ଭୁବନେଶ୍ୱର,୦୫/୦୪; ଥାଇଲାଣ୍ଡର ବ୍ୟାଙ୍କକ୍ ଠାରେ ଚାଲିଥିବା ବିଶ୍ୱ ପାରା ଆର୍ଚେରୀ ରାଙ୍କିଙ୍ଗ୍ ସିରିଜରେ ଓଡ଼ିଶାର ପାୟଲ ନାଗ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି । ମହିଳା କମ୍ପାଉଣ୍ଡ୍ ଫାଇନାଲରେ ସେ ୧୩୯- ୧୩୬ରେ ବିଶ୍ୱ ଚାମ୍ପିଅନ୍ ତଥା ଟପ୍ ସିଡ୍ ଶୀତଳ ଦେବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିବା ସହ ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ପାୟଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖମନ୍ତ୍ରୀ ମୋହନ ମାଝୀ ।
୧୯ ବର୍ଷୀୟା ପାୟଲ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ପୂର୍ବରୁ ସେମି ଫାଇନାଲ୍ରେ ସେ ୧୪୪-୧୪୦ରେ ଦ୍ୱିତୀୟ ସିଡ୍ କାଜାଖସ୍ତାନର ଝନତ ଆଇତିମୋଭାଙ୍କୁ ପରାସ୍ତ କରିଥିଲେ । ଚଳିତ ରାଙ୍କିଙ୍ଗ୍ ସିରିଜରେ ପାୟଲ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ଗତ ଶୁକ୍ରବାର ସେ କମ୍ପାଉଣ୍ଡ୍ ମହିଳା ଡବଲ୍ସରେ ଶୀତଳଙ୍କୁ ସାଥୀ କରି ଦେଶକୁ ପ୍ରଥମ ସ୍ୱର୍ଣ୍ଣ ଭେଟି ଦେଇଥିଲେ । ଫାଇନାଲ୍ରେ ଭାରତୀୟ ଯୋଡ଼ି ୧୫୦-୧୪୭ରେ କାଜାଖସ୍ତାନ ଯୋଡ଼ିଙ୍କୁ ପରାଜିତ କରିଥିଲେ । ସେହିପରି ପୁରୁଷ କମ୍ପାଉଣ୍ଡ୍ ଓପନରେ ବିଶ୍ୱ ଚାମ୍ପିଅନ୍ ଭାରତୀୟ ତୀରନ୍ଦାଜ ଟୋମାନ କୁମାର ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛନ୍ତି । ଫାଇନାଲ୍ରେ ସେ ୧୪୬-୧୪୨ରେ ଅଷ୍ଟ୍ରେଲିଆର ଜୋନାଥନ ମିଲନେଙ୍କୁ ପରାଜିତ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଚଳିତ ସିରିଜରେ ଏହା ଟୋମାନଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ ରହିଥିଲା । ପୂର୍ବରୁ ସେ ମିକ୍ସଟ୍ ଟିମ୍ ଏବଂ ପୁରୁଷ ଡବଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଏହା ବି ପଢନ୍ତୁ...ଅପରାହ୍ଣରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, ଖାତା ଖୋଲିବାକୁ ବ୍ୟାକୁଳ ପନ୍ତ
ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା ଆର୍ଚେରୀ ସିରିଜ୍ରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭାବାନ କ୍ରୀଡ଼ାବିତ ପାୟଲ ନାଗଙ୍କୁ ଅନେକ ଅନେକ ଅଭିନନ୍ଦନ।
— Mohan Charan Majhi (@MohanMOdisha) April 4, 2026
ପାୟଲଙ୍କ ଏହି ସଫଳତା ରାଜ୍ୟର ଅଗଣିତ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା। ତାଙ୍କର ଏହି ବିଜୟ ଯାତ୍ରା ଅବ୍ୟାହତ ରହୁ ଏବଂ ସେ ଆଗାମୀ ଦିନରେ ବିଶ୍ୱ… pic.twitter.com/co2zhdZVfs
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ବ୍ୟାଙ୍କକରେ ଆୟୋଜିତ ବିଶ୍ୱ ପାରା ଆର୍ଚେରୀ ସିରିଜ୍ରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭାବାନ କ୍ରୀଡ଼ାବିତ ପାୟଲ ନାଗଙ୍କୁ ଅନେକ ଅନେକ ଅଭିନନ୍ଦନ । ପାୟଲଙ୍କ ଏହି ସଫଳତା ରାଜ୍ୟର ଅଗଣିତ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା । ତାଙ୍କର ଏହି ବିଜୟ ଯାତ୍ରା ଅବ୍ୟାହତ ରହୁ ଏବଂ ସେ ଆଗାମୀ ଦିନରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ସୁନାମକୁ ଆହୁରି ଉଜ୍ଜ୍ୱଳ କରନ୍ତୁ । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।''