ନୂଆଦିଲ୍ଲୀ,୧୦/୦୩: ଆଜିଠୁ ସଂସଦ ବଜେଟ ଅଧିବେଶନର  ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ଏପ୍ରିଲ  ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ବିରୋଧୀ ଦଳଗୁଡିକ ନକଲି ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡ  (ଇପିଆଇସି) ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି । 

ଏଥିସହ ମଣିପୁରରେ ସାନି ହିଂସା, ଟ୍ରମ୍ପ ପ୍ରଶାସନ  ସହ ଭାରତର ସମ୍ପର୍କ ଭଳି ପ୍ରସଙ୍ଗ ମଧ୍ୟ ବିରୋଧୀମାନେ  ଉଠାଇବାର ସଙ୍କେତ ମିଳୁଛି । ଇପିଆଇସି ମାମଲା ଟିଏମ୍‌ସି  ଜୋର୍‌ଦାର ଉଠାଇବ । ଟିଏମ୍‌ସି ଏହି ପ୍ରସଙ୍ଗରେ କଂଗ୍ରେସ,  ଡିଏମ୍‌କେ, ଶିବସେନା (ୟୁବିଟି) ଭଳି ଦଳକୁ ଏକାଠି କରିବ ।  

ଟିଏମ୍‌ସି ଅଭିଯୋଗ କରିଛି କି ଇପିଆଇସି ମାଧ୍ୟମରେ ଗୋଟିଏ  ରାଜ୍ୟର ଭୋଟରମାନେ ଅନ୍ୟ ରାଜ୍ୟରେ ଭୋଟ ଦେଉଛନ୍ତି।  ତେବେ ନିର୍ବାଚନ କମିଶନ ଏହାକୁ ଖଣ୍ଡନ କରିବା ସହ ୩ ମାସ  ଭିତରେ ଇପିଆଇସି ପ୍ରସଙ୍ଗ ସମାଧାନ କରାଯିବ ବୋଲି କହିଛନ୍ତି ।  ଅନ୍ୟପକ୍ଷରେ ସରକାର ୱାକଫ ସଂଶୋଧନ ବିଲ୍‌ ଗୃହୀତ କରାଇବା  ସହ ମଣିପୁର ବଜେଟ ପାସ୍‌ କରାଇବାକୁ ଯୋଜନା କରିଛନ୍ତି ।  ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ  ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା