ନୂଆଦିଲ୍ଲୀ: ଏଆଇ ଷ୍ଟାର୍ଟଅପ୍ ପରପ୍ଲେକ୍ସିଟିର ସିଇଓ ଅରବିନ୍ଦ ଶ୍ରୀନିବାସ ଆଇଫୋନ୍ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛନ୍ତି । ଆପଲ୍ ଆପ୍ ଷ୍ଟୋରରେ ତାଲିକାଭୁକ୍ତ କମେଟ୍ ବ୍ରାଉଜର ଡାଉନଲୋଡ୍ ନକରିବାକୁ କହିଛନ୍ତି ଶ୍ରୀନିବାସ । ବର୍ତ୍ତମାନ ଆପ୍ ଷ୍ଟୋରରେ ତାଲିକାଭୁକ୍ତ ଏହି ଆପ୍ ନକଲି ଏବଂ ଏହା ପରପ୍ଲେକ୍ସିଟି ସହ ଜଡିତ ନୁହେଁ। କମ୍ପାନୀ କିଛି ଦିନ ପୂର୍ବରୁ କମେଟ୍ ବ୍ରାଉଜର ଲଞ୍ଚ କରିଛି। କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯାଇ ନାହିଁ ବୋଲି ସେ କହିଛନ୍ତି ।
ଶ୍ରୀନିବାସ କହିଛନ୍ତି ଯେ, ଆଇଓଏସ୍ ପାଇଁ କମେଟ୍ ବ୍ରାଉଜର ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ । ବର୍ତ୍ତମାନ ଆପ୍ ଷ୍ଟୋରରେ ତାଲିକାଭୁକ୍ତ ଆପ୍ ନକଲି । ଆଇଓଏସ୍ ପାଇଁ କମେଟ୍ ଆପ୍ ଆସିବା ପରେ କମ୍ପାନୀ ସୂଚନା ଦେବ। ଆଣ୍ଡ୍ରଏଡ୍ ୟୁଜର୍ସ କମେଟ ବ୍ରାଉଜରକୁ ବହୁଳ ମାତ୍ରାରେ ଡାଉନଲୋଡ୍ କରୁଥିବା ବେଳେ ଆପଲ୍ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହୋଇନାହିଁ । ତେଣୁ Perplexityର ସିଇଓ ସେମାନଙ୍କୁ ଚେତାଇ ଦେଇଛନ୍ତି । Perplexity Comet ବ୍ରାଉଜରକୁ ଆଇଫୋନ୍ରେ ଥିବା ସଫାରି ବ୍ରାଉଜରର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ଭାବରେ ମଧ୍ୟ ପ୍ରଚାର କରାଯାଉଛି।
ପରପ୍ଲେକ୍ସିଟିର ଏଆଇ-ଚାଳିତ କମେଟ୍ ବ୍ରାଉଜର କିଛି ଦିନ ପୂର୍ବରୁ ଲଞ୍ଚ ହୋଇଥିଲା । ଉପଭୋକ୍ତାଙ୍କ ପାଇଁ ଏହାକୁ ମାଗଣା କରାଯାଇଥିଲା। କ୍ରୋମିୟମ୍ ଫ୍ରେମୱାର୍କରେ ନିର୍ମିତ ଏହି ବ୍ରାଉଜର ଗୁଗଲ୍ ବ୍ରାଉଜକୁ କଡ଼ା ଟକ୍କର ଦେଉଛି । ଏହା କେବଳ ଲୋକପ୍ରିୟ ଏକ୍ସଟେନସନ୍ ଏବଂ ବୁକମାର୍କକୁ ସପୋର୍ଟ କରୁଛି ତାହା ନୁହେଁ, ବରଂ ଏଥିରେ ପ୍ରଡକ୍ଟଭିଟି ଏବଂ ରିସର୍ଚ୍ଚକୁ ସହଜ କରିବା ଲାଗି ଅନେକ ଏଆଇ ଟୁଲ୍ସ ରହିଛି । ଏହା ଲମ୍ବା ବିଷୟବସ୍ତୁର ସାରାଂଶ ସୃଷ୍ଟି କରିବା, ଓ୍ବାର୍କ ଫ୍ଲୋ ପରିଚାଳନା ଏବଂ କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଳିତ କରିବା ପାଇଁ ସକ୍ଷମ । ପ୍ରଥମେ ଏହାର ପେଡ୍ ଭର୍ସନ ଲଞ୍ଚ କରାଯାଇଥିଲା, କିନ୍ତୁ ଏବେ ସମସ୍ତ ପ୍ରିମିୟମ୍ ଫିଚର୍ସକୁ ମାଗଣା କରିଦିଆ ଯାଇଛି ।