• 'ପେଦ୍ଦି' ସିନେମାରେ ଜାହ୍ନବୀ କପୁରଙ୍କ ସିନ୍କୁ ନେଇ ସମାଲୋଚନା କଲେ ଦର୍ଶକ
  • ଆପତ୍ତିଜନକ ଦୃଶ୍ୟ ହଟାଇବାକୁ ନିଷ୍ପତ୍ତି ନେଲେ ନିର୍ମାତା
  • ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଲେ ନିର୍ଦ୍ଦେଶକ ବୁଚ୍ଚି ବାବୁ ସାନା

ନୂଆଦିଲ୍ଲୀ,୦୬/୦୬: ରାମ ଚରଣଙ୍କ ଅଭିନିିତ ସିନେମା "ପେଦ୍ଦି" ଦୁଇ ଦିନରେ ସାରା ବିଶ୍ୱରେ ୧୫୦.୪୯ କୋଟି ଆୟ କରିଥିବା ବେଳେ, ଫିଲ୍ମରେ ଜାହ୍ନବୀ କପୁରଙ୍କ ଚରିତ୍ରର ଚିତ୍ରଣକୁ ବ୍ୟାପକ ସମାଲୋଚନା କରାଯାଇଛି। ଲୋକମାନେ ଏହାକୁ "ଅଶ୍ଳୀଳ", "ମହିଳାଙ୍କୁ ଅପମାନିତ" ଏବଂ "ପୁରୁଷମାନଙ୍କ ତୁଳନାରେ ନୀଚ" ବୋଲି କହୁଛନ୍ତି। ବଢ଼ୁଥିବା ପ୍ରତିକ୍ରିୟାକୁ ନଜରରେ ରଖି ନିର୍ମାତାମାନେ ଏବେ କ୍ଷମା ମାଗିଛନ୍ତି। ନିର୍ଦ୍ଦେଶକ ବୁଚ୍ଚି ବାବୁ ସାନା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଫିଲ୍ମର "ବିବାଦୀୟ ଅଂଶ" ରେ ପରିବର୍ତ୍ତନ କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, "ଆମର ଉଦ୍ଦେଶ୍ୟ କେବେବି କୌଣସି ମହିଳା ଚରିତ୍ରକୁ ଆପତ୍ତିଜନକ କିମ୍ବା ଅପମାନିତ କରିବା ନଥିଲା।" ତଥାପି, ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ କେବଳ ଅଭିନୟ ବୋଲି ଅଣଦେଖା କରୁଛନ୍ତି। କିନ୍ତୁ ଲୋକମାନେ କହିଛନ୍ତି ଯେ ନିର୍ଦ୍ଦେଶକ ଠିକ୍ ଭାବରେ ଜାଣିଥିଲେ ଯେ ସେ କ'ଣ କରୁଛନ୍ତି ଏବଂ ଯେଉଁ ଦୃଶ୍ୟ ଦେଖାଇବା ଉଚିତ ନୁହେଁ, ତାକୁ ନିର୍ଦ୍ଦେଶକ ସିନେମାରେ କିପରି ଦେଖାଇଲେ ବୋଲି ପ୍ରଶ୍ନ ଉଠିଛି।

"ପେଦ୍ଦି" ଗୁରୁବାର, ଜୁନ୍ ୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରାୟ ୩୫୦ କୋଟି ବଜେଟ୍ ରେ ନିର୍ମିତ ଏହି ଚଳଚ୍ଚିତ୍ରକୁ "ଭାରତୀୟ ଗ୍ରାମାଞ୍ଚଳରେ ଜଡ଼ିତ କାହାଣୀ" ଭାବରେ ପ୍ରଚାର କରାଯାଉଥିଲା। ତଥାପି, ମୁକ୍ତିଲାଭ ପରେ, ଲୋକମାନେ ରାମ ଚରଣଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ମଧ୍ୟ, ଚଳଚ୍ଚିତ୍ରଟି ଆହୁରି ସମାଲୋଚନାର ସମ୍ମୁଖୀନ ହୋଇଥିଲା। ଦର୍ଶକଙ୍କ ଏକ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ଜାହ୍ନବୀ କପୁରଙ୍କ ଶରୀର ଏବଂ ସଂଳାପକୁ କ୍ୟାମେରା ଯେଉଁଭଳି ଭାବରେ ଦେଖାଉଛି ତାହା ମହିଳାଙ୍କୁ ଅପ୍ରତିତିକର ଇଙ୍ଗିତ କରାଯିବା ଭଳି ପ୍ରଦର୍ଶନ କରୁଛି। ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶକ କହିଛନ୍ତି :-

'ଆମେ ପେଦ୍ଦିର କିଛି ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ମତାମତ ଶୁଣିଛୁ ଏବଂ ଏହାକୁ ଗମ୍ଭୀରତାର ସହ ନେଉଛୁ। କୌଣସି ମହିଳାଙ୍କ ଚରିତ୍ରକୁ ଆପତ୍ତିଜନକ କିମ୍ବା ଅସମ୍ମାନ କରିବା ଆମର କେବେ ଉଦ୍ଦେଶ୍ୟ ନଥିଲା। ଆମେ ଭାବନାକୁ ସମ୍ମାନ ଦେଉଛୁ ଏବଂ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ।"

