ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି, ଯାହା ପୁରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଆମେରିକୀୟ ଖବରକାଗଜ 'ଦି ୱାଲ୍ ଷ୍ଟ୍ରିଟ୍ ଜର୍ନାଲ' (WSJ) ର ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷିଆ ସେନା ୟୁକ୍ରେନର ପୁରୁଷ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ପଙ୍ଗୁ କରି ଦେବା ପାଇଁ ଯୌନ ହିଂସା ଓ ନିର୍ଯାତନାକୁ ଏକ ଯୋଜନାବଦ୍ଧ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଜାତିସଂଘ (UN)ର ତଦନ୍ତକାରୀ, ୟୁକ୍ରେନୀୟ ଆଇନଜୀବୀ ଏବଂ ରୁଷିଆ କବଜାରୁ ମୁକ୍ତ ହୋଇ ଥିବା ପୂର୍ବତନ ଯୁଦ୍ଧବନ୍ଦୀଙ୍କ ବୟାନ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ଆକ୍ରମଣ ଆରମ୍ଭ ହେବା ଦିନ ଠାରୁ ହିଁ ଏହି ନିର୍ଯାତନା ରୁଷିଆର ସାମରିକ ରଣନୀତିର ଏକ ପ୍ରମୁଖ ଅଂଶ ପାଲଟିଛି।

ଯୁଦ୍ଧକୁ ଯିବା ପୂର୍ବରୁ ସର୍ଗି ବୋୟଚୁକ୍ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ, ସେ କେବେବି ରୁଷିଆ ସୈନିକଙ୍କ ହାତରେ ଜୀବନ୍ତ ଧରା ପଡ଼ିବାକୁ ଚାହୁଁ ନାହାନ୍ତି। କିନ୍ତୁ ଭାଗ୍ୟରେ ଆଉ କିଛି ଥିଲା। ସର୍ଗିଙ୍କୁ ରୁଷିଆ ସୈନିକମାନେ ବନ୍ଦୀ କରି ନେଇ ଥିଲେ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି କଏଦ କରି ରଖି ଥିଲେ। WSJ ରିପୋର୍ଟ ଅନୁଯାୟୀ, ବନ୍ଦୀ ସମୟରେ ତାଙ୍କୁ ବୋତଲ, ଲାଠି ମାଧ୍ୟମରେ ଦୁଷ୍କର୍ମ କରାଯାଇ ଥିଲା ଏବଂ ଗୁପ୍ତାଙ୍ଗରେ ଛୁରୀ ରଖି ଭୟଭୀତ କରାଯାଉ ଥିଲା। ସର୍ଗି କୁହନ୍ତି, ସେମାନଙ୍କର ଲକ୍ଷ୍ୟ କେବଳ ମୋତେ ଯନ୍ତ୍ରଣା ଦେବା ପାଇଁ ନଥିଲା, ସେମାନେ ମୋତେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ପଙ୍ଗୁ କରି ଦେବାକୁ ଚାହୁଁ ଥିଲେ।

ଯୁଦ୍ଧ ସମୟରେ ରୁଷିଆ ସେନା ଦ୍ୱାରା ହୋଇଥିବା ଯୌନ ହିଂସାର ପ୍ରାୟ ୩୧୦ଟି ମାମଲାରେ ଜାତିସଂଘ ସାକ୍ଷ୍ୟ ପ୍ରମାଣ ରେକର୍ଡ କରିଛି। ଏଥି ମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ , ପୀଡ଼ିତଙ୍କ ମଧ୍ୟରେ ୨୮୦ ଜଣ ପୁରୁଷ, ୨୬ ଜଣ ମହିଳା ଏବଂ ୪ ଜଣ ନାବାଳିକା ଅଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ରୁଷିଆ ଜେଲ୍ ଗୁଡ଼ିକରେ କଏଦୀଙ୍କୁ ବିଦ୍ୟୁତ୍ ଆଘାତ ଦେବା, ଯୌନାଙ୍ଗକୁ କ୍ଷତି ପହଞ୍ଚାଇବା ଏବଂ ସାମୂହିକ ଦୁଷ୍କର୍ମ କରିବା ଏକ ସାଧାରଣ କଥା ହୋଇ ଯାଇଛି।।

