ପାରାଦୀପ, ୧୩।୩: ପାରାଦୀପ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚକାଚକ୍ କୋଠା । ଦେଢ଼ ବର୍ଷ ତଳେ ରଙ୍ଗ ହୋଇଥିଲା । ଏବେ ପୁଣି ୪ ମାସ ପୂର୍ବରୁ ଚକାଚକ୍ ରଂଗ ଦିଆଯାଇଛି । ସେ ସ୍ୱାସ୍ଥ୍ୟ କେନ୍ଦ୍ର ପରିବେଶକୁ ଦେଖିଲେ ମନ ଭରି ଯାଉଛି । ହେଲେ ବିନା ଡାକ୍ତରରେ ଚାଲିଛି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ୬୦ ହଜାର ଲୋକଙ୍କ ପାଇଁ ରହିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର । କିନ୍ତୁ ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ ଓ ନର୍ସରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ଯଦି ଫାର୍ମାସିଷ୍ଟ କୌଣସି କାରଣରୁ ଛୁଟିରେ ରହିଲେ ଷ୍ଟାଫ୍ ନର୍ସ ସମ୍ଭାଳନ୍ତି ମେଡିକାଲ୍ । ଏଭଳି ବିକଳ ଚିତ୍ର ଶିଳ୍ପ ନଗରୀ ପାରାଦୀପରେ ଦେଖିବାକୁ ମିଳିଛି । ଅନୁମୋଦିତ ଡାକ୍ତର ପଦବିରେ ଜଣେ ରହିବା କଥା କିନ୍ତୁ ଡାକ୍ତର ପଦବି ଖାଲି । ଶିଳ୍ପ ନଗରୀ ପାରାଦୀପର ନୂଆବଜାର, ବୃନ୍ଦାବନ କଲୋନୀ, ଷଣ୍ଢକୁଦ, ମଧୁବନ ଆଦି ଅଞ୍ଚଳର ୬୦ ହଜାର ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫିଜିଓଥେରାପି ଡାକ୍ତର ସୋମବାରରୁ ଗୁରୁବାର ଆସୁଛନ୍ତି । ସୋମବାର ଜଣେ ଦାନ୍ତ ଡାକ୍ତର ଆସୁଛନ୍ତି । ଡେପୁଟେସନରେ ଜଣେ ଏମ୍ବିବିଏସ୍ ଡାକ୍ତର କେତେବେଳେ କେମିତି ଆସନ୍ତି । ପୁଣି ତାଙ୍କର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଶିବିର ଆଡି କାର୍ଯ୍ୟକ୍ରମ ଥିଲେ ଆସନ୍ତି ନାହିଁ ବୋଲି ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ... ଖାଉଟିଙ୍କୁ ମହଙ୍ଗା ମାଡ଼: ୫ କେଜି ସିଲିଣ୍ଡର୍ ପାଇଁ ଗଣିବାକୁ ପଡ଼ିବ ୭୫୦ ଟଙ୍କା !
