କଟକ, ୧୯।୩: କଟକ ବଡ଼ ମେଡିକାଲର ପିଛା ଛାଡ଼ୁନି ଅଗ୍ନିକାଣ୍ଡ ଅଘଟଣ । ରବିବାର ବିଳମ୍ବିତ ରାତିରେ ଟ୍ରମା ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚିକିତ୍ସାଧୀନ ୧୩ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଏବେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୋମବାର ମଧ୍ୟାହ୍ନରେ ବି ଏସ୍ସିବି ସୁପର୍ ସ୍ପେସାଲିଟି ଆଉଟ୍ଡୋର୍ରେ ପୁଣି ଏକ ଛୋଟ ଅଗ୍ନିକାଣ୍ଡ ଘଟିଥିଲା । ଅବଶ୍ୟ ବେଶି କିଛି କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣାକୁ ଦୁଇ ଦିନ ବିତିଥିବା ବେଳେ ଆଜି ତୃତୀୟ ଅଗ୍ନିକାଣ୍ଡ ଘଟିଛି । ନନ୍ଟ୍ରମା କାଜୁଆଲିଟିରେ ଥିବା ଏକ ବିଦ୍ୟୁତ୍ ପ୍ୟାନେଲ୍ ବୋର୍ଡରେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା । ଖବର ପାଇ ତୁରନ୍ତ ଏସ୍ସିବି ଅଗ୍ନିଶମ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟବଶତଃ ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ଏହି ଅଗ୍ନି ଦୁର୍ଘଟଣା ପାଇଁ ସେଠାରେ କିଛି ସମୟ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା ।
ଏହା ବି ପଢ଼ନ୍ତୁ... ଆଜିଠୁ ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖା, ମେ' ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ
ମିଳିଥିବା ତଥ୍ୟ ମୁତାବକ, ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ନନ୍ ଟ୍ରମା କାଜୁଆଲ୍ଟିର ଷ୍ଟୋର୍ ରୁମ୍ ଭିତରେ ଥିବା ବିଦ୍ୟୁତ୍ ପ୍ୟାନେଲ୍ ବୋର୍ଡରେ ସର୍ଟ ସର୍କିଟ୍ ହୋଇ ଧୂଆଁ ବାହାରିଥିଲା । ପରେ ବୋର୍ଡ ଜଳିବା ଆରମ୍ଭ କରିଥିଲା । ନିଆଁ ଓ ଧୂଆଁ ଦେଖି ସେଠାକାର କର୍ମଚାରୀ ତୁରନ୍ତ ଖବର ଦେବା ପରେ ଏସ୍ସିବି ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ନିଆଁ ଅଧିକ ବ୍ୟାପିନଥିଲା । ଫଳରେ ପୁଣି ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଥିଲା । ଅଗ୍ନିକାଣ୍ଡରେ ପ୍ୟାନେଲ୍ ବୋର୍ଡଟି ସଂପୂର୍ଣ୍ଣ ପୋଡ଼ିଯାଇଛି । ଷ୍ଟୋର୍ ରୁମ୍ ଓ ଅନ୍ୟ ଯନ୍ତ୍ରାଂଶର ଅବଶ୍ୟ କିଛି କ୍ଷତି ହୋଇନି । ରୋଗୀମାନେ ସୁରକ୍ଷିତ ଅଛନ୍ତି । ତେବେ ରବିବାର ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ପରେ ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ଭୟଭୀତ ହୋଇ ରହିଥିବାରୁ ଆଜିକାର ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ପରେ ଏସ୍ସିବି ପରିସରରେ ଆତଙ୍କ ଖେଳି ଯାଇଥିଲା । କିଛି ସମୟ ପାଇଁ ବିଦ୍ୟୁତ୍ ସଂଯୋଗ କଟାଯିବାରୁ ନନ୍ଟ୍ରମା କାଜୁଆଲିଟିରେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ନିଆଁ ଲାଗିଥିବା ସୂଚନା ପାଇ ମଙ୍ଗଳାବାଗ ଅଧିକାରୀ, ଫାଣ୍ଡି ଅଧିକାରୀ ଓ ଏସ୍ସିବିର ଅନ୍ୟ ଅଧିକାରୀ ପହଞ୍ଚି ସ୍ଥିତି ସ୍ୱାଭାବିକ କରିଥିଲେ ।