ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବାଲି ହାଇୱା ପାଇଁ କାଦୁଅ ପଚପଚ ରାସ୍ତା, ଅସ୍ୱାସ୍ଥ୍ୟକର ପରିବେଶରେ ବସିଲା ହାଟ

Published By : Ankita S | June 30, 2025 2:15 PM

ହରଭଙ୍ଗା,୩୦/୦୬: ଭଲ ରାସ୍ତା ନାହିଁ । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ । ସେପଟେ ବାଲି ହାଇୱା ଓ ଟ୍ରକ ପାଇଁ ରାସ୍ତାରେ ବଡ଼ ଖାଲ ହୋଇଛି । ବର୍ଷାରେ ପାଣି ଜମି ରାସ୍ତା କାଦୁଅ ପଚ ପଚ ହୋଇଛି । ରାସ୍ତାଘାଟର ଏପରି ସ୍ଥିତିକୁ ନେଇ ହିନସ୍ତା ହୋଇଛନ୍ତି ଲୋକ । ସ୍ଥିତି ଏମିତି ହେଲା ଯେ ହରଭଙ୍ଗା ସାପ୍ତାହିକ ହାଟ ବସି ପାରିଲା ନାହିଁ । ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ହାଟ ଉଠିଥିଲା ।

ସୂଚନା ଥାଉକି କାହିଁ କେଉଁ ଅମଳରୁ ବୌଦ୍ଧ ଜିଲ୍ଲା ପରିଚିତ ହରଭଙ୍ଗା ସାପ୍ତାହିକ ହାଟ ମହାନଦୀ କୂଳରେ ବସି ଆସୁଛି l ଏହି ହାଟ ପାଇଁ ଅଞ୍ଚଳର ଲୋକେ ସପ୍ତାହକୁ ଥରେ ତେଲ, ଲୁଣ, ପନିପରିବାଠୁ ଆରମ୍ଭ କରି ଘରେ ନିତ୍ୟ ବ୍ୟବହାରିକ ସାମଗ୍ରୀ କିଣାବାକୁ ସୋମବାରକୁ ଅପେକ୍ଷା କରିଥାନ୍ତି l ଅନ୍ୟପଟେ କେତକ ଲୋକ ହାଟ ପାଇଁ ନିଜର ଜୀବିକା ନିର୍ବାହ କରିଥାନ୍ତି । ବିଭିନ୍ନ ବ୍ୟବସାୟ କରି ସପ୍ତାହକ ପର୍ଯ୍ୟନ୍ତ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି l ଉକ୍ତ ହାଟକୁ ଯିବା ପାଇଁ ହେଲେ ଅଞ୍ଚଳର ଲୋକ, ବ୍ୟବସୟୀଠୁ ଆରମ୍ଭ କରି ସମସ୍ତେ ଥାନା ଛକ ରାସ୍ତା ଦେଇ ହାଟକୁ ଯାଇଥାନ୍ତି l ଏହି ରାସ୍ତା ଉପରେ ଅଞ୍ଚଳର ଲୋକ ନିର୍ଭରଶୀଳ । ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାର ସମସ୍ୟାର ସମାଧାନ ହୋଇପାରି ନାହିଁ । ସ୍ଥାୟୀ ରାସ୍ତାଟିଏ ହୋଇପାରିଲା ନାହିଁ । 

ଏପରିକି ରାସ୍ତା ନିର୍ମାଣ ପାଇଁ ସ୍ଥନୀୟ ଜନ ପ୍ରତିନିଧି ବା ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷା ୪ମାସ ଲୋକେ ନିଜ ଭାଗ୍ୟକୁ ନିନ୍ଦି  ଆଣୁ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି  l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଦୈନିକ ଦିନରାତି ମହାନଦୀରୁ ହାଇୱା ଓ ଟ୍ରାକ୍ଟର ଯୋଗେ ବାଲି ଯାଉଥିବାରୁ ରାସ୍ତା ସମସ୍ୟାର ମୁଖ୍ୟ ବାଧକ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଦୈନିକ ଥାନା ପଛପାଖ ଦେଇ ଟ୍ରିପ ଟ୍ରିପ ବାଲି ଯିବା, ଅତ୍ୟଧିକ ଲୋଡ଼ିଂ ପାଇଁ ରାସ୍ତା ସମସ୍ୟାକୁ ଆହୁରି ବଢାଇଛି ।

ଆଜି ସାପ୍ତାହିକ ହାଟ ଥିବାରୁ  ଲୋକ, ବ୍ୟବସାୟୀମାନେ ପହଂଚିଥିଲେ l କିନ୍ତୁ ରାସ୍ତା କାଦୁଅ ହୋଇଥିବାରୁ ହାଟ ବସି ପାରିନଥିଲା । ହରଭଙ୍ଗା ସ୍ଥିତ ପୁରୁଣା ବଙ୍ଗଳା ନିକଟରେ ଅସ୍ୱାସ୍ଥ୍ୟ କର ପରିବେଶରେ ହାଟ ବସିଥିବା ଦେଖିବାକୁ ମିଳିଥିଲା l ଏପଟେ ବେଆଇନ ବାଲି ହାଇୱା, ଟ୍ରାକ୍ଟରକୁ ଉକ୍ତ ରାସ୍ତାରେ ବନ୍ଦ କରିବା ଏବଂ ତୁରନ୍ତ  ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ  ।

ହରଭଙ୍ଗା ଥାନା ଅଧିକାରୀ  ମହାନଦୀରୁ ବାଲି ଉଠାଉଥିବା ଦାୟିତ୍ୱରେ ଥିବା ମୁନୁସୀକୁ ଡାକି ତୁରନ୍ତ ଖାଲ ଖମାଠୁ ଆରମ୍ଭ କରି କାଦୁଅ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ l ଶୀଘ୍ର ପ୍ରଶାସନ ରାସ୍ତା ସମସ୍ୟାର ସମାଧାନ ନକଲେ ହକ ପାଇଁ ବାଧ୍ୟ ହୋଇ ରାଜରାସ୍ତାକୁ ବୋଲି ଚେତାବନୀ ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.