ବିଶେଷ କରି ଥଣ୍ଡା, ଜ୍ୱର, କାଶ, ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ । ଏଭଳି ରୋଗୀ ଆସିଲେ ନର୍ସ ଦେଉଛନ୍ତି ଔଷଧ । ଅର୍ଥାତ୍ ନର୍ସ ଜ୍ୱରଠାରୁ ଆରମ୍ଭ କରି ପେଟ କାମୁଡ଼ା, ଛାତି ଯନ୍ତ୍ରଣା, ଗୋଡ ହାତ ବିନ୍ଧା, ଆଖି ଓ ଚର୍ମ ଆଦି ରୋଗ ପାଇଁ କେବଳ ଫାର୍ମାସିଷ୍ଟ ଓ ନର୍ସ ଦେଉଛନ୍ତି ଔଷଧ । ଯେଉଁଥିରେ ବିନା ଡାକ୍ତରଙ୍କ ପରାମର୍ଶରେ ଚାଲିଛି ରୋଗୀ ଚିକିତ୍ସା । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୧ଟା ଓ ଅପରାହ୍ନ ୫ଟାରୁ ସାନ୍ଧ୍ୟ ୮ଟା ପର୍ଯ୍ୟନ୍ତ ଖୋଲୁଛି । ପ୍ରତ୍ୟେକ ଦିନ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଗୁରୁବାର ସକାଳେ ୬୮ ଜଣ ଓ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ସନ୍ଧ୍ୟାରେ ପ୍ରାୟ ୩୫ରୁ ୪୦ ଜଣ ରୋଗୀ ଆସିଥାନ୍ତି ବୋଲି ଫାର୍ମାସିଷ୍ଟ ସ୍ମୃତିରଞ୍ଜନ ସ୍ୱାଇଁ କହିଛନ୍ତି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଚାଲିଥିବାରୁ କେହି ଆଶୁ ନ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ମେରାଇନ୍ ରୋଡ୍ ପାଶ୍ୱର୍ରେ ଅବସ୍ଥିତ । ବହୁ ସମୟରେ ଦୁର୍ଘଟଣା ଘଟିଥାଏ । ଦୁର୍ଘଟଣା ରୋଗୀଙ୍କୁ ଭଗବାନଙ୍କ ବ୍ୟତୀତ ଆଉ କେହି ରକ୍ଷା କରି ପାରିବେ ନାହିଁ ।
ଯଦି ପାରାଦୀପ ଭଳି ଶିଳ୍ପ ନଗରୀର ଅବସ୍ଥା ଏହିଭଳି ତେବେ ଗାଁ ଗହଳିର ଅବସ୍ଥା କେଉଁ ଭଳି ଥିବ ଏଥିରୁ ଅନୁମେୟ । ଜିଲ୍ଲା ମୁଖ୍ୟ ଅଧିକାରୀ ଏଥିପ୍ରତି ତତ୍ପରତା ଦେଖାଇଲେ ହିଁ ଡାକ୍ତର ସମସ୍ୟା ଦୂର ହୋଇପାରନ୍ତା । ଏନେଇ ୧୪ ନମ୍ବର ୱାର୍ଡର ପରିଷଦ ମନୋଜ କୁମାର ନାୟକ କହିଛନ୍ତି ରାତିବେଳା ଯଦି କାହାର କିଛି ଅସୁବିଧା ହୁଏ ହେଲେ ଡାକ୍ତର ନାହାନ୍ତି । ସନ୍ଧ୍ୟାରୁ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇଯାଏ । ସାମାନ୍ୟ ଖଣ୍ଡିଆ ଖାବରା ହେଲେ ଡ୍ରେସିଂର ସୁବିଧା ନାହିଁ । ଡାକ୍ତର ନିଯୁକ୍ତି କରାଗଲେ ସାଧାରଣ ଲୋକେ ଚିକିତ୍ସା ସୁବିଧା ପାଇପାରନ୍ତେ ବୋଲି ଶ୍ରୀ ନାୟକ କହିଛନ୍ତି । ଏ ନେଇ ଅଧିକ ଜାଣିବା ପାଇଁ ସିଡିଏମ୍ଓ ଡ. ରାଜେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଜ୍ଞାପନ ବାହାରୁଛି କିନ୍ତୁ କେହି ଡାକ୍ତର ସାକ୍ଷାତକାରକୁ ଆସୁ ନାହାନ୍ତି । ଚୁକ୍ତି ଭିତ୍ତିକ ଡାକ୍ତର ପଦବି ପାଇଁ କେହି ସାକ୍ଷାତକାରକୁ ଆସୁନଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି । ତେବେ ଖୁବ୍ ଶୀଘ୍ର ପାରାଦୀପରେ ଏକ ସୁପର୍ ସ୍ପେସାଲିଷ୍ଟ ମେଡିକାଲ୍ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।