ଲାଞ୍ଜିଗଡ, ୨।୬ (ଆପ୍ର)- ରାଜ୍ୟର ବିଜେପି ସରକାରଙ୍କ ଦ୍ୱାରା ଘୋଷିତ ବିକଶିତ ଗାଁ-ବିକଶିତ ଓଡିଶା ଅନୁଦାନକୁ ନେଇ ଲାଞ୍ଜିଗଡ ବ୍ଲକରେ ଅଡୁଆ ପରିସ୍ଥିତି ଦେଖାଦେଇଛି। ବିଜେପି ଦଳର କିଛି କର୍ମୀ ଅନୁମୋଦିତ ତାଲିକା ଧରି ଗାଁ ଗାଁ ବୁଲି କାମ ବାଣ୍ଟିବାକୁ ମସୁଧା ଚଳାଇଥିବା ନେଇ ଅଭିଯୋଗ କରିଛନ୍ତି ଲାଞ୍ଜିଗଡ ବ୍ଲକର ନିର୍ବାଚିତ ପ୍ରତିନିଧିମାନେ। ଏହାକୁ ନେଇ ସୋମବାର ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସହିତ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମିଳିତ ଭାବେ ବିରୋଧ କରିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କରି ବିଜେପି କର୍ମୀ କାମ ବାଣ୍ଟିଲେ ଜୋରଦାର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି।
ସରକାରଙ୍କ ଘୋଷଣା ଅନୁଯାୟୀ, ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ପଲ୍ଲୀସଭା ଓ ଗ୍ରାମସଭା ଜରିଆରେ ଲୋକଙ୍କ ଆବଶ୍ୟକତାର ସମସ୍ତ ରୂପରେଖ ପ୍ରସ୍ତୁତ କରିବେ । ତେବେ ବିଜେପି କର୍ମୀମାନେ କୌଣସି ଭୂମିକା ନଥାଇ କାମ ବାଣ୍ଟିବାକୁ କେମିତି ତତ୍ପର ହେଉଛନ୍ତି ବୋଲି ନିର୍ବାଚିତ ପ୍ରତିନିଧି ମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ପଲ୍ଲୀସଭା ଓ ଗ୍ରାମସଭା ବ୍ୟତୀତ ରାଜ୍ୟ ସରକାର ସ୍ଥାନୀୟ ବିଧାୟକମାନଙ୍କୁ ବିକଶିତ ଗାଁ- ବିକଶିତ ଓଡ଼ିଶା ଯୋଜନାରେ ୪୦ ପ୍ରତିଶତ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ଉନ୍ନୟନ କାର୍ଯ୍ୟଗୁଡିକୁ ମଧ୍ୟ ବିଜେପି କର୍ମୀ ନିଜେ ବାଣ୍ଟିବା ଉଦ୍ୟମକୁ ବିଧାୟକ ଓ ତାଙ୍କ ସମର୍ଥକ ଜୋରଦାର ବିରୋଧ କରିଛନ୍ତି। ଲାଞ୍ଜିଗଡରେ ବିଜେଡି ବିଧାୟକ ଥିବାରୁ ତାଙ୍କୁ ନଜର ଅନ୍ଦାଜ କରିବାକୁ ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଏସବୁକୁ ନେଇ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ, ବ୍ଲକ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆ,ସଂପାଦକ ମନୋହର ହରପାଲଙ୍କ ସହିତ ବ୍ଲକର ୨୬ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ। ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ, ସଭ୍ୟା ମାନେ ଲାଞ୍ଜିଗଡ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହିତ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆସିଥିବା ଅନୁଦାନକୁ ନେଇ ବିଜେପି କର୍ମୀ ରାଜନୀତି କଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ହେଉଥିବା ପଲ୍ଲୀସଭା, ଗ୍ରାମସଭା ଓ ପଞ୍ଚାୟତ ସମିତି ବୈଠକରେ ସାମିଲ ହେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ହୋଇଉଠିଛି।