ଅଧିକ ପଢ଼ନ୍ତୁ: ରାମ ଚରଣଙ୍କ ଫିଲ୍ମ ଦେଖିବାକୁ ଟୋକିଓରୁ ହାଇଦ୍ରାବାଦ ପହଁଞ୍ଚିଲେ ଜାପାନୀ ଫ୍ୟାନ୍ସ, କହିଲେ-ଅଫିସରୁ ୫ ଦିନର ଛୁଟି ନେଇ ଆସିଛୁ

କ୍ଷମା ମାଗିଲେ ନିର୍ଦ୍ଦେଶକ:

ଏବେ, "ପେଦ୍ଦି" ନିର୍ଦ୍ଦେଶକ ବୁଚ୍ଚି ବାବୁ ସାନା ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର) ରେ ଏକ ଲମ୍ବା ବିବୃତ୍ତି ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, "ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ, ମୁଁ ବିଶ୍ୱାସ କରେ ଯେ ସିନେମା ମନୋରଞ୍ଜନ କରିବା, ପ୍ରେରଣା ଦେବା ଏବଂ ଦର୍ଶକଙ୍କ ସହ ଯୋଡ଼ି ହେବା ଉଚିତ। ଏହା କେବେବି କାହାକୁ ଅସହଜ କିମ୍ବା ଅପମାନିତ କରିବା ଉଚିତ୍ ନୁହେଁ। "ପେଦ୍ଦି"ର କିଛି ଦୃଶ୍ୟ ସମ୍ପର୍କରେ ଆମେ କିଛି ମତାମତ ଶୁଣିଛୁ ଏବଂ ଏହାକୁ ଗମ୍ଭୀରତାର ସହ ନେଇଛୁ। ମୁଁ ସର୍ବଦା ମହିଳାଙ୍କ ପ୍ରତି ପରଦା ଉପରେ ଏବଂ ବାହାରେ ସର୍ବୋଚ୍ଚ ସମ୍ମାନ ରଖିଛି ଏବଂ କୌଣସି ମହିଳାଙ୍କ ଚରିତ୍ରକୁ ଆପତ୍ତିଜନକ କିମ୍ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ କେବେବି ନଥିଲା। ଯଦି ଚଳଚ୍ଚିତ୍ରର କୌଣସି ଦୃଶ୍ୟକୁ ଏପରି ଭାବରେ ଦେଖାଯାଇଛି, ଯାହାକି ଆପଣଙ୍କୁ ଅସହଜ ଅନୁଭବ ହେଉଛି, ସେଥିପାଇଁ ଆମେ ଆପଣଙ୍କ ଭାବନାକୁ ସମ୍ମାନ ଜଣାଇ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ।"

ନିର୍ଦ୍ଦେଶକ କହିଲେ, " ବଦଳିବ ଫିଲ୍ମର ସିନ୍":

ନିର୍ଦ୍ଦେଶକ ତାଙ୍କ କ୍ଷମା ପ୍ରାର୍ଥନାରେ ଆହୁରି ଲେଖିଛନ୍ତି, "ମତାମତ ବିଚାର କରିବା ପରେ, ଆମେ ପ୍ରାସଙ୍ଗିକ ଅଂଶରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛୁ। ସିନେମା ଏହାର ଦର୍ଶକଙ୍କ ସହିତ ସମ୍ପର୍କ ସ୍ଥାପନ କରି ସଫଳ ହୁଏ, ଏବଂ କାହାଣୀକାର ଭାବରେ, ପରିବର୍ତ୍ତନଶୀଳ ମନୋଭାବ ଏବଂ ଭାବନା ପ୍ରତି ସଚେତନ ରହିବା ଆମର ଦାୟିତ୍ୱ। ପ୍ରତ୍ୟେକ ମହିଳା ସମ୍ମାନ, ଗୁରୁତ୍ୱ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପାଇବାକୁ ଯୋଗ୍ୟ। ଆମେ ଏପରି କାହାଣୀ କହିବାକୁ ପ୍ରତିବଦ୍ଧ ଯାହା ଶକ୍ତିଶାଳୀ ଚରିତ୍ରଗୁଡ଼ିକୁ ପାଳନ କରେ ଏବଂ ସେହି ମୂଲ୍ୟବୋଧକୁ ବଜାୟ ରଖେ। ସଚ୍ଚୋଟ ଏବଂ ପ୍ରକୃତ ମତାମତ ଦେଇଥିବା ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ।"

ଆହୁରି ପଢ଼ନ୍ତୁ: ରଜରେ ବି ରାଜ୍ କରିବ ‘ମନ୍ତ୍ରମୁଗ୍ଧ’, ଦର୍ଶକଙ୍କ ଭଲପାଇବା ସହ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି...

ଦର୍ଶକ କହିଲେ,'ଜାଣିଶୁଣି ଦେଖେଇ ହେଉଛନ୍ତି ନିର୍ଦ୍ଦେଶକ:

ତଥାପି, ଏହା ମଧ୍ୟ ଆକର୍ଷଣୀୟ ଯେ ନିର୍ଦ୍ଦେଶକଙ୍କ ବୟାନ ଶୁଣିବା ପରେ ଦର୍ଶକମାନେ ମଧ୍ୟ ନିଜର ଅଶୋନ୍ତଷ ପ୍ରକାଶ କରିଛନ୍ତି। ଲୋକମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନିର୍ମାତାମାନେ ଜାଣିଥିଲେ ଯେ ସେମାନେ କ'ଣ କରୁଛନ୍ତି। ବର୍ତ୍ତମାନ, ଏହି କ୍ଷମା ପ୍ରାର୍ଥନା କେବଳ ନିଜର ଦୋଷ ଘୋଡ଼ାଇବାକୁ ଏକ ପ୍ରୟାସ। ତଥାପି, ଅନେକ ଲୋକ ଚଳଚ୍ଚିତ୍ର ନିର୍ମାତାଙ୍କ ସମାଲୋଚନା ଗ୍ରହଣ କରି କ୍ଷମା ମାଗିବା ଇଚ୍ଛାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଜାହ୍ନବୀ କପୁରଙ୍କ 'ପେଦ୍ଦି' ବିବାଦ କ'ଣ?

ଭାରତରେ ଅନେକ ଭାଷାରେ ନିର୍ମିତ "ପେଦ୍ଦି" ଚଳଚ୍ଚିତ୍ରରେ ଜାହ୍ନବୀ କପୁର ଅଚିୟାମ୍ମା ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କୁ ରାମଚରଣଙ୍କ ନାୟିକା ଭାବେ ଦେଖିବାକୁ ମିଳିଛି। ଦର୍ଶକମାନେ କହିଛନ୍ତି ଯେ ଏହି ଚରିତ୍ରଟି କାହାଣୀରେ ପ୍ରେମ ସମ୍ପର୍କ ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ପୂରଣ କରେ ନାହିଁ। ଅନେକ ଦର୍ଶକ ଜାହ୍ନବୀ କପୁରଙ୍କ ଅଣ୍ଟା ଏବଂ ନାଭି ଉପରେ ବାରମ୍ବାର ଧ୍ୟାନ ଦେଉଥିବା ଦୃଶ୍ୟ, କ୍ଳୋଜ୍ ସଟ୍ ଗୁଡ଼ିକୁ ମଧ୍ୟ ବିରୋଧ କରିଛନ୍ତି। ସେମାନେ କିଛି ସଂଳାପକୁ ଅନୁପଯୁକ୍ତ ଏବଂ ଅଶ୍ଳୀଳ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

'ପେଦ୍ଦି'ର ଏହି ଦୃଶ୍ୟକୁ ନେଇ ମଧ୍ୟ ହଙ୍ଗାମା:

ଫିଲ୍ମର ଏକ ଦୃଶ୍ୟକୁ ଅଧିକ ସମାଲୋଚନା କରାଯାଇଛି, ଯେଉଁଥିରେ ରାମ ଚରଣ ଓରଫ ପେଦ୍ଦି, ଜାହ୍ନବି ଓରଫ ଅଚିୟାମ୍ମାଙ୍କ ଘରକୁ ଲୁଚିଛଫି ଯାଉଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ, ସେ ତାଙ୍କ ସମ୍ମତି ବିନା ତାଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଅନେକ ଦର୍ଶକ ସୋସିଆଲ ମିଡିଆରେ ଏପରି ଦୃଶ୍ୟଗୁଡ଼ିକୁ ସମାଲୋଚନା କରି କହିଛନ୍ତି, "ଏହା ପିଲାଳିଆ ଆଚରଣ, ଏହାକୁ କାହିଁକି ରୋମାଣ୍ଟିକ ଭାବରେ ଚିତ୍ରଣ କରାଯାଉଛି?" ତେବେ ତମାମ ସମାଲୋଚନାକୁ ନଜରରେ ରଖି ନିର୍ମାତା କ୍ଷମା ପ୍ରାର୍ଥନା କରିଛନ୍ତି। ଏସବୁ ଭିତରେ ସିନେମାଟି ଦୁଇଦିନ ଧରି ସାରା ଦେଶ ଏବଂ ଦେଶ ବାହାରେ ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି।

ପ୍ରମେୟ ପୃଷ୍ଠାର ମନୋରଞ୍ଜନ ଖବର: Aamir Khan Marriage: ୬୧ ବର୍ଷ ବୟସରେ ତୃତୀୟ ବିବାହ କରିବେ ଆମିର ଖାନ୍, ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ଏହି ଦିନ ନେବେ ସାତଫେରା