ନୂଆଦିଲ୍ଲୀ ୧୦/୧୨: ଦୀର୍ଘ ସମୟ ଧରି କାଗଜ ଅଭାବର ସମ୍ମୁଖୀନ ହେଉଛି ଉତ୍ତର କୋରିଆ । ଏବେ ସେଠାରେ କାଗଜ ସରିବା ଅବସ୍ଥାରେ । ଏହି ଦେଶ ଉପରେ ଅନେକ ଅନ୍ତର୍ଜାତୀୟ ପ୍ରତିବନ୍ଧକ ରହିଛି । ବିଶ୍ୱରେ ଉତ୍ତର କୋରିଆ ଏକ ନିଃସଙ୍ଗ ରାଷ୍ଟ୍ର । ସେଥିପାଇଁ ଏଠାରେ ପର୍ଯ୍ୟାପ୍ତ ଟେକ୍ନୋଲୋଜି, କଞ୍ଚା ମାଲ୍‌ ଓ ଔଦ୍ୟୋଗିକ ବିକାଶର ଅଭାବ ରହିଛି । ଏହି କାରଣରୁ ଦେଶ କାଗଜ ଅଭାବର ସମ୍ମୁଖୀନ ହେଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏବେ ଉତ୍ତର କୋରିଆରେ କାଗଜ ଶେଷ ହୋଇଯାଇଛି । ଦେଶର ସୁପ୍ରିମୋ କିମ୍‌ ଜଙ୍ଗ୍‌ ଉନ୍‌ କ୍ଷେତ୍ରୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି, ଦେଶରେ କାଗଜ ପ୍ରସ୍ତୁତି ଲାଗି କାରଖାନା ବସାଇବାକୁ ପଡ଼ିବ । ତାଙ୍କ ପ୍ରଚାର ଶାଖା ମୁଦ୍ରଣ କମାଇ ଦେଇଛି । ସରକାରଙ୍କ ପାଖରେ ବ୍ୟାଙ୍କ୍‌ ନୋଟ୍‌ ବି ଶେଷ ହୋଇଗଲାଣି ।

​​​​​​​

କିମ୍‌ ଜଙ୍ଗ୍‌ କହିଛନ୍ତି, ଦେଶର ପେପର୍‌ ଇଞ୍ଜିନିୟରିଂ ସଂସ୍ଥା ନିଜ କାଗଜ ପ୍ରସ୍ତୁତି ବିଧି ଓ ଟେକ୍ନୋଲୋଜିର ବିକାଶ ଲାଗି ଯୋଜନା କରୁଥିବାରୁ ସେ ଖୁସି । କାରଣ ଦେଶରେ କାଗଜ ସରିଗଲାଣି ଏବଂ ସମ୍ବାଦପତ୍ର ଓ ବ୍ୟାଙ୍କନୋଟ୍‌ କମ୍‌ ଛପା ହେଉଛି । କିମ୍‌ ଉନସନ୍‌ ପେପର୍‌ ମିଲ୍‌ ପରିଦର୍ଶନ କରି ବହୁମୁଖୀ ପେପର୍‌ ମେସିନ୍‌, ଟୟଲେଟ୍‌-ପେପର୍‌ ମେସିନ୍‌ ଓ ପେପର୍‌ କଣ୍ଟେନର ମୋଲ୍ଡିଂ ମେସିନର ନିରୀକ୍ଷଣ କରି ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି । ଅନ୍ୟ ଦେଶ ସହ ବ୍ୟାପାର ନ ହେବାରୁ ଉତ୍ତର କୋରିଆରେ ଉଦ୍ୟୋଗ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ଭଲ ନିବେଶକ ନାହାନ୍ତି । ସେଥିପାଇଁ ସେଠାରେ ଉଦ୍ୟୋଗ ଗତିବିଧି ପଛରେ ରହିଛି । କିମ୍‌ ନିଜ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି, ଆଗାମି ପାଞ୍ଚବର୍ଷୀୟ ଯୋଜନା ଅବଧିରେ ଦେଶର ସମସ୍ତ ପ୍ରାନ୍ତରେ ଆଧୁନିକ କାଗଜ କାରଖାନା ନିର୍ମାଣରେ ସ୍ୱତନ୍ତ୍ର ଯୋଜନା ହେବା ଆବଶ୍ୟକ ।