ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ତେବେ ଏହି ସାକ୍ଷାତକାର ପୂର୍ବରୁ ଆମେରିକା ପକ୍ଷରୁ ଭାରତକୁ ଏକ ବଡ଼ କୂଟନୈତିକ ଝଟ୍କା ଲାଗିଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ‘ପେଣ୍ଟାଗନ’ ନିଜର ପ୍ରସିଦ୍ଧ ‘ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ’ର ନାଁ ବଦଳାଇ ପୁଣିଥରେ ‘ୟୁଏସ୍ ପ୍ୟାସିଫିକ୍ କମାଣ୍ଡ’ କରିଦେଇଛି । ହୱାଇ ଦ୍ୱୀପରେ ଅବସ୍ଥିତ ଏହି ସୈନ୍ୟ କମାଣ୍ଡର ଦାୟିତ୍ୱ ଭାରତ ମହାସାଗରଠାରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ରହିଛି । ଆମେରିକାର ସେହି ବିବାଦୀୟ ‘ସେଭେନ୍ଥ ଫ୍ଲିଟ୍’ ମଧ୍ୟ ଏହି କମାଣ୍ଡ ଅଧୀନରେ ଆସେ, ଯିଏ ୧୯୭୧ ଯୁଦ୍ଧ ସମୟରେ ଭାରତ ବିରୋଧରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲା ।
ନାଁ ବଦଳାଇବା ପଛର କାରଣ କ’ଣ ?
ପ୍ରାୟ ୮ ବର୍ଷ ପୂର୍ବେ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଭାରତ ଓ ଆମେରିକା ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ଦେଖି ଏହି କମାଣ୍ଡର ନାଁ ବଦଳାଇ ‘ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ’ କରାଯାଇଥିଲା । ମାତ୍ର ବୁଧବାର ଦିନ ଏଥିରୁ ‘ଇଣ୍ଡୋ’ ଶବ୍ଦକୁ ହଟାଇ ଦିଆଯାଇଛି । ବିଶେଷଜ୍ଞଙ୍କ ମତରେ, ‘ଅପରେସନ ସିନ୍ଦୂର’ ପରଠାରୁ ଭାରତ ଏବଂ ଆମେରିକା ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଯୋଗୁଁ ଆମେରିକା ଏଭଳି ପଦକ୍ଷେପ ନେଇଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଏହି ନାମ ପରିବର୍ତ୍ତନ କେବଳ ପ୍ରଶାସନିକ ଏବଂ ଐତିହାସିକ କାରଣରୁ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚାଲିଆସିଥିବା ୭ ଦଶନ୍ଧିର ସୈନ୍ୟ ଐତିହ୍ୟ, ସୈନିକମାନଙ୍କ ଗୌରବ ଏବଂ ପରମ୍ପରାକୁ ସମ୍ମାନ ଜଣାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହାସହ କମାଣ୍ଡର କାର୍ଯ୍ୟକ୍ଷେତ୍ର, ମିଶନ ବା ଦାୟିତ୍ୱରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
କାହିଁକି ଉଠୁଛି ପ୍ରଶ୍ନ ?
ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ସହିତ ମିଶି ଆମେରିକା ‘କ୍ୱାଡ୍’ ଗଠନ କରିଛି, ଯାହାର ମୂଳ ଭିତ୍ତିଭୂମି ହିଁ ହେଉଛି ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ର । ଏଭଳି ସ୍ଥିତିରେ ଆମେରିକା ରକ୍ଷା ମନ୍ତ୍ରାଳୟ ଦ୍ୱାରା ‘ଇଣ୍ଡୋ’ ଶବ୍ଦ ହଟାଇବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏହାର ସ୍ପଷ୍ଟ ସଂକେତ ହେଉଛି ଯେ ଆମେରିକାର ମୁଖ୍ୟ ଫୋକସ୍ ଏବେ ଭାରତ ମହାସାଗର ନୁହେଁ, ବରଂ କେବଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଉପରେ ରହିବ ।
୨୦୧୮ରେ ହୋଇଥିଲା ‘ଇଣ୍ଡୋ-ପ୍ୟାସିଫିକ୍’:
୨୦୧୮ ମସିହାରେ ଟ୍ରମ୍ପ ସରକାରଙ୍କ ସମୟରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମ୍ୟାଟିସ୍ କହିଥିଲେ ଯେ, ଭାରତର ବଢ଼ୁଥିବା ରଣନୈତିକ ଗୁରୁତ୍ୱ ଏବଂ ଭାରତ-ପ୍ରଶାନ୍ତ ମହାସାଗରର ସୁରକ୍ଷା ସମ୍ପର୍କକୁ ଦର୍ଶାଇବା ପାଇଁ ‘ୟୁଏସ୍ ପ୍ୟାସିଫିକ୍ କମାଣ୍ଡ’ (USPACOM)ର ନାମ ବଦଳାଇ ‘ୟୁଏସ୍ ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ’ (INDOPACOM) କରାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଏହାକୁ ପୁରୁଣା ନାମକୁ ଫେରାଇ ଅଣାଯାଇଛି ।
ଭାରତକୁ କୂଟନୈତିକ ସନ୍ଦେଶ ?
ଯଦିଓ ପ୍ରଶାସନିକ ସ୍ତରରେ ଏହା କେବଳ ଏକ ନାମ ପରିବର୍ତ୍ତନ, କିନ୍ତୁ ଏହାର ସମୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫ୍ରାନ୍ସରେ ମୋଦୀ ଏବଂ ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟ୍ରମ୍ପ ଭାରତ ଉପରେ ଟାରିଫ୍ ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନର ପ୍ରଶଂସା କରିଥିଲେ । ତେଣୁ ଏହି ନାମ ପରିବର୍ତ୍ତନ ମାଧ୍ୟମରେ ଟ୍ରମ୍ପ ଭାରତକୁ ଏକ ସ୍ପଷ୍ଟ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି ଯେ, ଭାରତ ସାଙ୍ଗରେ ନଥାଇ ମଧ୍ୟ ଆମେରିକା ନିଜ ରଣନୀତିରେ ଆଗକୁ ବଢ଼ିପାରିବ ।
ଆହୁରି ପଢ଼ନ୍ତୁ... Modi-Trump Meet: ଟ୍ରେଡ୍ ଡିଲ୍ରୁ ନେଇ ଏନର୍ଜି ସିକ୍ୟୁରିଟି ଯାଏ...ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପ ମିଟିଂର କ'ଣ ରହିବ ଏଜେଣ୍ଡା