଞ୍ଜିକରଣରେ ଭାଗ ନେଉଥିବା ଦେଖିବାକୁ ମିଳୁଛି । କିଛି ଭିଡିଓରେ କନ୍ୟାଙ୍କୁ ବିନା ହିଜାବରେ ଦେଖିବାକୁ ମିଳିଛି । ଏହି ଯୋଡ଼ିକୁ ‘ଜୌଜ-ଏ-ଜାପଫିଦା’ କୁହାଯାଏ । ଏହି କ୍ରମରେ ଇରାନ ରାଜଧାନୀ ତେହରାନରେ ସୋମବାର ରାତିରେ ବଳିଦାନ ପାଇଁ ସମର୍ପିତ ୧୦୦୦ ଜନଫଦା ଯୋଡ଼ିଙ୍କ ବିବାହ ହୋଇଛି ।
ଆହୁରି ପଢ଼ନ୍ତୁ...ଭାରତକୁ ଘେରିବାକୁ ପାକିସ୍ତାନର ବଡ଼ ଚାଲ୍ ! ଚୀନ୍କୁ ବନ୍ଦର ଟେକିଦେଇ ପରମାଣୁ ବୁଡ଼ାଜାହାଜ ମାଗୁଥିଲା ପାକିସ୍ତାନ