ନୂଆଦିଲ୍ଲୀ,୦୨/୦୩; ବିଚରା ପାକିସ୍ତାନ । ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିଲା । ସୁପର ୮ରୁ ଶୋଚନୀୟ ଭାବେ ପରାସ୍ତ ହେଲା । ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା । ଏବେ ଦଳକୁ ଭାରି ପରିଣାମ ଭୋଗିବାକୁ ପଡିଛି । କ୍ରିକେଟ ବୋର୍ଡ ଦଳର ପ୍ରଦର୍ଶନ ଏବଂ ଭଲ କ୍ରିକେଟ ଖେଳିବାକୁ ନେଇ ପୁରସ୍କୃତ କରିଥାଏ । ହେଲେ ଖରାପ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଜରିମାନରେ ଦଣ୍ଡିତ କରିବା ଆପଣ କେବେ ଶୁଣିଛନ୍ତି କି ? ପାକିସ୍ତାନ କ୍ରିକେଟ୍ ଟିମ୍ ସହ ସେପରି କିଛି ହୋଇଛି । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ପ୍ରତି ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନରେ ଦଣ୍ଡିତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ଲାଗାତାର ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ ସେମି ଫାଇନାଲରେ ପ୍ରବେଶ କରିପାରିନାହିଁ । ସୁପର ୮ରୁ ଦଳ ବାଦ୍ ପଡିଛି । ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ବି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଭାରତ ଏବଂ ଇଂଲଣ୍ଡ ପରି ଶକ୍ତିଶାଳୀ ପ୍ରତିନ୍ଦ୍ବନ୍ଦୀଙ୍କଠୁ ପରାସ୍ତ ହୋଇଥିଲା । ଏହି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ ଦଳରେ ଥିବା ଖେଳାଳିମାନଙ୍କୁ ୫୦ ଲକ୍ଷ ଲେଖାଏଁ ଟଙ୍କା ଜରିମାନା କରାଯାଇଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ସେମାନଙ୍କ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କାରଣ ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରତି ଖେଳାଳିଙ୍କ ଉପରେ ୫୦ ଲକ୍ଷ ଲେଖାଏଁ ଜରିମାନା କରିଛି । ଏ ନେଇ tribune.com.pk ରିପୋର୍ଟ କରିଛି । ସୁତ୍ର ଅନୁସାରେ, ଅଧିକାରୀମାନେ ଖେଳାଳିମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏବେଠାରୁ ଆର୍ଥିକ ଲାଭ କେବଳ ପ୍ରଦର୍ଶନ ଉପରେ ଆଧାରିତ ହେବ । ବୋର୍ଡ ଅଧିକାରୀ ଦଳର ପ୍ରଦର୍ଶନ ଉପରେ ବହୁତ ଅସନ୍ତୁଷ୍ଟ । ଅଧିକାରୀ ସ୍ପଷ୍ଟ କରିଛନ୍ତି କି, ଭଲ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ପୁରସ୍କୃତ କରାଯିବ ସହିତ ଖରାପ ପ୍ରଦର୍ଶନ ପାଇଁ ସେମାନଙ୍କୁ ଦଣ୍ଡିତ ମଧ୍ୟ ହେବାକୁ ପଡ଼ିବ । ଭାରତଠୁ ହାରିବା ପରେ ପାକିସ୍ତାନ କ୍ରିକେଟ ଟିମ୍କୁ ତୁରନ୍ତ ଏହି ନିଷ୍ପତ୍ତି ବାବଦରେ ଜଣାଇ ଦିଆଯାଇଛି ।
ଏହା ବି ପଢନ୍ତୁ...ସଞ୍ଜୁ ସାମସନ୍ 'ସ୍ପେଶାଲ ୯୭', ହାରିଲା ଇଣ୍ଡିଜ; କୋଲକାତାରେ ରେକର୍ଡ ସେଟ୍ କଲା ଭାରତ