କଟକ, ୨।୧୦: ଏସ୍‌ସିବିରେ ଅଲଟ୍ରାସାଉଣ୍ଡ୍‌, ଏକ୍ସରେ ପାଇଁ ରାତି ଅଧରୁ ୱାର୍ଡରୁ ଆସୁଛନ୍ତି ରୋଗୀ । ଚାଲି ପାରୁନଥିବା ରୋଗୀଙ୍କୁ ଟେକିଟେକି ଆଣୁଛନ୍ତି ସେମାନଙ୍କ ସଂପର୍କୀୟ । ରଞ୍ଜନରଶ୍ମୀ ବିଭାଗ ଆଗରେ ସପ, ଲୁଗା, ବେଡ୍‌ସିଟ୍‌ ପକାଇ ରୋଗୀମାନେ ଶୋଉଛନ୍ତି । ଜଣେ କି ଦୁଇ ଜଣ ନୁହଁ, ମାଳମାଳ ରୋଗୀ ଅଲଟ୍ରାସାଉଣ୍ଡ୍‌ କରିବାକୁ ଆସି ରାତି ଅଧରେ ୱାର୍ଡ ଛାଡି ରାସ୍ତା ଉପରେ ଶୋଉଛନ୍ତି । ଏସସିବିରେ ଏଭଳି ବିକଳ ଚିତ୍ର ସବୁଦିନିଆ । ମେଦିନାପୁର ଅଞ୍ଚଳର ଚାରି ଦଳାଇ(୫୮) ଙ୍କର ମୂତ୍ରଶଲ୍ୟ ଜନିତ ସମସ୍ୟା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି । ଅଲଟ୍ରାସାଉଣ୍ଡ୍‌ ଓ କେୟୁବି ଏକ୍ସରେ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଦୁଇଟି ଯାକ ପରୀକ୍ଷା ପାଇଁ ଦୁଇ ଦିନ କାଳ ତାଙ୍କୁ ୱାର୍ଡରୁ ଆସି ରଞ୍ଜନରଶ୍ମୀ ବିଭାଗ ସମ୍ମୁଖରେ ଫୁଟପାଥରେ ଶୋଇବାକୁ ପଡ଼ିଥିଲା । ଦିନବେଳା ରୋଗୀ ସାଲାଇନ୍‌ ଓ ଇଞ୍ଜେକସନ୍‌ ଆଦି ନେଇଯିବା ପରେ ରାତିରେ ସମ୍ପର୍କୀୟମାନେ ତାଙ୍କୁ ଧରି ଅଲଟ୍ରାସାଉଣ୍ଡ୍‌ ପାଇଁ ରଞ୍ଜନରଶ୍ମୀ ବିଭାଗ ସମ୍ମୁଖରେ ଧାଡ଼ିରେ ଶୁଆଇ ଥାଆନ୍ତି । ସକାଳ ୮ଟା ୩୦ ରେ କାଉଣ୍ଟର ଖୋଲିବା ମାତ୍ରେ ଧାଡ଼ିରେ ଶୋଇଥିବା ରୋଗୀଙ୍କ ସିରିଅଲ୍‌ ଅନୁସାରେ ସମ୍ପର୍କୀୟମାନେ ପ୍ରେସକ୍ରିପସନ୍‌ ଜମା ଦେଇଥାନ୍ତି । 

ସେହି କ୍ରମରେ ଅଲ୍‌ଟ୍ରାସାଉଣ୍ଡ ସୁବିଧା ପାଇଥାନ୍ତି ରୋଗୀ । ରୋଗୀଙ୍କର ଏଭଳି ଦୁର୍ଦ୍ଦଶାର କେବେ ଅନ୍ତ ଘଟିବ ସେନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ମୁଖ୍ୟଙ୍କ ପାଖରେ ଠିକ୍‌ ଉତ୍ତର ନାହିଁ । ତେଣୁ ଅଲଟ୍ରାସାଉଣ୍ଡ୍‌ ପାଇଁ ଡାକ୍ତର ପ୍ରେସକ୍ରିପସନ୍‌ ଲେଖିବା ପରେ ରୋଗୀଙ୍କ ଅପେକ୍ଷା ସେମାନଙ୍କ ସମ୍ପର୍କୀୟମାନଙ୍କର ଚିନ୍ତା ବଢ଼ୁଛି । ୱାର୍ଡରୁ ରୋଗୀଙ୍କୁ ରଞ୍ଜନ ରଶ୍ମୀ ବିଭାଗକୁ ଆଣି ଏଠାରେ ପରୀକ୍ଷା କରାଇ ବେଡ୍‌ ପାଖରେ ଆଣି ପହଞ୍ଚାଇବାକୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇପଡ଼ୁଛନ୍ତି । ଆଉଟ୍‌ଡୋର ରୋଗୀ ହୁଅନ୍ତୁ କିମ୍ବା ୱାର୍ଡରେ ଆଡମିସନ୍‌ ହୋଇଥିବା ରୋଗୀ ହୁଅନ୍ତୁ ଏସ୍‌ସିବିରେ ଅଲଟ୍ରାସାଉଣ୍ଡ୍‌, ଏକ୍ସରେ, ସିଟି ସ୍କାନ୍‌ ପାଇଁ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ଏସ୍‌ସିବିର ସମସ୍ତ କ୍ଲିନିକାଲ୍‌ ବିଭାଗର ରୋଗୀଙ୍କଠାରୁ ଆରମ୍ଭ କରି ଟ୍ରମା କାଜୁଆଲଟିର ଦୁର୍ଘଟଣାଗ୍ରସ୍ତ ଓ ଆଶୁଚିକିତ୍ସା କେନ୍ଦ୍ରର ଗୁରୁତର ରୋଗୀଙ୍କର ଅଲଟ୍ରାସାଉଣ୍ଡ୍‌ ଗୋଟିଏ ସ୍ଥାନରେ ହେଉଛି । ୱାର୍ଡ, ଆଉଟ୍‌ଡୋର, କାଜୁଆଲ୍‌ଟି ମିଶି ପାଞ୍ଚ ଶହରୁ ଅଧିକ ରୋଗୀ ପ୍ରତିଦିନ ଅଲଟ୍ରାସାଉଣ୍ଡ୍‌ ପାଇଁ ଆସୁଥିବା ବେଳେ ପରୀକ୍ଷା ସୁବିଧା ପାଉଛନ୍ତି ମାତ୍ର ୧୦୦ ଜଣ । ବାକି ପ୍ରାୟ ୪ ଶହ ରୋଗୀ ଫେରୁଛନ୍ତି । ରୋଗୀ ସଂଖ୍ୟା ବଢ଼ୁଥିଲେ ହେଁ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା ପାଇଁ ଭିତ୍ତିଭୂମି କିମ୍ବା ଉପକରଣ ବୃଦ୍ଧି କରାଯାଉନାହିଁ । ମାତ୍ର ୩ଟି ମେସିନ୍‌ରେ ଏବେ ପରୀକ୍ଷା ହେଉଛି । 

ସେହିପରି ଏସ୍‌ସିବିରେ ଆରମ୍ଭ ଦିନରୁ ରଞ୍ଜନରଶ୍ମୀ ବିଭାଗରେ ଗୋଟିଏ ୟୁନିଟ୍‌ ସୀମିତ ରହିଛି । ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର, ୩ ଜଣ ଆସିଷ୍ଟାଣ୍ଟ୍‌ ପ୍ରଫେସର, ୪ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ନେଇ ଶହଶହ ସଂଖ୍ୟାରେ ରୋଗୀଙ୍କର ପରୀକ୍ଷା କରିବା ଏକରକମ ଅସମ୍ଭବ ହୋଇପଡ଼ୁଚି । ରେଳ ଷ୍ଟେସନ୍‌ରେ ଦିନରାତି ୨୪ ଘଣ୍ଟା ଗହଳି ଲାଗିବା ପରି ରଞ୍ଜନରଶ୍ମୀ ବିଭାଗରେ ଦିନରାତି ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭିଡ଼ ଜମାଉଛନ୍ତି । ଫଳରେ ବିଭାଗ ସମ୍ମୁଖ ଫୁଟପାଥରେ ସବୁବେଳେ ରୋଗୀବ ପଡ଼ି ରହୁଛନ୍ତି । ଏ ସମ୍ପର୍କରେ ଡାକ୍ତରଖାନା ଇନ୍‌ଚାର୍ଜ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଛନ୍ତି ଯେ, ରୋଗୀମାନେ କିପରି ସୁବିଧାରେ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା କରାଇବେ ସେଥିଲାଗି ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି । ଉକ୍ତ ସମସ୍ୟାର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।