ନିର୍ଯାତନା ଦେବା ପାଇଁ ରୁଷିଆନ୍ ଗାର୍ଡମାନେ ପୁରୁଣା ସୈନ୍ୟ ଫିଲ୍ଡ ଟେଲିଫୋନର ତାରକୁ କଏଦୀଙ୍କ ଗୁପ୍ତାଙ୍ଗରେ ବାନ୍ଧି ଦେଉ ଥିଲେ ଏବଂ ହ୍ୟାଣ୍ଡେଲ୍ ଘୁରାଇ ବିଦ୍ୟୁତ୍ କରେଣ୍ଟ ଛାଡୁ ଥିଲେ। ଜେଲରେ ଏହି ଅମାନୁଷିକ କାର୍ଯ୍ୟକୁ ଗାର୍ଡମାନେ ହସି ହସି ‘କଲ୍ ଟୁ ପୁଟିନ୍’ ବୋଲି କହୁ ଥିଲେ। ଏହି ନୃଶଂସତାର ଶିକାର କେବଳ ସୀମାରେ ମୁତୟନ ସୈନିକମାନେ ହୋଇ ନାହାନ୍ତି, ବରଂ ସାଧାରଣ ନାଗରିକ ମଧ୍ୟ ହୋଇଛନ୍ତି। ଖେରସନରେ ରହୁ ଥିବା ୪୨ ବର୍ଷୀୟ ଓଲେକ୍ସି ସିଭାକଙ୍କୁ କେବଳ ଏଥି ପାଇଁ ଜେଲରେ ପୂରାଇ ଦିଆ ଯାଇ ଥିଲା, କାରଣ ସେ ନିଜ ଘର ଉପରେ ୟୁକ୍ରେନର ପତାକା ଉଡ଼ାଇ ଥିଲେ। ଜେଲରେ ତାଙ୍କୁ ମଧ୍ୟ ଏହିପରି ବିଦ୍ୟୁତ୍ ଆଘାତ ଦିଆ ଯାଇ ଥିଲା। ଆଜି ଓଲେକ୍ସି ନିଜ ଜୀବନ ବଞ୍ଚାଇ ବାହାରକୁ ଆସି ସାରିଛନ୍ତି ଏବଂ ଏପରି ୨୦୦ରୁ ଅଧିକ ପୀଡ଼ିତ ପୁରୁଷଙ୍କ ପାଇଁ ଏକ ସପୋର୍ଟ ଗ୍ରୁପ୍ ଚଳାଉଛନ୍ତି।

ସେହିପରି ୬୩ ବର୍ଷୀୟା ହଲିନା ତିଶଚେଙ୍କୋ କାନ୍ଦି କାନ୍ଦି କହିଛନ୍ତି ଯେ, ତାଙ୍କ ନିଜ ଘରର ଡ୍ରଇଂ ରୁମରେ ବନ୍ଧୁକ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରାଯାଇ ଥିଲା। ଏହା ପରେ ପ୍ରବଳ ଶୀତରେ, ଯେତେବେଳେ ତାପମାତ୍ରା ମାଇନସରେ ଥିଲା, ତାଙ୍କୁ ବିନା ବସ୍ତ୍ରରେ ରାସ୍ତାରେ ବୁଲାଯାଇ ଥିଲା।

ବୋସନିଆ ଯୁଦ୍ଧ ଅପରାଧର ତଦନ୍ତ କରି ସାରିଥିବା ପୂର୍ବତନ ଅନ୍ତର୍ଜାତୀୟ ପବ୍ଲିକ୍ ପ୍ରସିକ୍ୟୁଟର ଡେଭିଡ୍ ୱେଣ୍ଡିମ୍ୟାନଙ୍କ କହିବାନୁସାରେ , ଏହା କୌଣସି ଜଣେ କି ଦୁଇ ଜଣ ମାନସିକ ବିକୃତ ସୈନିକଙ୍କର କାମ ହୋଇ ନପାରେ। ଯେଉଁଭଳି ଅଲଗା ଅଲଗା କ୍ୟାମ୍ପରେ ସମାନ ଭଳି କାର୍ଯ୍ୟ ଦେଖିଛନ୍ତି , ଏଥିରୁ ସ୍ପଷ୍ଟ ଯେ, ବରିଷ୍ଠ କମାଣ୍ଡରମାନେ ବର୍ବରତା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ।

ଆହୁରି ମଧ୍ୟ ପଢନ୍ତୁ -  ଦେଶ ପ୍ରଥମେ, ଆଉ ସବୁ ପରେ ... ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ?