ନୂଆଦିଲ୍ଲୀ ୧୨/୦୩: ଆମେରିକୀୟ ରକ୍ଷା ବିଭାଗ ପେଣ୍ଟାଗନ୍ ଇରାନ ଉପରେ ଆକ୍ରମଣର ଠିକ୍ ପୂର୍ବରୁ ବ୍ୟାପକ ଫାଲ୍ତୁ ଖର୍ଚ୍ଚ କରିଛି । ଏକ ସରକାରୀ ଯାଞ୍ଚ ରିପୋର୍ଟରେ ଏହା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୨୦୨୫ରେ ରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ ଗୋଟିଏ ମାସରେ ୯୩ ଅରବ ଡଲାରରୁ ଅଧିକ ଅର୍ଥାତ୍ ୭.୬୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତନ୍ମଧ୍ୟରେ ୮୨.୭୬ କୋଟି ଟଙ୍କା କେବଳ କଙ୍କଡ଼ା ଓ କଙ୍କଡ଼ା ଗୋଡ଼ ଉପରେ ଖର୍ଚ୍ଚ ହୋଇଛି । ରିପୋର୍ଟରେ ଉଲ୍ଲେଖ ହୋଇଛି, ମହଙ୍ଗା ଖାଦ୍ୟରେ ହୋଇଥିବା ଏହି ଭାରୀ ଖର୍ଚ୍ଚ ପ୍ରାୟତଃ ବଡ଼ ସୈନ୍ୟ ଅଭିଯାନର ସଙ୍କେତ ବୋଲି ବିବେଚନା କରାଯାଏ । ଇରାନ ଯୁଦ୍ଧ ଆରମ୍ଭ ପୂର୍ବରୁ ହୋଇଥିବା ଏହି ଖର୍ଚ୍ଚକୁ ନେଇ ଆମେରିକୀୟ ଟିକସ ଦାତା କ୍ରୋଧରେ ଅଛନ୍ତି ।
ଗତ ସେପ୍ଟେମ୍ବରରେ ପେଣ୍ଟାଗନ୍ ଦ୍ୱାରା କରାଯାଇଥିବା ମହଙ୍ଗା ଖର୍ଚ୍ଚ ମଧ୍ୟରେ ଲୋବଷ୍ଟର୍ ଟେଲ୍- ୬.୯ ମିଲିଅନ ଡଲାର (ହାରାହାରି ୬୩.୪୫ କୋଟି), ଆଲାସ୍କାନ୍ କିଙ୍ଗ୍ କ୍ରାବ୍- ୨ ମିଲିଅନ ଡଲାର (ପ୍ରାୟ ୧୮.୩୯ କୋଟି), କୁଲ୍ କ୍ରାବ୍ ଓ ଲୋବଷ୍ଟର୍- ୯ ମିଲିଅନ୍ ଡଲାର (ହାରାହାରି ୮୨.୭୬ କୋଟି), ରିବଆଇ ଷ୍ଟେକ୍- ୧୫.୧ ମିଲିଅନ (୧୩୮.୮୪ କୋଟି), ନୂଆ ଆଇସ୍କ୍ରିମ୍ ମେସିନ- ୧ ଲକ୍ଷ ୨୪ ହଜାର ଡଲାର (୧.୧୪ କୋଟି), ଡୋନଟ୍ ଅର୍ଡର- ୧୩୯,୨୨୪ ଡଲାର (ପ୍ରାୟ ୧.୨୮ କୋଟି), ମହଙ୍ଗା ଆସବାବପତ୍ର- ୨୨୫.୬ ମିଲିଅନ ଡଲାର (୨୦୭.୪୪ କୋଟି) ଆଦି ସାମିଲ । ଆମେରିକାରେ ସଂଘୀୟ ବଜେଟ ସେପ୍ଟେମ୍ବରରେ ଶେଷ ହୁଏ । ବିଭାଗ ପାଖରେ ଅର୍ଥ ବଳକା ରହିଲେ, ପର ବର୍ଷ କଂଗ୍ରେସ ବଜେଟ୍ କମ୍ କରିବାର ଆଶଙ୍କା ଥାଏ । ସେଥିପାଇଁ ବିଭାଗର ପ୍ରମୁଖ ‘ୟୁଜ୍-ଇଟ୍-ଅର୍-ଲୁଜ୍ଇଟ୍’ ରଣନୀତି ଆପଣନ୍ତି । ଅର୍ଥାତ୍ ବର୍ଷର ଶେଷ ମାସରେ ଶୀଘ୍ର ସବୁ ଅର୍ଥ ଖର୍ଚ୍ଚ କରିଦିଅନ୍ତି ।
ଆହୁରି ପଢ଼ନ୍ତୁ...ସବୁ ଶୀର୍ଷ ନେତା ନିପାତ, ତଥାପି ଛାଡୁନି ଇରାନ, ବିକେନ୍ଦ୍ରୀକରଣ ରଣନୀତିରେ ଲଢୁଛି ଯୁଦ୍ଧ
ରିପୋର୍ଟ ଅନୁସାରେ, ୨୦୦୮ରୁ ପ୍ରତି ବର୍ଷ ସେପ୍ଟେମ୍ବରରେ ଆସବାବପତ୍ର ଉପରେ ହାରାହାରି ୨୫୭.୬ ମିଲିଅନ ଡଲାର ଖର୍ଚ୍ଚ ହୁଏ, ଯାହା ବର୍ଷର ବାକି ମାସ ତୁଳନାରେ ୫୬୪ ପ୍ରତିଶତ ଅଧିକ । ଓବାମାଙ୍କ ସମୟରେ ଏହି ଖର୍ଚ୍ଚ ୩୦୦-୪୦୦ ନିୟୁତ ଡଲାରରେ ପହଞ୍ଚିଥିଲା । ମିଲିଟ୍ରି ଡଟ୍ କମ୍ ଅନୁସାରେ, ସୈନ୍ୟ ଅଧିକାରୀଙ୍କ ଦ୍ୱାରା ମହଙ୍ଗା ଭୋଜନରେ ଖର୍ଚ୍ଚ ପ୍ରାୟତଃ ବଡ଼ ଆକ୍ରମଣ କିମ୍ବା ଯୁଦ୍ଧ ପ୍ରସ୍ତୁତିର ସଙ୍କେତ ବୋଲି ବିବେଚନା କରାଯାଏ ।