ମାଲକାନଗିରି, ୨୮/୮(ଆପ୍ର ) :   ମୁଣ୍ଡଗୁଞ୍ଜିବାକୁ ଭଲ ଘରଟିଏ ନାହିଁ।  ଭଙ୍ଗା ଝୁମ୍ପୁଡି ପଲିଥିନ ଜରି ଘୋଡା ଓଦା ଘରେ ବିତୁଛି ଜୀବନ। ତା’ ଉପରେ ପୁଣି ଭିନ୍ନକ୍ଷମ ପୁଅ ସହ ୧୦ ପ୍ରାଣୀ କୁଟୁମ୍ବଙ୍କ ବୋଝ ।  ଏମିତି ଦୃଶ୍ୟ ଦେଖିବା କୁ ମିଳିଛି ମାଲକାନଗିରି ଜିଲ୍ଲାର ପୌରପରିଷଦସ୍ଥ ଝାଟିମାଟି କଲୋନୀ ପରଜାଗୁଡା ଗ୍ରାମ ୱାର୍ଡ୍ ନଂ ୧୪ ବସ୍ତିରେ l

ସେହି ଗ୍ରାମର ଭୀମ ବାଘ ଯେଉଁ ବୟସରେ ଘରେ ବିଶ୍ରାମ ନେବା କଥା ସେଥିରେ ତାଙ୍କ ମୁଣ୍ଡ ଉପରେ ବଡପୁଅ ଭିନ୍ନକ୍ଷମ ଭେଣ୍ଡିଆ ପୁଅ ସହିତ  ବୃଦ୍ଧ ପିତା, ଜଣେ ଭାଇ,ଭଉଣୀ, ପତ୍ନୀ ଓ ୪ପୁଅ ଝିଅଙ୍କ ଭରଣପୋଷଣ ଦାୟିତ୍ବ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ବୃଦ୍ଧ ଅବସ୍ଥା ପର ଘରେ ମୂଳ ମଜୁରୀ ଲାଗିବା ସହ  ଖଟିବାକୁ ପଡୁଛି। 

ବଡପୁଅ ଟୁନା ବାଗ(୨୨) ର ଭଲ ପାଠ ପଢୁଥିଲା। ଗତ ୨୦୨୨ ମସିହାରେ କାମ କରୁଥିବା ବେଳେ ଘର ଉପରୁ ତଳକୁ ପଡିଯାଇ ଅଣ୍ଟା ଭାଙ୍ଗି ଯାଇଛି।  ଅଣ୍ଟାରେ ମାଡ଼ ଯୋଗୁ  ଦୁଇଟି ଗୋଡ ଅଚଳ ହୋଇ ଘରେ ପଡି ରହିବାରୁ ବଡ଼ ପୁଅ ଟୁନୁ ର ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲା। ତାର ହୁଇଲ ଚେୟାର ହିଁ ସାହା ଭରସା ହେଲା।  ସାନ ପୁଅ ମୁନା (୧୯) ଓ ଝିଅ ରାନୁ (୧୭) ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଘରେ ରହୁଛନ୍ତି । ଛୋଟ ଝିଅ ଲାଡ୍‌ଲି ବାଘ (୯)ଏବେ କୁମୁଟିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ପଢୁଛି। ଟୁନାକୁ ସରକାରୀ ସହଯୋଗ କହିଲେ ଭିନ୍ନକ୍ଷମ ଭତ୍ତା ମାତ୍ର ୧୨୦୦ ଟଙ୍କା ଓ ଏକ ହ୍ବିଇଲ ଚେୟାର ମିଳିଛି l ଚାଉଳ ବାବଦରେ ମିଳୁଛି ମାତ୍ର ୨୫ କିଲୋ । ଭୀମଙ୍କ ଗୋସିଁଆ ମାଆଙ୍କ ମୃତ୍ୟୁ ପରେ ଗୋସିଁବାପା, ଦାଦା, ପିଉସି ନାନୀଙ୍କୁ ମିଳୁନାହିଁ ଚାଉଳ। ଏପରିକି ସାନ ଭଉଣୀର ନାମ ମଧ୍ୟ ରାସନ୍ କାର୍ଡ୍ ତାଲିକାରେ ରହି ପାରି ନାହିଁ। ଚାଷ ପାଇଁ ଜମି ନାହିଁ । ଭୀମଙ୍କ ଦିନ ମଜୁରିରେ ଯାହା ମିଳେ ସେଥିରେ ପରିବାର ପ୍ରତିପୋଷଣ ଅତି କଷ୍ଟଦାୟକ ଅଟେ l

ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ମଧ୍ୟ ନାହିଁ, ଦିନଟି ଯେମିତି ହେଲେ ଚଳିଯାଉଛି , ରାତ୍ରୀ ହେଲେ ଚିନ୍ତା ବଢିଯାଏ। ସେହି ଭଙ୍ଗା ଝାଟି ମାଟି ପଲିଥିନ ଘୋଡା କୁଡ଼ିଆ ଘରେ ରୋଷେଇ ଠାରୁ ଆରମ୍ଭ କରି ଶୋଇବା, ବସିବା ସବୁ କିଛି କରନ୍ତି ଏହି ଦୁଃଖୀ ପରିବାର। ଏହି ଗରିବ ପରିବାରକୁ ଏକ ପକ୍କା ଘର, , ମୃତ ଗୋସିଁଆ ମାଆଙ୍କ ଚାଉଳ କାର୍ଡ୍ ପିଉସିଙ୍କ ନାମରେ ଓ ଭିନ୍ନକ୍ଷମ ଭତ୍ତା ୩୫୦୦ ଟଙ୍କା କୁ ବୃଦ୍ଧି ସହ ଜୀବନ ଜୀବିକା ନିମନ୍ତେ ସହଯୋଗ କଲେ ପରିବାରରେ ସମସ୍ତେ ବଞ୍ଚିବାରେ କିଛି ସହଜ ହୋଇପାରନ୍ତା  ବୋଲି ଭିନ୍ନକ୍ଷମ ଯୁବକ ଟୁନା ଓ ଗ୍ରାମବାସୀ ଦାବି କରିଛନ୍ତି।