ପାଲଘର, ୪/୧୧ : ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା। ୧୧ ଏକର ଜମିରେ ଉଜୁଡ଼ିଗଲା ଫସଲ। ହେଲେ ସରକାର ଦେଲେ ମାତ୍ର ୨ ଟଙ୍କା ୩୦ ପଇସା। ଚାଷୀଙ୍କୁ ସହାୟତା ନାଁରେ ପରିହାସ। ଦେଶର ସବୁଠୁ ଶସ୍ତା କ୍ଷତିପୂରଣ। ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏଠି ଭୁଲ୍ କାହାର ? ପ୍ରଶାସନିକ ଅବହେଳା ନା ସରକାରଙ୍କ ଉଦାସୀନତା। ଏହା ପଛରେ କିଏ ଦାୟୀ ? 

ପାଲଘର ଶିଳୋତ୍ତର ଗ୍ରାମର କୃଷକ ମଧୁକର ବାବୁରାଓ ପାଟିଲ ପ୍ରାୟ ୧୧ ଏକର ଜମିରେ ଚାଷ କରିଥିଲେ। ହେଲେ ଅଦିନିଆ ବର୍ଷା ଯୋଗୁଁ ସବୁ ଫସଲ ନଷ୍ଟ ହୋଇଗଲା। ପାଣିରେ ବୁଡ଼ି ଗଛ ସବୁ ସଢିଗଲା। ଏପରିକି ଗୃହପାଳିତ ପଶୁଙ୍କ ପାଇଁ ଚାରା ସବୁ ବି ନଷ୍ଟ ହୋଇଗଲା। ଅଦିନିଆ ବର୍ଷା ଜନିତ କ୍ଷତିର ଭରଣ ପାଇଁ ସରକାର ଘୋଷଣା କଲେ। କିଛି କ୍ଷତିପୂରଣ ମିଳିଯିବା ଆଶାରେ ବାବୁରାଓ ସରକାରୀ ଯୋଜନାରେ ଆବେଦନ କଲେ। ହେଲେ ଯେତେବେଳେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା ବାବୁରାଓ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ କ୍ଷତିପୂରଣ ବାବଦକୁ ତାଙ୍କ ଖାତାକୁ ଆସିଥିଲା ମାତ୍ର ୨ ଟଙ୍କା ୩୦ ପଇସା। ଏତିକି ଟଙ୍କାରେ ବାବୁରାଓଙ୍କ ପରିବାର ଖାଇବେ କେତେ ଚଳିବେ କେତେ ? 

ପାଲଘରର ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାରୀଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି। ଶିବସେନା ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି। ପାର୍ଟି ପ୍ରମୁଖ ଉଦ୍ଧବ ଠାକରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ୨ ଟଙ୍କା ଓ କେଇ ପଇସା କ୍ଷତିପୂରଣ ଦେଇ ସରକାର ଚାଷୀଙ୍କ କ୍ଷତରେ ଲୁଣ ଛିଞ୍ଚିଛନ୍ତି। ଏହା ଚାଷୀଙ୍କ ପ୍ରତି ଅପମାନ। 

ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତମ୍ବି ତୋଫାନ ଉଠିବା ପରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟୀକରଣ ଦେଇଛି। ଜିଲ୍ଲା କୃଷି ଅଧିକ୍ଷକ ନିଲେଶ ଭାଗେଶ୍ଵର କହିଛନ୍ତି ଯେ, ବାବୁରାଓଙ୍କ ଖାତାରେ ଥିବା ୨ ଟଙ୍କା ୩୦ ପଇସା ଏବର୍ଷର ନୁହେଁ। ଗତ ବର୍ଷରୁ ଏତିକି ଟଙ୍କା ତାଙ୍କ ଆକାଉଣ୍ଟରେ ରହିଛି। ୨୦୨୨-୨୩ ବର୍ଷର କ୍ଷତି ପାଇଁ ବାବୁରାଓଙ୍କୁ ୭୨ ହଜାର ୪୬୬ ଟଙ୍କା ସହାୟତା ରାଶି ସ୍ଵୀକୃତି ମିଳିଥିଲା। ଏଥିରୁ ୭୨ ହଜାର ୪୬୪ ଟଙ୍କା ୨୦୨୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା। କୌଣସି କାରଣବଶତଃ ୨ଟଙ୍କା ୩୦ ପଇସା ଅଟକି ଥିଲା। ଯାହାକି ଏବେ ତାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇଛି। ଏହା ଚଳିତ ବର୍ଷର ସହାୟତା ରାଶି ନୁହେଁ।